ରାଜ୍ୟର ଆର୍ଥିକ ସ୍ଥିତି ନେଇ ସରକାରଙ୍କଠାରୁ ଶ୍ବେତପତ୍ର ଦାବି କଲା କଂଗ୍ରେସ

ପୂର୍ବତନ ଅର୍ଥମନ୍ତ୍ରୀ ସରକାରଙ୍କୁ ମାଗିଲେ ୧୦ ପ୍ରଶ୍ନର ଉତ୍ତର

ଭୁବନେଶ୍ବର: କରୋନା ରାଜ୍ୟରେ ସୃଷ୍ଟି କରିଛି ଆର୍ଥିକ ସଙ୍କଟ । ରାଜସ୍ବ ଆଦାୟ ହ୍ରାସ ସହ ବ୍ୟୟଭାର ବୃଦ୍ଧି ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ତେବେ ବାସ୍ତବରେ ସତ କ’ଣ ଓ ବର୍ତମାନର ନିଅଣ୍ଟିଆ ପରିସ୍ଥିତି କାହିଁକି ସୃଷ୍ଟି ହୋଇଛି ସେ ସମ୍ପର୍କରେ ସରକାରଙ୍କଠାରୁ ଜବାବ ମାଗିଛି କଂଗ୍ରେସ । ଦୀର୍ଘଦିନ କ୍ଷମତାରେ ରହିବା ସତ୍ତ୍ବେ ନିଜର ଅସଫଳତା ଓ ଅପାରଗତାକୁ ଲୁଚେଇବା ପାଇଁ ସରକାର ଏପରି ନାଟକ କରୁଛନ୍ତି ଏବଂ ଶ୍ବେତପତ୍ରରେ କଂଗ୍ରେସ ପଚାରିଥିବା ୧୦ ପ୍ରଶ୍ନର ଉତ୍ତର ଦେବାକୁ ଆହ୍ବାନ ଦେଇଛନ୍ତି । ବିଭିନ୍ନ ବୈଷୟିକ ପ୍ରସଙ୍ଗ ଉଠାଇ କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ ସରକାରଙ୍କୁ ପ୍ରଶ୍ନ ଓ ସନ୍ଦେହର କାଠଗଡ଼ାରେ ଠିଆ କରାଇଛନ୍ତି । କେବଳ ସେତିକି ନୁହେଁ ଅର୍ଥନୀତି ବିଶାରଦ ଓ ସର୍ବଦଳୀୟ ବୈଠକ ଡ଼ାକିବାକୁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି ।

ଗଣମାଧ୍ୟମକୁ ଶ୍ରୀ କାନୁନଗୋ କହିଛନ୍ତି ଯେ ଗତ ଜୁଲାଇ ୨୨ ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳ(କ୍ୟାବିନେଟ୍‌) ବୈଠକ ବସିଥିଲା ଓ ରାଜ୍ୟରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବା ସରକାର କହିଥିଲେ ।  ରାଜ୍ୟର ନିଜସ୍ୱ ଆୟ ବୃଦ୍ଧିରେ ବାଧା ହେତୁ ଖର୍ଚ୍ଚକାଟ ସହିତ ପୂର୍ବଘୋଷିତ ବଜେଟ୍ ଅଟକଳ ୨୦୨୦-୨୧ରେ ପରିବର୍ତ୍ତନ ଏବଂ ବଜାରରୁ ଋଣ ଉଠାଇବା ନିଷ୍ପତ୍ତି ନିଆଯାଇଥିଲା । ଏହା ପୂର୍ବରୁ  ନୂତନ ନିଯୁକ୍ତି ବନ୍ଦ ଓ ପାଞ୍ଚବର୍ଷ ଧରି ଖାଲି ପଡ଼ିଥିବା ପଦବୀ ଉଚ୍ଛେଦ ସୂଚନା ମିଳିଥିଲା । ଏହିସବୁ ଦୁଃସ୍ଥିତି ଓ ସଙ୍କଟ ପାଇଁ କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌କୁ ସରକାରୀ ମୁଖପାତ୍ର ଦାୟୀ କରିଥିବା ଦେଖାଯାଇଥିଲା ।
ଏକଥା ସତ୍ୟ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସରେ (ଏପ୍ରିଲ୍ ରୁ ଜୁଲାଇ) ରାଜ୍ୟ ଆୟ ବହୁପାରିମାଣରେ କମିଛି । ଦେଶରେ ଓ ସାରାବିଶ୍ୱରେ ମଧ୍ୟ ଚାପଗ୍ରସ୍ତ । ତେବେ ବାସ୍ତବରେ କ’ଣ ଏହି ଚାରିମାସ ସମସ୍ତ ଆର୍ଥିକ ସଙ୍କଟ ପାଇଁ ଦାୟୀ ? ପୂର୍ବେ ନିଜର ଅପାରଗତାକୁ ଓ ଅସଫଳତାକୁ ଘୋଡ଼ାଇବା ପାଇଁ ନବୀନ ବାବୁ ତାଙ୍କ ସରକାର ପୂର୍ବ ସରକାରମାନଙ୍କୁ ଓ ପ୍ରାକୃତିକ ବିପର୍ଯ୍ୟୟକୁ ଦାୟୀ କରୁଥିଲେ । ଏବେ ନିଜର ଅପରାଗତା ଓ କ୍ରମାଗତ ଲଗାତର ଅସଫଳତାକୁ ଘୋଡ଼ାଇବା ପାଇଁ କରୋନାକୁ ଦାୟୀ କରୁଛନ୍ତି । ଆର୍ଥିକ ସଙ୍କଟର ଭୟ ସୃଷ୍ଟି କରୁଛନ୍ତି । ସରକାରୀ ତଥ୍ୟକୁ ଦେଖିଲେ ୨୦୧୬-୧୭ରେ ବାର୍ଷିକ ଟିକସ ବୃଦ୍ଧିର ହାର ୧.୫୬%, ୨୦୦୯-୧୦ ରେ ୭.୬୫%, ୨୦୧୮-୧୯ରେ ୪.୨୯% ଓ ୨୦୧୯-୨୦ ମସିହାରେ ୧୨.୮୨%  ଥିଲା । ସେତେବେଳେ ତ କରୋନା ଆସି ନ ଥିଲା, ତେବେ ଆର୍ଥିକ ସ୍ଥିତିରେ ଏତେ ଅବନତି କିପରି ଘଟିଥିଲା ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି ।

ଅନୁରୂପ ଭାବରେ ଭୋଟ ହାସଲ ଓ ନିଜ ବାହାଦୂରୀ ନିମନ୍ତେ ସରକାର ଅଯଥା ଖର୍ଚ କରିବାର ପ୍ରମାଣ ସମ୍ପର୍କରେ ମଧ୍ୟ ଶ୍ରୀ କାନୁନଗୋ ଉଲ୍ଲେଖ କରିଛନ୍ତି ।   ଅଯଥା ଯୋଜନାମାନ ଘୋଷଣା କରି ୨୦୧୬-୧୭ରେ ୧୦ହଜାର କୋଟି ଟଙ୍କା, ୨୦୧୭-୧୮ରେ ୧୧୭୨୦କୋଟି, ୨୦୧୮-୧୯ରେ ସରକାର ୧୭ ହଜାର କୋଟି ଟଙ୍କାର ଋଣ କରିଛନ୍ତି ରାଜ୍ୟ ସରକାର।  ୨୦୨୦-୨୧ର ବଜେଟ୍ ଆକଳନରେ ୧୭,୮୪୦କୋଟି ଟଙ୍କାର ଋଣ ଉଠେଇବା ସଂପର୍କରେ କହିଥିଲେ । ଏଥିରେ କରୋନାର ଚାପ ରହିଲା କେଉଁଠି ? ଗତ ୨୦ ବର୍ଷର ଶାସନ ଭିତରେ ରାଜ୍ୟର ଋଣଭାର ୧୮ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୧ଲକ୍ଷ ୨୫ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ବେକାରୀ ଓ ବେରୋଜଗାରୀ ବୃଦ୍ଧି ସହିତ ଲକ୍ଷଲକ୍ଷ ଦାଦନ ଶ୍ରମିକ ସୃଷ୍ଟି ରାଜ୍ୟ ସରକାରଙ୍କ ଏକମାତ୍ର ସଫଳତା ବୋଲି ତେରଛା ବାଣ ମାରିଛନ୍ତି ପଞ୍ଚାନନ କାନୁନଗୋ ।  ସରକାରୀ କ୍ଷେତ୍ରରେ ୨୦୦୪ ଅଗଷ୍ଟ ମାସରେ ୩ଲକ୍ଷରୁ ଉର୍ଦ୍ଧ୍ୱ ପଦ ଉଚ୍ଛେଦ କରାଗଲା । ଏବେ ଘୋଷିତ ଖର୍ଚ୍ଚକାଟ ବିଜ୍ଞପ୍ତିରେ ଗତ ୫ବର୍ଷ ଧରି ଖାଲିଥିବା ପଦବୀ ୧୦୦% ରୁ ଉଚ୍ଛେଦ ହୋଇଛି । ଯାହାର ସଂଖ୍ୟା ତେଢ଼ ଲକ୍ଷରୁ ଉର୍ଦ୍ଧ୍ୱ । ଜାତୀୟ ସର୍ଭେକ୍ଷଣ ସଂସ୍ଥା ସି.ଏମ୍‌.ଆଇ.ୟୁ  ତଥ୍ୟ ଅନୁସାରେ ରାଜ୍ୟରେ  ବେକାରୀ ହାର ୨୩.୮%କୁ ବୃଦ୍ଧି ପାଇଛି ।

ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ  ୨ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ  ହୋଇଛି । ସମସ୍ତ ଚିନିକଳ, ସୂତାକଳ, ଲୁଗାକଳ, ତେଲକଳରେ ତାଲା ପଡ଼ିଛି । ଏହା ସବୁ କରୋନା ପୂର୍ବରୁ ହୋଇଛି । ସେହିପରି ସେବା ଓ ଦ୍ରବ୍ୟକର ମାନଙ୍କରେ ୨୦୧୯-୨୦ ବର୍ଷ ପାଇଁ ୧ହଜାର କୋଟି ଟଙ୍କା ଓ ଚଳିତ ବର୍ଷର ପ୍ରଥମ ଦୁଇଟି କିସ୍ତି ଆଇନ ଅନୁସାରେ ୧୪% ହାରରେ ଅଣାଯାଇନାହିଁ ।  ରାଜ୍ୟର ଅମୂଲ୍ୟ ସମ୍ପଦ ଖଣିଜ ପଦାର୍ଥ ନିଲାମ ଦିଆଗଲା । ଏହାର ରୟାଲଟି ଗତ ୪ବର୍ଷ ଧରି ବୃଦ୍ଧି ହୋଇନାହିଁ ।  ଏ ବାବଦରେ ୧୦ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରାଜ୍ୟ ହରାଇଛି ତଥାପି ସରକାର ଚୁପ୍ ରହିଛନ୍ତି ।
ଚତୁର୍ଦ୍ଦଶ ଅର୍ଥ କମିଶନର ସୁପାରିଶ ଅନୁସାରେ ୪୨% ରୁ ରାଜ୍ୟ ଅଂଶ ମିଳୁଥିଲା । ସେଥିରୁ ୧% କାଟିଦେବା ଫଳରେ ରାଜ୍ୟ ପ୍ରତିବର୍ଷ ହାରାହାରି ୫୦୦କୋଟି ଟଙ୍କା ହରାଉଛି । ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ଶିଳ୍ପ ଜଳକର ବିଦ୍ୟୁତ୍ ଶୁଳ୍କ  ବାବଦରେ ୫ହଜାର କୋଟିରୁ ଉର୍ଦ୍ଧ୍ୱ ବକେୟା ପଡ଼ିରହିଛି । ସରକାର ଏହା ଜାଣିଶୁଣି ଆଦାୟ କରୁ ନାହାନ୍ତି । ଖଣି ମାଲିକଙ୍କ ଉପରୁ  ବକେୟା ଅର୍ଥ ଆଦାୟ କରାଯାଉନାହିଁ, ପାରାଦ୍ବୀପ ତୈଳ ବିଶୋଧନାଗାର ଉପରେ ବକେୟା ଅର୍ଥ ଆଦାୟ ହେଉନାହିଁ । ଏହାର ଉତ୍ତର ସରକାର ଦେବା ଦରକାର ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

Comments are closed.