ପାପଡାହାଣ୍ଡିଠାରେ ଜିଲ୍ଲା କଂଗ୍ରେସର ମହାଗର୍ଜନ

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ସଦର ମହକୁମାଠାରେ ଜିଲ୍ଲା କଂଗ୍ରେସ ତରଫରୁ ଦୁର୍ନୀତି ବିରୋଧରେ ମହାଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାର ବ୍ଲକ କାର୍ୟ୍ୟାଳୟ ଗୁଡିକରେ ବିକାଶମୂଳକ କାର୍ୟ୍ୟଗୁଡିକରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଦୁର୍ନୀତି ବିରୋଧରେ ଏହି ମହାଗର୍ଜନ ସମାବେଶ ଆରମ୍ଭ କରିଛି । ଝରିଗାଁ ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନାର ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଏହି ଦୁର୍ନୀତିରେ ବ୍ଲକ ବିଡ଼ିଓଙ୍କଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀ ଜଡିତ ଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସର ଏହି ରାଲିରେ ଏଆଇସିସି ସାଧାରଣ ସମ୍ପାଦକ ପ୍ରତିଭା ରାଜବଂଶୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ନବରଙ୍ଗପୁର ଚାଉଁରିଆଗୁଡା ଛକଠାରୁ ଏକ ବାଇକ ରାଲିରେ ବାହାରି ପାପଡାହାଣ୍ଡି ସହିଦ ସ୍ତମ୍ଭଠାରେ ପହଞ୍ଚିବା ପରେ ପାପଡାହାଣ୍ଡି ସହର ପରିକ୍ରମା କରିଥିଲେ । ଆୟୋଜିତ ସଭା୧କୁ ସମ୍ବୋଧନ କରି ଝରିଗାଁ ବ୍ଲକରେ ପାଇଖାନା ଦୁର୍ନୀତିରେ ଝରିଗାଁ ବିଡ଼ିଓ ସଂଶ୍ଲିଷ୍ଟ ଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ରାଜ୍ୟ ସରକାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ସ୍ବରୂପ ବିଡ଼ିଓଙ୍କୁ ନିଲମ୍ବିତ କରିବା ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ।

ଏହାପରେ କର୍ମୀମାନେ ଏକ ରାଲି ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପୋଲିସ ବ୍ଲକ କାର୍ୟ୍ୟାଳୟ ଭିତରକୁ ରାଲିକୁ ଅଟକାଇ ଥିବା ବେଳେ ମୁଖ୍ୟ ମୁଖ୍ୟ ନେତା ୧୫ ଜଣଙ୍କୁ ସ୍ଥାନୀୟ ବିଡ଼ିଓଙ୍କ ସହ ଆଲୋଚନା କରିବାକୁ ଅନୁମତି ଦେବା ପରେ ବ୍ଲକ ବିଡ଼ିଓ କାର୍ୟ୍ୟାଳୟରେ ବିଡ଼ିଓ ରଂଜିତା ମଲିକଙ୍କ ସହ ଆଲୋଚନା କରି ବ୍ଲକରେ ମନରେଗା କାମରେ ଡାବୁଗାଁ ବିଧାୟକଙ୍କ ଦ୍ୱାରା ହିଁ କାର୍ୟ୍ୟାଦେଶ ବଣ୍ଟନ କରାଯାଉଥିବା ଅଭିଯୋଗ କରିବା ସହ ଏଥିରେ ସମ୍ପୃକ୍ତ ଦଲାଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିକଲା ଜିଲ୍ଲା କଂଗ୍ରେସ । ପାପଡାହାଣ୍ଡି ବ୍ଲକରେ ପାଇଖାନା ନର୍ମାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରିଛି କଂଗ୍ରେସ । ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରି ବିଡ଼ିଓଙ୍କୁ କେବଳ ନିଲମ୍ବିତ କରି ଚୁପ ନ ରହି ଅନ୍ୟ ଅଧିକାରୀ ମାନଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ଏହାସହ ପାପଡାହାଣ୍ଡି ବ୍ଲକରେ ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣରେ ୪୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ପାପଡାହାଣ୍ଡି ବ୍ଲକର ପାଇଖାନା ନିର୍ମାଣର ସବିଶେଷ ତଥ୍ୟ ୧୫ ଦିନ ମଧ୍ୟରେ ଦେବା ପାଇଁ କହିଛି କଂଗ୍ରେସ । କେବଳ ଝରିଗାଁ କି ପାପଡାହାଣ୍ଡି ବ୍ଲକରେ ନୁହଁ ସାରା ଜିଲ୍ଲାରେ ଏଭଳି ସ୍ୱଚ୍ଛ ଭାରତ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ତେଣୁ ଆଗାମୀ ଦିନରେ ଜିଲ୍ଲାର ସାରା ବ୍ଲକରେ ପାଇଖାନା ଦୁର୍ନୀତିକୁ ନେଇ କଂଗ୍ରେସ ତରଫରୁ ଗର୍ଜନ ସମାବେଶ କରାଯିବ ବୋଲି କହିଛନ୍ତି ପ୍ରଦୀପ ମାଝୀ । ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତିଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ପାପଡାହାଣ୍ଡି ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସ ମୃତୟନ କରାଯାଇଥିଲା।

Comments are closed.