ଜୁନ ୨୩ରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଜୁନ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ। ଏ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜୁନ ୨୩ରେ ନିର୍ବାଚନ ନେଇ ନିଷ୍ପତ୍ତି ହୋଇଛି।

ବୈଠକରେ ଦେଶରେ କରୋନା ମହାମାରୀର ପ୍ରକୋପକୁ ନେଇ ଆଲୋଚନା ହୋଇଥିଲା। ଏହାବ୍ୟତୀତ ନିକଟରେ ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ନକାରାତ୍ମକ ପ୍ରଦର୍ଶନକୁ ନେଇ ମଧ୍ୟ ବିଚାରବିମର୍ଶ କରାଯିବା ସହ ଆଗାମୀ ରଣନୀତି ସ୍ଥିର ହୋଇଥିଲା।

ସୋନିଆ ବୈଠକରେ କହିଥିଲେ, ଗତ ୪ ସପ୍ତାହରେ କରୋନା ଭୂତାଣୁର ସ୍ଥିତି ଅତ୍ୟନ୍ତ ଭୟାବହ ହୋଇଛି। ଶାସନ ବ୍ୟବସ୍ଥାରେ ବିଫଳତା ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବୈଜ୍ଞାନିକମାନଙ୍କ ପରାମର୍ଶକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଗଲା। ଦେଶ ଏବେ ମୋଦୀ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିର ବହୁମୂଲ୍ୟ ଦେଉଛି ବୋଲି ସେ କହିଥିଲେ।

ସୋନିଆ ଆହୁରି କହିଥିଲେ ଯେ, ଅନ୍ତର୍ଜାତୀୟ ସ୍ତରରେ ବହୁ ଦେଶ ଆମକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କଂଗ୍ରେସ ତରଫରୁ ସେ ସମସ୍ତ ଦେଶ ଏବଂ ସଂଗଠନଗୁଡ଼ିକୁ ଧନ୍ୟବାଦ ଜଣାଉଛନ୍ତି। ଖୁବଶୀଘ୍ର ଆଉ ଏକ ରିପୋର୍ଟ ସହିତ ବୈଠକ ବସିବ ବୋଲି ସେ କହିଥିଲେ।

Comments are closed.