କଂଗ୍ରେସ ଭବନ ଗଣ୍ଡଗୋଳ: ସୁର କହିଲେ ’ପୁରୁଣା ରୋଗ’; ଏଆଇସିିସିକୁ ଦାୟୀ କଲେ ବରିଷ୍ଠ ନେତା

ଭୁବନେଶ୍ବର: କଂଗ୍ରେସ ଆଉ ପିଟାପିଟି ଯେମିତି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ବ । ଏମିତି କେଉଁ ବର୍ଷ ନାହିଁ ଯେଉଁ ବର୍ଷ କଂଗ୍ରେସ ଭବନରେ ଦି’ ଚାରିଥର ଗଣ୍ଡଗୋଳ, ପିଟାପିଟି ନ ହୋଇଛି । ଅବଶ୍ୟ ଅନ୍ୟ ରାଜନୈତିକ ଦଳରେ ଯେ ମତ ପାର୍ଥକ୍ୟ ବା ପିଟାପିଟି ହେଉନାହିଁ ସେ କଥା ନୁହେଁ, ହେଲେ କଂଗ୍ରେସ ଆଉ ପିଟାପିଟି ଯେମିତି ଅଙ୍ଗାଙ୍ଗି ଭାବରେ ଜଡ଼ିତ ।

କଂଗ୍ରେସରେ ପଦ ପଦବୀକୁ ନେଇ ଅନେକ ସମୟରେ ଗଣ୍ଡଗୋଳ ଘଟେ । ଯିଏ ସଭାପତି ହୁଅନ୍ତି ତାହାର ଏପରି ପରିସ୍ଥିତିର ସମ୍ମୁଖୀନ ହେବା ଏକ ସ୍ବାଭାବିକ ପରମ୍ପରା । ସଭାପତି ବଦଳାଇବାକୁ ଦିଲ୍ଲୀରେ ନେତାଏ ମେଳି କରନ୍ତି, ଦିଲ୍ଲୀରେ ଡ଼େରା ପକାନ୍ତି । ନୂଆ ସଭାପତି ଆସିବା କିଛିଦିନ ବିତିବା ପରେ ପୁଣି ତାଙ୍କ ବିରୋଧରେ ମେଳି ହୁଏ ।

କେଇମାସ ତଳେ କଂଗ୍ରେସ ଭବନରେ ବାଉନ୍ସର ପ୍ରସଙ୍ଗ ଜୋର ଧରିଥିଲା । କଂଗ୍ରେସ ଭବନକୁ ବାଉନ୍ସରଙ୍କୁ କିଏ ଆଣିଲା ତାହାକୁ ନେଇ ତୁମ୍ବୀତୋଫାନ ଚାଲିଲା । କମିଟି ଗଠନ ହେଲା, କମିଟିକୁ ଖୁବ୍ ଶୀଘ୍ର ରିପୋର୍ଟ ଦେବାକୁ କୁହାଗଲା । ତା ପରେ କ’ଣ ହେଲା ତାହାର ପତ୍ତା ନାହିଁ ।

ଏବେ ପୁଣି ନୂଆ ଯୁବ କଂଗ୍ରେସ ସଭାପତି ଦାୟିତ୍ବ ନେବାକୁ କଂଗ୍ରେସ ଭବନ ଆସିବା ବେଳକୁ ପୁଣି ପିଟାପିଟି । ଖାଲି ପିଟାପିଟି ହୋଇଥିଲେ ତ କଥା ଛିଡ଼ିଥାଆନ୍ତା, ଢ଼େଲା ପଥର ମାଡ଼ ସାଙ୍ଗକୁ ଖଣ୍ଡା ବୁଲିଲା ବୋଲି କେହି କେହି କହୁଛନ୍ତି । ଫଳରେ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଲା । ଏଥିପାଇଁ କମିଟି ଗଠନ ହେଲା । ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ୬ ବର୍ଷ ଦଳରୁ ନିଲମ୍ବିତ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

କଂଗ୍ରେସ ଗଣ୍ଡଗୋଳ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ହେଁ ଏହାକୁ ନେଇ ରାଜନୈତିକ ସମୀକ୍ଷକମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ରାଜ୍ୟରେ ବିଜେଡ଼ି-ବିଜେପି ମଧ୍ୟରେ ଛାୟାକୁସ୍ତି ସାଙ୍ଗକୁ କେନ୍ଦ୍ର ସହିତ ରାଜ୍ୟ ସରକାରଙ୍କ ମଧୁର ସମ୍ପର୍କ ବିଜେପିର ସ୍ଥିତିକୁ ଦୁର୍ବଳ କରିବାରେ ଲାଗିଛି । ଏପରି ସମୟରେ କଂଗ୍ରେସ ନିଜକୁ ପୁନର୍ବାର ଦ୍ବିତୀୟ ସ୍ଥାନକୁ ଫେରିବାର ସୁଯୋଗର ସଦୁପଯୋଗ କରିବାରେ ବ୍ୟର୍ଥ ହୋଇଛି ବୋଲି ମନେ କରାଯାଉଛି ।

ଦଳରେ ଯେଉଁମାନେ ଗଣ୍ଡଗୋଳ କରୁଛନ୍ତି ସେମାନଙ୍କୁ ୬ ବର୍ଷ ନିଲମ୍ବିତ କରାଯିବ ବୋଲି କହିଛନ୍ତି ସର୍ବଭାରତୀୟ ଯୁବକଂଗ୍ରେସ ସଭାପତି ବି.ଭି.ଶ୍ରୀନିବାସ । ମାତ୍ର ଦଳର ନେତାମାନଙ୍କ ମତ ଏ ନେଇ ଭିନ୍ନ । ଏଆଇସିସି ଦଳୀୟ କର୍ମକର୍ତ୍ତା ନିଯୁକ୍ତି ସମୟରେ ରାଜ୍ୟର ସ୍ଥିତି ଓ ସ୍ଥାନୀୟ ନେତାଙ୍କୁ ବିଶ୍ବାସକୁ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି ମତ ଦେଉଥିବାବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାକୁ ପୁରୁଣା ରୋଗ ବୋଲି କହିଛନ୍ତି ।

ହେଲେ କଂଗ୍ରେସର ଏହି ପୁରୁଣା ରୋଗ କେତେବେଳେ ଆଉ ଉପଶମ ହେବ ତାହା କେହି କହି ପାରୁନାହାନ୍ତି । ରାଜ୍ୟରେ କଂଗ୍ରେସର ଭୋଟ ହାର ଦିନକୁ ଦିନ କମିବାରେ ଲାଗିଛି । ନେତାମାନେ କର୍ମୀଙ୍କ ବିଶ୍ବାସ ଭାଜନ ହୋଇ ପାରୁନାହାନ୍ତି କି ଦଳ ଉପରେ ଭୋଟର ବିଶ୍ବାସ କରିପାରୁନାହାନ୍ତି । ଏପରି ସ୍ଥିତିରେ ଏକଦା ଦୀର୍ଘକାଳ କ୍ଷମତାରେ ଥିବା କଂଗ୍ରେସ ବିରୋଧୀ ଦଳ ପଦ ମଧ୍ୟ ହରାଇ ସାରିଛି । ଗତ ନିର୍ବାଚନରେ ଦଳର ବିଧାନସଭା ସଦସ୍ୟ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି । ପାଟକୁରା ଓ ବିଜେପୁର ଉପ ନିର୍ବାଚନରେ ଦଳର ଶୋଚନୀୟ ପରାଜୟରୁ ଦଳ କିଛି ଶିଖିବା ପରି ମନେ ହେଉନାହିଁ ।

Comments are closed.