ରାଜସ୍ଥାନ ରାଜନୀତି: ରାହୁଳଙ୍କ ସହ ଆଲୋଚନା ପରେ ଗେହଲଟଙ୍କ ସହ କଥା ହେଲେ ସୋନିଆ

ନୂଆଦିଲ୍ଲୀ: ରାଜସ୍ଥାନରେ ଗତ କିଛି ସପ୍ତାହ ହେଲା ଦେଖା ଦେଇଥିବା ରାଜନୈତିକ ଉତ୍ଥାନ-ପତ୍ତନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ରାଜନୀତି ସ୍ଥିତି । ଆଜି ସକାଳେ ଓ ଅପରାହ୍ନରେ ସଚିନ ପାଇଲଟ୍ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା ପରେ ସୋନିଆ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଏହାପରେ ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଓ ସରକାର ଭାଙ୍ଗିବାର ଭୟ କମିବାରେ ଲାଗିଛି ।

ରାଜସ୍ଥାନର ରାଜନୈତିକ ସଙ୍କଟ କେନ୍ଦ୍ରରେ ଥିବା ବିଦ୍ରୋହୀ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ କିଛି ପରିମାଣରେ ନରମ ପଡ଼ିଛନ୍ତି । ରାହୁଳ ଓ ପ୍ରିୟଙ୍କାଙ୍କ ସହ ଆଲୋଚନା ପରେ ସଚିନ କିଛି ପରିମାଣରେ ନିଜର ବିଦ୍ରୋହୀ ଭୂମିକାରୁ ବିରତ ରହିବା ଆଶା କରାଯାଉଛି । ରାହୁଳ ଓ ପ୍ରିୟଙ୍କା ମଧ୍ୟ ସଚିନଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେଇଛନ୍ତି ଓ ତାଙ୍କର ସମସ୍ୟା ସମାଧାନ କରାଯିବ ବୋଲି ଆଶ୍ଵାସନା ଦେଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି ।

ଏହା ପୂର୍ବରୁ ସଚିନଙ୍କ ଘନିଷ୍ଠ କୁହାଯାଉଥିବା କଂଗ୍ରେସ ନେତା ଭଓଁରଲାଲ ଶର୍ମା ଆଜି ସକାଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଛନ୍ତି । ଦୁଇ ପକ୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସମାଧାନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି ।

ରାହୁଳ-ପ୍ରିୟଙ୍କା-ସଚିନଙ୍କ ମଧ୍ୟରେ ଆଲୋଚନା

ରାଜସ୍ଥାନର ବିଧାନସଭା ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ । ତେଣୁ ଏହାପୂର୍ବରୁ ସଚିନ ପୁଣି ଦଳକୁ ଫେରି ପାରନ୍ତି ବୋଲି ରାହୁଳ-ପ୍ରିୟଙ୍କା-ସଚିନଙ୍କ ବୈଠକରେ ଆପାତତଃ ଆଲୋଚନା ହୋଇଛି । ବିଶେଷତଃ ୩ଟି ପ୍ରସଙ୍ଗ ଉପ​‌ରେ ଏହି ୩ ଯୁବ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ଏବଂ ଏଥିରେ ସମସ୍ତେ ସହମତ ହୋଇଥିବା ସୂଚନା ମିଳିଛି ।

  • ଏହି ଅବସରରେ ରାହୁଳ କୌଣସି ପରିସ୍ଥିତିରେ ମଧ୍ୟ ରାଜସ୍ଥାନ ସରକାର ବଞ୍ଚାଇ ରଖିବାକୁ ସଚିନଙ୍କ ନିକଟରେ ସର୍ତ ରଖିଛ୍ନ୍ତି

  •  ଏହା ସହ ସଚିନଙ୍କୁ ମଧ୍ୟ ତାଙ୍କର ଦାବିଗୁଡ଼ିକର ସମାଧାନ କରାଯିବ ବୋଲି ରାହୁଳ ଆଶ୍ଵାସନା ଦେଇଛନ୍ତି

  • ଏହି ବୈଠକରେ ସଚିନ କହିଛନ୍ତି ଯେ ସେ ଗାନ୍ଧୀ ପରିବାର ବା ଅଶୋକ ଗେହଲଟଙ୍କ ବିରୋଧରେ କେବେ ବି ଅପଶବ୍ଦ କହି ନାହାନ୍ତି, ଯଦିଓ ଗେହଲଟଙ୍କ କାର୍ଯ୍ୟ ପ୍ରଣାଳୀରେ ସେ ଅସୁଖୀ ରହିଛନ୍ତି ।

  • ଦଳୀୟ ସୂତ୍ରରୁ ମିଳିିଥିବା ସୂଚନା ଅନୁସାରେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ହୋଇଛି । ସଚିନ ମୁକ୍ତ ଭାବରେ ନିଜର ପକ୍ଷ ରାହୁଳଙ୍କ ନିକଟରେ ରଖିଛନ୍ତି ଓ ରାହୁଳ ତାହାକୁ ସମାଧାନ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି ।

Comments are closed.