ଅଡ଼ୁଆରେ କଂଗ୍ରେସ: ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ହରିଆଣାରେ ବିଦ୍ରୋହର ସ୍ବର

ଚଣ୍ଡୀଗଡ଼: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସମସ୍ୟା କଂଗ୍ରେସ ପାଇଁ ସମସ୍ୟା ଆଣିଛି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତ୍ତନ ଘଟିଛି, ରାଜସ୍ଥାନରେ କଂଗ୍ରେସ ସରକାର ଝୁଲୁଛି । ଅନ୍ୟପକ୍ଷରେ ହରିଆଣାରେ ଯଦିଓ କଂଗ୍ରେସ କ୍ଷମତାରେ ନାହିଁ, ତଥାପି ଏଠାରେ ବିରୋଧୀ କଂଗ୍ରେସ ବିଦ୍ରୋହର ସମ୍ମୁଖୀନ ହେବାକୁ ଯାଉଛି । ରାଜସ୍ଥାନରେ ଚାଲିଥିବା କ୍ଷମତାକନ୍ଦଳ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ପୂର୍ବତନ ସାଂସଦ କୁଲଦୀପ ବିଷ୍ଣୋଇ ଦଳର ବରିଷ୍ଠ ନେତାଙ୍କୁ ନିଶାଣ କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟଙ୍କ ପ୍ରତି ଦଳର ଉଚ୍ଚ ନେତାଙ୍କ ବ୍ୟବହାର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ।

ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନଲାଲଙ୍କ ପୁଅ କୁଲଦୀପ କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ଯେଉଁ ନେତାମାନେ ବିନା ନିର୍ବାଚନ ଲଢ଼ି ୩୦-୩୫ ବର୍ଷ ଧରି କୁର୍ସିରେ ବସି ରହିଛନ୍ତି ସେମାନଙ୍କୁ ଅନ୍ୟ ଦାୟିତ୍ବ ଦେବାକୁ ପ୍ରସ୍ତାବ ରଖିଛନ୍ତି । ସିନ୍ଧିଆଙ୍କ ବିଦାୟ ଓ ସଚିନଙ୍କ ବିଦ୍ରୋହ ଦ୍ବାରା କଂଗ୍ରେସ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି । ହାଇକମାଣ୍ଡ ରାଜ୍ୟଗୁଡ଼ିକରେ ବିଜେପିକୁ ମୁକାବିଲା କରିବା ନିମନ୍ତେ ଲୋକପ୍ରିୟ ନେତାମାନଙ୍କୁ ଆଗକୁ ଆଣିବା ଆବଶ୍ୟକ ବୋଲି କୁଲଦୀପ କହିଛନ୍ତି ।

କୁଲଦୀପ ଏତିକିରେ ଅଟକି ନାହାନ୍ତି । ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଯଦି ଏହି ପ୍ରସଙ୍ଗକୁ ନେି ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ନେଇ କୌଣସି ଗୁଜବ ପ୍ରଚାର କରନ୍ତି ସେଥିପାଇଁ ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ । କୁଲଦୀପ ସୋସିଆଲ ମିଡ଼ିଆରେ ସଚିନ ଓ ସିନ୍ଧିଆଙ୍କ ସହ ତାଙ୍କର ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ତେବେ କୁଲଦୀପ କହିଛନ୍ତି ସେ ଜନ୍ମରୁ କଂଗ୍ରେସୀ ଓ କଂଗ୍ରେସରେ ହିଁ ରହିବେ । ହରିଆଣାରେ ଅସଲ କଂଗ୍ରେସ କହିଲେ ଭଜନଲାଲଙ୍କୁ ବୁଝାଯାଏ । ମାତ୍ର ଯେତେବେଳେ ତାଙ୍କ ନୀତିକୁ ଅଣଦେଖା କରାଯାଇଥିଲା ସେ ହରିଆଣାରେ ଭଜନଲାଲ କଂଗ୍ରେସ ଗଠନ କରିଥିଲେ । ସେତେବେଳେ କେହିକେହି ଭଜନଲାଲ କଂଗ୍ରେସ ବିଜେପି ଓ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରିଥିବା କହୁଥିଲେ । ମାତ୍ର ଏହି ଦୁଇଦଳ ନିକଟକୁ ଭଜନଲାଲ କେବେ ମେଣ୍ଟ କରିବାକୁ ଯାଇ ନ ଥିଲେ, ସେମାନେ ଭଜନଲାଲଙ୍କ ନିକଟକୁ ଆସିଥିଲେ ବୋଲି କୁଲଦୀପ କହିଛନ୍ତି।

ଏବେ ରାହୁଳ ଓ କଂଗ୍ରେସ ମୋର ନେତା ଏବଂ କଂଗ୍ରେସ ଛାଡ଼ିବାର କୌଣସି ସମ୍ଭାବନା ନାହିଁ । ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ଼୍ଡ଼ାଙ୍କୁ  ସେ କେବେ ନିଜର ନେତା ମାନନ୍ତି ନାହିଁ । ତେବେ କଂଗ୍ରେସ ହାଇକମାଣ୍ଡଙ୍କୁ ମୋର ଏକମାତ୍ର ପ୍ରସ୍ତାବ ହେଉଛି ଲୋକପ୍ରିୟ ନେତାମାନଙ୍କୁ ଆଗକୁ ଆଣନ୍ତୁ ବୋଲି କୁଲଦୀପ କହିଛନ୍ତି । ଏହା ସହ ସେ ବିଜେପିକୁ କହିଛନ୍ତି – ହମ୍ ସମୁନ୍ଦର ହୈ, ହମେ ଖାମୋଶ ରହନେ ଦୋ; ଜରା ମଚଲ ଗଏ ତୋ ସହର ଲେ ଡ଼ୁବେଙ୍ଗେ । ବିଜେପିକୁ ଯିବାର କୌଣସି ପ୍ରସ୍ତାବ ନାହିଁ, ତେବେ ମୁଁ ମୋର ପୁରୁଣା କଥାରେ ଏବେ ବି କାଏମ ରହିଛି । ସିନ୍ଧିଆ ଓ ପାଇଲଟ୍ ମୋର ବହୁତ ଭଲ ବନ୍ଧୁ । ସେମାନେ ବହୁତ ଭଲନେତା । ସେମାନଙ୍କ ଦଳ ଛାଡ଼ିବା ଦ୍ବାରା କଂଗ୍ରେସର ବହୁତ କ୍ଷତି ହୋଇଛି, ଏହାଦ୍ବାରା ଦଳର କର୍ମୀମାନେ ଦୁଃଖୀ ହୋଇଛନ୍ତି ବୋଲି କୁଲଦୀପ କହିଛନ୍ତି ।

Comments are closed.