ଅଭିଯୁକ୍ତ ଓ ସୁରକ୍ଷାଦାତାଙ୍କ ମିଛଧରା ପରୀକ୍ଷା ହେଲେ ମମିତା ହତ୍ୟାର ପ୍ରମାଣ ମିଳିବ : କଂଗ୍ରେସ

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡ ଘଟଣାରେ ବିରୋଧୀଙ୍କୁ ପ୍ରମାଣ ମଗାଯାଉଛି। ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଓ ତାଙ୍କର ସହଯୋଗୀ, ଉଭୟ ଜିଲାର ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ମହାନିରୀକ୍ଷକଙ୍କ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ମିଛଧରା (ପଲିଗ୍ରାଫ) ପରୀକ୍ଷା କରାଯାଉ । ଏମାନଙ୍କ ଟେଲିଫୋନର ବାର୍ତ୍ତାଳାପର ତଦନ୍ତ ଓ ମିଛଧରା ପରୀକ୍ଷା କରାଗଲେ ଅନେକ ତଥ୍ୟ ପ୍ରମାଣ ଲୋକଲୋଚନକୁ ଆସିବ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ପରୀହତ୍ୟା ଘଟଣାରେ ଏସ୍‌ଆଇଟି ଯାଞ୍ଚ ବେଳେ ତଦନ୍ତ ମୁଖ୍ୟ ଅରୁଣ ବୋଥ୍ରାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ କ୍ଲିପିଙ୍ଗ ଦେଖାଇ କହିଲେ ଯେ, ଯଦୁପୁରର ସବୁ ଲୋକ ଯାଞ୍ଚ ବେଳେ ସ୍ୱେଚ୍ଛାକୃତ ଭାବେ ସାମିଲ ହେଉଥିଲେ ଓ ମିଛଧରା ପରୀକ୍ଷାରେ ରାଜି ହେଉଥିଲେ। କେବଳ ଅଭିଯୁକ୍ତ ସରୋଜ ତାଙ୍କ ପରିବାର ତଦନ୍ତ ବେଳେ ସହଯୋଗ କରୁ ନ ଥିଲେ। ଚିଟଫଣ୍ଡ ତଦନ୍ତ ବେଳେ ନବୀନ ନିବାସର କର୍ମଚାରୀ ସରୋଜର ମଧ୍ୟ ବ୍ୟବହାର ସେମିତି ଥିଲା। ଅପରାଧ ନିୟନ୍ତ୍ରଣ ଶାଖାର ତଦନ୍ତ ଶିଥିଳ ହୋଇଛି, ନବୀନ ନିବାସର କର୍ମଚାରୀ ସରୋଜ ଓ ଯଦୁପୁର ସରୋଜର ବ୍ୟବହାର, ଅତିରିକ୍ତ ପ୍ରତିକ୍ରିୟା ଓ ନିଖୁଣ ଅଭିନୟ ବର୍ତ୍ତମାନ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ଏବଂ ବିଜେଡି ସଂଗଠନ ସମ୍ପାଦକଙ୍କ ସମାନତା ରହିଛି ବୋଲି କଂଗ୍ରେସ କହିଛି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂଗଠନିକ ସମ୍ପାଦକ ପୁଲିସ ଓ ପ୍ରଶାସନକୁ ନେଇ କଳାହାଣ୍ଡିର କୋଣ ଅନୁକୋଣ ବୁଲିଛନ୍ତି। ଏମାନେ ତଥ୍ୟ ଓ ପ୍ରମାଣ ନଷ୍ଟ କରିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.