ନବରଙ୍ଗପୁର ଧାନ ମଣ୍ଡିରେ ୧୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ରାକେଟରେ ରାଜସ୍ୱବିଭାଗ, ଲ୍ୟାମ୍ପ୍ସ,ଆରଏମ୍‍ସି, ବ୍ୟାଙ୍କ ଓ  ଯୋଗାଣବିଭାଗର କର୍ମଚାରୀ ସଂପୃକ୍ତ, -୧୫ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଚାଷୀ ଆନ୍ଦୋଳନ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ମଣ୍ଡିରେ ଧାନ କିଣାରେ ପାୟ ୧୫୦ କୋଟି ଟଙ୍କାର ଦୁର୍ନୀତି କରାଯାଇଥିବାବେଳେ ଏଠାରେ ପ୍ରାୟ ୫ଟି ବିଭାଗ ସଂପୃକ୍ତ ରହିଥିବା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି। ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଦୁର୍ନୀତି ସଂପର୍କରେ ସବିଶେଷ ତଥ୍ୟ ଦିଆଯାଇଥିଲା। ଏଥିରେ ପ୍ରଦେଶ କଂଗ୍ରେସ କମିଟିସ ସଭାପତି ତଥାପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗଦେଇ ନବରଙ୍ଗପୁର ଜିଲାରେ କୋଟକୋଟି ଟଙ୍କାର ପାଇଖାନା ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ଏବେ ମଣ୍ଡିରେ ଧାନ କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଥିବା ଜଣାପଡିଥିବା କହିଥିଲେ। ବୈଷୟିକ ଜ୍ଞାନ ଯେତେ ବ୍ୟବହାର ହେଉଛି ଦୁର୍ନୀତି ସେତେ ଅଧିକ ବଢୁଥିବା ଜଣାପଡିଛି ବୋଲି ସେ କହିଥିଲେ। ଡିବିଟି, ଏଟିଏମ, ଅନଲାଇନ, ଆଇସ୍କାନ, ଜିଓଟ୍ୟାଗ, ଆଧାରଲିଙ୍କ ସବୁ କାର୍ଯ୍ୟକାରୀ କରାଯାଉଥିବାବେଳେ ଏଥିରେ ମଧ୍ୟ ଗଫଲତି କରି ଜିଲାର ଧାନ କିଣା ନାଁରେ କୋଟିକୋଟି ଟଙ୍କା ଆତ୍ମସାତ କରାଯାଇଥିବା କହିଥିଲେ। ପ୍ରାଥମିକ ଭାବେ ଜିଲାର ଚନ୍ଦାହାଣ୍ଡି, ଝରିଗାଁ ଓ ଉମରକୋଟ ବ୍ଲକ ଅଞ୍ଚଳର ସରକାରୀ ଧାନ ମଣ୍ଡିରେ ମିଥ୍ୟ ଚାଷୀ ଙ୍କର ନାମରେ ମିଥ୍ୟା ଧାନ ବିକ୍ରି କରିଥିବା ଦର୍ଶାଇ ମିଥ୍ୟା ଆକାଉଣ୍ଟ ମାଧ୍ୟମରେ ମିଥ୍ୟା ଏଟିଏମରେ ଟଙ୍କା ଉଠାଣ କରିବା ଭଳି ଗମ୍ଭୀର ମାମଲା ଅନୁସନ୍ଧାନରୁଜଣାପଡିଥିବା କହି ଗଭୀର ଉଦ୍‍ବେଗ ପ୍ରକାଶ କରିଥିଲେ। ଜିଲାରେ ପ୍ରକୃତ ଚାଷୀ ଧାନ ବିକ୍ରି କରୁନଥିବାବେଳେ ମିଥ୍ୟା ଚାଷୀ ନାଁରେ ଧାନ ବିକ୍ରି କରଥିବା ଦର୍ଶାଇ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି। ଏହି ରାକେଟରେ ରାଜସ୍ୱବିଭାଗ, ଲ୍ୟାମ୍ପ୍ସ,ଆରଏମ୍‍ସି, ବ୍ୟାଙ୍କ ଓ ଯୋଗାଣବିଭାଗର କର୍ମଚାରୀମାନେ ସଂପୃକ୍ତ ରହିଛନ୍ତି। ମାଲିକ ମାନଙ୍କର ସଲାସୁତରା ରେ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ କରିଥିଲେ। ଆସନ୍ତା ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜିଲାବ୍ୟାପୀ ଚାଷୀ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଜିଲାରେ ଅଧିକାଂଶ  ପ୍ରକୃତ ଚାଷୀଙ୍କର ନାମ ପଞ୍ଜିକରଣ କରାଯାଇନାହିଁ। ଅନ୍ୟର ଜମି ପଟ୍ଟାରେ ମିଥ୍ୟା ଚାଷୀମାନେ ନାମ ପଞ୍ଜିକରଣ କରିଛନ୍ତି। ଏହାକୁ  ରାଜସ୍ୱନୀରିକ୍ଷକ ମାନେ ସାର୍ଟିଫାଇ କରିଛନ୍ତି। ମିଥ୍ୟା ଆଧାର ଲିଙ୍କ କରାଯାଇଛି। ବ୍ୟାଙ୍କରେ ମିଥ୍ୟା ଚାଷୀମାନେ ଆକାଉଣ୍ଟ ଖୋଲିବା ପରେ ଏଟିଏମ ଦିଆଯାଇଛି। ମିଥ୍ୟା ଚାଷୀ ମଣ୍ଡିରେ ପ୍ରକୃତ ଚାଷୀ ଦର୍ଶାଇ ଧାନ ବିକ୍ରି କରିଥିବା ପରେ ବ୍ୟାଙ୍କର ଏଟିଏମ ମାଧ୍ୟମରେ ଟଙ୍କା ଉଠାଯାଉଥିବା କହିଥିଲେ। କେତେକ ସ୍ଥାନରେ ମିଥ୍ୟା ଉତ୍ତରାଧୀକାରୀ ଦର୍ଶାଇ ଧାନ ବିକ୍ରି କରାଯାଇଛି। ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି। ଚନ୍ଦାହାଣ୍ଡିବ୍ଲକର ୪ଟି ମଣ୍ଡିରେ ଏଭଳି ବହୁ ଦୁର୍ନୀତି କରାଯାଇଛି। ଏହି ବ୍ଳକରେ ବ୍ୟାଙ୍କ ଅଫ୍‍ ବରୋଦା, ଦୁଇଟି ଆଞ୍ଚଳିକ ଓ ପଞ୍ଚବଟୀ ଗ୍ରାମ୍ୟ ବ୍ୟାଙ୍କ ରହିଛି। ତେବେ ଏଠିକାର ଚାଷୀ ନାମରେ ମିଥ୍ୟା ଆକାଉଣ୍ଟ ଉମରକୋଟର ସୁନାବେଡାରେ ସ୍ଥିତ ଆକ୍ସିସ ବ୍ୟାଙ୍କରେ ଖୋଲାଯାଇ ସେଠାରୁ ଏଟିଏମ୍‌ରେ ଏହି ନକଲି ଚାଷୀମାନେ ଧାନ ବିକ୍ରି କରି ଟଙ୍କା ଉଠାଣ କରିଥିବା ଜଣାପଡିଥିବା କହିଥିଲେ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚନ୍ଦାହାଣ୍ଡି ବ୍ଳକର ୪ଟି ମଣ୍ଡିରେ ୧୮,୫୦୦ କ୍ୟୁଣ୍ଟାଲ ଧାନ ମଣ୍ଡିକୁ ଆସିଛି। କିନ୍ତୁ ଧାନ ବିକ୍ରି କରାଯାଇ ଟଙ୍କା ହଡପ କରାଯାଇଛି। ଏହି ବ୍ଲକର ୯୪ ଜଣ ଚାଷୀଙ୍କର ନାମରେ ଅନ୍ୟ ନକଲି ଚାଷୀ ଧାନ ବିକ୍ରି କରିଥିବାବେଳେ ୯୪ ଲକ୍ଷ ଟଙ୍କା ହଡପ କରି ଚୋରି କରାଯାଇଥିବା କହିଥିଲେ। ଏହି ପ୍ରକୃତଚାଷୀମାନେ ଧାନ ବିକ୍ରି କରିନଥିଲେ ମଧ୍ୟ ତାଙ୍କର ନାମରେ ଧାନ ବିକ୍ରି କରାଯାଇଥିବା ଜାଣିବାକୁ ମିଳିଛି। ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଛି। ଜିଲାରେ ମୋଟ ୧,୩୭,୭୭୫ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବାବେଳେ ମଣ୍ଡି ମାଧ୍ୟମରେ ପ୍ରାୟ ୩୩୭ କୋଟି ଟଙ୍କାର ଧାନ କିଣାଯାଇଛି। ତେବେ ମାତ୍ର ୫୦ ପ୍ରତିଶତ ପ୍ରକୃତଚାଷୀ ଧାନ ବିକ୍ରି କରିପାରିଥିବାବେଳେ ବଳକା ୫୦ ଭାଗ ଚାଷୀ ବିକ୍ରି କରି ପାରିନାହାନ୍ତି। ତେବେ ଅଧିକାଂଶ ନକଲି ଚାଷୀ ଧାନ ବିକ୍ରି କରି ବ୍ୟାପକ ଟଙ୍କା ଲୁଟି ନେଇଥିବା କହିଥିଲେ। ଏବେ ଟାର୍ଗେଟ ସରିଯାଇଥିବାରୁ ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣାଯାଉ ନାହିଁ।  ଗତ ବର୍ଷ ଉମରକୋଟ ର ଜଣେ ମିଲ୍ ମାଲିକର ଖଲାସି ଙ୍କର ନାଁରେ ୧କୋଟି ୪୭ ଲକ୍ଷ ୮୨୦୫୭ ଟଙ୍କା ଜମା କରାଯାଇଥିଲା। ଏହା ଜାଣିବା ପରେ ମଧ୍ୟ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ଚଳିତବର୍ଷ ଏହାର ପୁନରାବୃତ୍ତି ଘଟିଥିବାରୁ ଏଥିପାଇଁ ଜିଲା ପ୍ରଶାସନେକୁ ସେ ଦାୟୀ କରିଛନ୍ତି। ତେବେ ଚାଷୀଙ୍କର ଟଙ୍କାକୁ ଲୁଟିଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କର ହାତରେ ହାତକଡି ନ ଲାଗିଲେ କଂଗ୍ରେସ ଚୁପ୍‍ ହୋଇ ବସିବ ନାହିଁ। ଜିଲାରେ ନିଆଁ ଲାଗିବ ବୋଲି ଚେତାବନୀ  ଦେଇଛନ୍ତି। ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଜିଲା ଚାଷୀମାନେ ମଣ୍ଡିରେ ଧାନ ଗଦାକରି ହନ୍ତସନ୍ତ ହେଉଛନ୍ତି। ୭୦ଟି ଧାନ ମଣ୍ଡିରୁ ଉଠିଛି। ତେବେ ପ୍ରକୃତ ଚାଷୀଙ୍କର ଠାରୁ ମଣ୍ଡିରୁ ଧାନ ଉଠାଇବାକୁ ଦାବି କରିଛନ୍ତି। କୋଇଲିମୁଣ୍ଡା ମଣ୍ଡିରେ ସବୁଠାରୁ  ଅଧିକ ଦୁର୍ନୀତି ହୋଇଛି।  ମିଲ୍‌ର ମାନେ ଆତ୍ମସାତ କରିଥିବା ଅଭିଯୋଗ କରିଥିଲେ। ପୂର୍ବତନ ପିସିସି ସଙ୍ଗଠନ ସମ୍ପାଦକ ସରୋଜ କୁମାର ପାତ୍ର ଜିଲାର ପ୍ରକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବାବେଳେ ନକଲି ଚାଷୀ ଧାନ ବିକ୍ରି କରୁଛନ୍ତି। ଯେଉଠିଁ ସରକାରୀ କର୍ମଚାରୀମାନେ ସଂପୃକ୍ତ ରହିଛନ୍ତି। ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବାକୁ ଦାବି କରିଥିଲେ। ଚନ୍ଦାହାଣ୍ଡିବ୍ଳକ ଅନ୍ତର୍ଗତ ଧରାକୋଟର ଚାଷୀ ଗିରିଧାରୀ ଗୋହିର, ମାଲପଡାର ତିଲକ ସିଂ, ମାଲପଡାର ମାନସିଂ ରାଉତ ପ୍ରମୁଖ ବହୁଚାଷୀ ସେମାନଙ୍କର ନାମରେ କିଭଳି ଧାନବିକ୍ରି କରାଯାଇଥବା ଦର୍ଶାଇ ଟଙ୍କା ଲୁଟ୍‍ କରାଯାଇଛି ତାହା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କମଧ୍ୟରେ କୃଷକ ନେତା ବୃନ୍ଦାବନ ତ୍ରିପାଠୀ, ନଗର ସଭାପତି ଉତ୍ତମ ତ୍ରିପାଠୀ,ବରିଷ୍ଠ ନେତା ବାସୁଦେବ ପଟ୍ଟନାୟକ, ଚନ୍ଦ୍ର ମଲ୍ଲିକ, ସଞ୍ଜୟ ନାୟକ, ଭୂବନ ବିଷୋୟୀ, ଇଶ୍ୱର ମିର୍ଗାନ, ପ୍ରଫୁଲ ପଣ୍ଡା, ଶିବପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.