କଂଗ୍ରେସ ବୁଡ଼ିବାକୁ ଯାଉଛି, କୌଣସି ଶକ୍ତି ଦଳକୁ ବଞ୍ଚାଇ ପାରିବ ନାହିଁଁ: ଶିବରାଜ

ଗ୍ବାଲିଅର: କଂଗ୍ରେସ ଦଳର ନେତୃତ୍ବକୁ ନେଇ ଏବେ ବେଶ୍ ଚର୍ଚା ଚାଲିଛି । ନେତୃତ୍ବ ପ୍ରସଙ୍ଗରେ କଂଗ୍ରେସ ଦୁଇଭାଗରେ ବିଭକ୍ତ ହେବା ପରି ଲାଗୁଛି । ଏହି ସ୍ଥିତିରେ ବିଜେପି ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କଂଗ୍ରେସକୁ କରିଛନ୍ତି କଟାକ୍ଷ । କହିଛନ୍ତି ଯେ ଏବେ କଂଗ୍ରେସ ବୁଡ଼ିବାକୁ ବସିଛି, ପୃଥିବୀର କୌଣସି ଶକ୍ତି ତାକୁ ବଞ୍ଚାଇ ପାରିବ ନାହିଁ ।

ଗ୍ବାଲିଅରରେ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ଆ​‌କ୍ଷେପ କରି ଶିବରାଜ ସିଂହ ଚୌହ୍ବାନ କହିଛନ୍ତି ଯେ କିଛି ଲେକା ସୋନିଆ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିଦେବାକୁ କହୁଛନ୍ତି । କିଛି ଲୋକ ରାହୁଳ ଗାନ୍ଧୀଙ୍କ କଥା କହୁଛନ୍ତି । ହେଲେ କଂଗ୍ରେସ ଏବେ ବୁଡ଼ିବାକୁ ବସିଛି, କେହି ତାକୁ ବଞ୍ଚାଇ ପାରିବେ ନାହିଁ । କଂଗ୍ରେସର ପରମ୍ପରା ବି ବଡ଼ ଅଦ୍ଭୁତ । ନେହେରୁଜୀଙ୍କ ପରେ ଇନ୍ଦିରାଜୀ, ତାଙ୍କ ପରେ ରାଜୀବଜୀ, ତାଙ୍କ ପରେ ସୋନିଆଜୀ, ପୁଣି ରାହୁଳ ଓ ପୁଣି ସୋନିଆଜୀ ଅଧ୍ୟକ୍ଷ ହୋଇଛନ୍ତି । ତାଙ୍କ ଟୋପି ୟାଙ୍କ ମୁଣ୍ଡରେ, ୟାଙ୍କ ଟୋପି ତାଙ୍କ ମୁଣ୍ଡରେ ରଖି କଂଗ୍ରେସ ଚାଲିଛି । ଟୋପି କେବଳ କଂଗ୍ରେସ ପରିବାର ଭିତରେ ଘୂରି ବୁଲୁଛି । କଂଗ୍ରେସର ଦୁର୍ଗତି ସମୟ ଚାଲିଛି, ନେତୃତ୍ବ ଉପରେ ବିଶ୍ବାସ ନାହିଁ । ଯିଏ ନିଜକୁ ଯୁବନେତା କହୁଥିଲେ, ସିଏ ପଦ ଛାଡ଼ି ପଳାଇଛନ୍ତି । ବର୍ତମାନ ନେତୃତ୍ବ ଉପରେ ପ୍ରଶ୍ନ ଉଠଛି ବୋଲି ଶିବରାଜ ସିଂହ କହିଛନ୍ତି ।

ସେ ପୁଣି କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ କିଏ ହେବ ? କମଳନାଥ ନାଥ । ଯୁବ କଂଗ୍ରେସ ନେତା କିଏ ହେବ? ତାଙ୍କ ପୁଅ ନକୁଳ ନାଥ । ଯଦି କିଛି ନ ହେଲା ଦିଗବିଜୟ ସିଂହ କି ତାଙ୍କ ପୁଅ ଜୟବର୍ଦ୍ଧନ । କଂଗ୍ରେସ ପାଖରେ କ’ଣ ଆଉ ନେତା ନାହାନ୍ତି ? ବୋଲି ପ୍ରଶ୍ନ ଉଠାଇବା ସହ ଆମେ ବ୍ୟବସାୟ କରିବାକୁ ରାଜନୀତି କରୁନାହିଁ ବୋଲି ଶିବରାଜ କହିଛନ୍ତି । ଲୋକଙ୍କ ସେବା କରିବା ଆମର ମନ୍ତ୍ର । ମଧ୍ୟପ୍ରଦେଶ ହେଉଛି ମୋର ମନ୍ଦିର, ଏଠାରେ ରହୁଥିବା ଲୋକମାନେ ମୋର ଭଗବାନ ଓ ଶିବରାଜ ସିଂହ ଚୌହ୍ବାନ ହେଉଛି ସେହି ଲୋକମାନଙ୍କ ପୂଜାରୀ ବୋଲି ସେ ମତ ଦେଇଛନ୍ତି।

Comments are closed.