ରଥଯାତ୍ରା ନେଇ ଗଜପତି ମହାରାଜଙ୍କ ଖୁଲାସା ପରେ ଆଇନମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର : ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥଲେ ।ଏପରିକି ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଧିଷ୍ଟ ଘରୋଇ ସେଚ୍ଛାସେବୀ ସଂସ୍ଥା ସହ ଭିତିରିଆ ଫିକ୍ସିଂ କରିଥିଲେ ।ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ବିସ୍ପୋରକ ବୟାନ ଏହି ଅଭିଯୋଗକୁ ପ୍ରମାଣ କରିଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ପ୍ରକାଶ କରିଛନ୍ତ ।ସତ୍ୟପ୍ରକାଶ ନାୟକ କହିଛନ୍ତି କି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଗଜପତି ମହାରାଜ ସ୍ପଷ୍ଟ ଭାବେ କହିଛନ୍ତି କି ରାଜ୍ୟସରକାର ସୁପ୍ରିମକୋର୍ଟ ରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗର କଥା କହିନଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ପିଟିସନକାରୀ ଘରୋଇ ସେଚ୍ଛାସେବୀଙ୍କ ଓକିଲଙ୍କ କଥା କହିଥିଲେ।ଯାହାକି ସମସ୍ତଙ୍କୁ ହତବାକ କରିଦେଇଥିଲା ବୋଲି ଗଜପତି କହିଛନ୍ତି ।ଏଥିରୁ ସ୍ପଷ୍ଟ ଯେ କୋଟି କୋଟି ଓଡ଼ିଆ ଓ ଶ୍ରୀ ଜଗନ୍ନାଥପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର ।ଗଜପତି ମହାରାଜ କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି ସିଏ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ । ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନିଯାୟୀ ତାଙ୍କର ନିଷ୍ପତ୍ତି ଚୂଡାନ୍ତ ଅଥଚ ରାଜ୍ୟ ସରକାର ତାଙ୍କ ତିନି ତିନିଟା ଚିଠିର ଉତ୍ତର ମଧ୍ୟ ଦେଇନାହାନ୍ତି।

ଏ ଘଟଣାରୁ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଓ ଆଇନ ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରରେ ।ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା ।ତେଣୁ ପ୍ରତପକ୍ଷ ଓକିଲଙ୍କ ଯୁକ୍ତି ସହ ଓଡିଶା ସରକାରଙ୍କ ଓକିଲ ହରିଷ ସାଲଭେ ଯେଭଳି ଭାବରେ ହଁ ରେ ହଁ ମାରିଲେ ,ଏ ବାବଦରେ ହରିଷ ସାଲଭେଙ୍କୁ କିଏ ବ୍ରିଫିଙ୍ଗ କରିଥିଲେ ? ଏବଂ ଆଡଭୋକେଟ ଜେନେରାଲ ମହୋଦୟ କାହାପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ।

ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ଦାଇତ୍ୱ ଛାଡିବା ପରେ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ଚୁପ ବସି ପଡିବା ପାଇଁ ବୋଲି ଉତ୍ତର କଂଗ୍ରେସ ଚାହୁଁଛି ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି ।କଂଗ୍ରେସ ପ୍ରଥମରୁ କହିଆସୁଥିଲା ରଥଯାତ୍ରା ହେଉ ବୋଲି,ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ ।ପୁରୀ ଜିଲ୍ଲା ଯୁବକଂଗ୍ରେସ ର ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ ବିଶ୍ୱନାଥ ଦାଶ ହାଇକୋର୍ଟ ରୁ ସୁପ୍ରିମକୋର୍ଟଙ୍କ ଶେଷ ଶୁଣାଣି ପର୍ଯ୍ୟନ୍ତ ଯାଇଥିଲେ ।ତେଣୁ ପ୍ରଦେଶ କଂଗ୍ରେସ ଦାବି କରୁଛି ଯେ ଯଦି ନବୀନ ପଟ୍ଟନାୟକଙ୍କ ସରକାର ମିଳିତଭାବେ ଏହି ଷଡଯନ୍ତ୍ର ରଚି ନାହାନ୍ତି ତେବେ ଆଡଭୋକେଟ ଜେନେରାଲଙ୍କୁ ବହିଷ୍କାର କରନ୍ତୁ ଏବଂ ଆଇନମନ୍ତ୍ରୀ ଙ୍କୁ ତୁରନ୍ତ ପଦବୀରୁ ହଟାନ୍ତୁ ।