ପରୀ ଅପହରଣ ଓ ମୃତ୍ୟୁ ଘଟଣା: ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର: ଗତ ଜୁଲାଇ ମାସ ୧୪ ତାରିଖ ଦିନ ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ନାବାଳିକା କନ୍ୟା ପରୀର ଅପହରଣ ସଂପର୍କରେ ପରିବାର ପକ୍ଷରୁ ନୟାଗଡ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ଠିକ୍‍ ୭ ଦିନ ପରେ ସେହି ଗାଁର ତାଙ୍କ ଘର ନିକଟରେ ଥିବା ଏକ ପୋଖରୀରୁ ଅଖାରେ ବନ୍ଧା ହୋଇଥିବା ନାବାଳିକା କନ୍ୟା ପରୀର ଗଳିତ ଶବ ପୋଲିସ ଉଦ୍ଧାର କରିଥିଲା ଏବଂ ଘଟଣା ଘଟିକା ଆଜକୁ ପାଖାପାଖି ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ବିଧାୟକ ବିପିନ୍‍ ଦାସଙ୍କ ନେତୃତ୍ୱରେ ଏକ ୬ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏକ ଲିଖିତ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ଅଭିଯୋଗ ପାଇବା ପରେ ଯଦି ନୟାଗଡ ସଦର ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା, ହୁଏତ ନାବାଳିକା କନ୍ୟାର ଜୀବନଟି ବଂଚି ପାରିଥାନ୍ତା। ତାହା ତ ପୋଲିସ କଲା ନାହିଁ, କିନ୍ତୁ ମରିବାର ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ନିଷ୍କ୍ରିୟତା ସରକାରୀ ଦଳର ରାଜନୈତିକ ସଂପୃକ୍ତିର ସୂଚନା ଦେଉଛି ବୋଲି ଅଭିଯୋଗ କରିବା ସହିତ ଏଥିରେ ପୋଲିସ ମହାନିର୍ଦ୍ଦେଶକ ଏବଂ ଗୃହ ସଚିବ ତୁରନ୍ତ ଜବାବ ରଖିବା ସହିତ ପରିବାରବର୍ଗଙ୍କୁ ସୁରକ୍ଷା ଓ କ୍ଷତିପୂରଣ ଦେବା ପାଇଁ ପ୍ରାର୍ଥନା କରାଯାଇଅଛି।
ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଶତପଥି, ସପନ କୁମାର ପାଳ, ବିନ୍ଦୁଜା ଉପାଧ୍ୟାୟ, ମାହିପର୍‍ ନିଖତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.