ଚାଷୀ ରମାକାନ୍ତ ଆତ୍ମହତ୍ୟା ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି: କଂଗ୍ରେସ

ଭୁବନେଶ୍ୱର; ଚଳିତ ମହା ପ୍ରଳୟଙ୍କରୀ ବନ୍ୟା ଚାଷୀର ଝାଳବୁହା ପରିଶ୍ରମ ପାଣିରେ ଭାଷିଯାଇଛି । ଅମଳର କାଣିଚାଏ ଆଶା ନପାଇବା କାରଣରୁ ବାଧ୍ୟହୋଇ ଋଣ ବୋଝ ତଥା ହାତ ଉଧାରି ସୁଝି ନପାରି ମାନସିକ ଚାପଗ୍ରସ୍ତ ହୋଇ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବରପଦା ଗ୍ରାମପଞ୍ଚୟତ ଅଧିନସ୍ଥ ୭ ନମ୍ବର ୱାର୍ଡର ଦଳିତ ଚାଷୀ ରମାକାନ୍ତ ମଳିକ ଆତ୍ମହତ୍ୟା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଗତ ୧୦ତାରିଖ ଦିନ ଅପରାହ୍ନରେ ନିଜ କ୍ଷେତ ନିକଟସ୍ଥ ବରଗଛରେ ରଶି ଲଗାଇ ରମାକାନ୍ତ ଆତ୍ମହତ୍ୟା କରିବା ପ୍ରସଙ୍ଗ ରାଜ୍ୟରେ ଚାଷୀକୂଳ ପାଇଁ ମିଥ୍ୟା, ସୁନେଲି ସ୍ୱପ୍ନ ଦେଖାଉଥିବା ସରକାରଙ୍କ ଅସଲ ସ୍ୱରୁପ ପଦାରେ ପଡ଼ିଛି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କ ଘର ଠାରୁ ମାତ୍ର ୩ କିଲୋମିଟର ଦୂରରେ ସ୍ୱର୍ଗତ ରମାକାନ୍ତଙ୍କ ଘର ହୋଇଥିଲେ ବି ଏଯାବତ୍ ଶ୍ରୀମତୀ ମଲିକ ତାଙ୍କ ଘରେ ନ ପହଞ୍ଚିବା କିମ୍ବା ଶାସକ ଦଳର ମନ୍ତ୍ରୀ, ଯାଜପୁର ଲୋକସଭା ସାଂସଦ ଓ ଅନ୍ୟାନ୍ୟ ବିଧାୟକମାନେ ସାମାନ୍ୟତମ ସମବେଦନା ନଜଣାଇବା ସମଗ୍ର ଚାଷୀକୂଳ ପ୍ରତି ଚରମ ଉପହାସ ବୋଲି କଂଗ୍ରେସ କହିଛି। ସ୍ୱର୍ଗତ ରମାକାନ୍ତ ନିଜସ୍ୱ ୨୦ – ୨୨ ଗୁଣ୍ଠ ଜମିରେ ଚାଷ କରିବା ସହ ଅନ୍ୟ ଲୋକର ପାଖାପାଖି ୪ ଏକର ଜମି ଭାଗଚାଷ କରି ଗାଁରୁ ଅନ୍ୟୁନ ୫୦ ହଜାର ଟଙ୍କା ଧାର କରିବା ସହ ନିଜର ଗାଈ ଓ ସ୍ତ୍ରୀର ସୁନା ଜିନିଷ ବିକ୍ରିକରି ବହୁ ପରିଶ୍ରମ କରି ଅଧିକ ଅମଳ ଆଶା ରଖିଥିଲେ । ସମସ୍ତ ସ୍ୱପ୍ନକୁ ବନ୍ୟା ଧୋଇଦେଇଥିବା ବେଳେ ଏ ଯାବତ୍ ବ୍ଲକ, ଜିଲା ଓ ରାଜ୍ୟ ପ୍ରଶାସନର କୌଣସି ଅଧିକାରୀ ତାଙ୍କ ପରିବାର ନିକଟରେ ନ ପହଞ୍ଚିବା ସରକାରଙ୍କର ଅସଲ ଆଭିମୁଖ୍ୟ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ଏପରି ଏକ ସ୍ପର୍ଶକାତର ଘଟଣାରେ ସରକାରଙ୍କ ଉଦାସୀନତାକୁ ନେଇ ଅବିଳମ୍ବେ କଂଗ୍ରେସର ୨୦୧୯ ଇସ୍ତାହାରରେ ଉଲ୍ଲେଖ ଥିବା ନ୍ୟାୟ ଯୋଜନାକୁ ରାଜ୍ୟରେ ଲାଗୁ କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ମନୋରଞ୍ଜନ ଦାସ, ପିସିସିର ପ୍ରାକ୍ତନ ମୁଖପାତ୍ର ପଦ୍ମାକର ଗୁରୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ସେପ୍ଟେମ୍ବର ୧୧ ରେ ସ୍ୱର୍ଗତ ରମାକାନ୍ତଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି. ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ନିରବତାକୁ ପରିତ୍ୟାଗ କରି ଅବିଳମ୍ବେ ସ୍ୱର୍ଗତ ରମାକାନ୍ତଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀ ଖୁଣ୍ଟିଆ ଓ ମାଝୀ ଦାବି କରିଛନ୍ତି।

Comments are closed.