ଗୋଟିଏ ବର୍ଷରେ କ୍ଷତି ୧୭୩୩ କୋଟି, ସରକାରୀ ବାବୁଙ୍କ ଭୂମିକା ନେଇ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର: ସାଧାରଣ ଉଦ୍ୟୋଗ ବିଭାଗ ଦୁର୍ନୀତି ଓ ଅନିୟମିତାରେ ବୁଡ଼ି ଯାଇଛି ଏବଂ ଏହାର କାର୍ଯ୍ୟାଳୟ ସ୍ୱାସ୍ଥ୍ୟବୀମା କମ୍ପାନୀ ଗୁଡ଼ିକର ଅଫିସ ପାଲଟି ଯାଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ଅଫସିରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଉତ୍‌ଥାପନ ସହ ଅଭିଯୋଗ କରିଛନ୍ତି ଯେ ଗତ ୭ ବର୍ଷ ହେଲା ବିଭାଗର ପ୍ରମୁଖ ଶାସନ ସଚିବ କୌଣସି କାମ ନକରି ଆଡା ଜମାଇ ବସିଛନ୍ତି। ଦିନଟିଏ ମଧ୍ୟ ଅଫିସକୁ ଆସୁ ନାହାଁନ୍ତି।

ଗତ ମୌସୁମୀ ଅଧିବେସନରେ ମୁଖ୍ୟ ଶାସନ ସଚିବ ସବୁ ବିଭାଗ ପାଇଁ ଏକ ନିର୍ଦ୍ଦେଶାନାମ ଜାରି କରିଥିଲେ ଯେ କୌଣସି ସଚିବ ବା ବିଭାଗୀୟ ଅଧିକାରୀ ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ। ମାତ୍ର ସାଧାରଣ ଉଦ୍ୟୋଗ ବିଭାଗର ଦିନଟିଏ ମଧ୍ୟ ଅଫିସ ଆସିଲେ ନାହିଁ। ସେହିପରି ୨୦୧୮ ମାର୍ଚ୍ଚ ମାସରେ ଅର୍ଥ ବିଭାଗର ନିର୍ଦ୍ଦେଶନାମା କହିଛି ଯେ ଯଦି କୌଣସି ବିଭାଗ ସ୍ୱତନ୍ତ୍ର ପରାମର୍ଶ ଦାତା ନିଯୁକ୍ତ କରେ, ଅତି ବେଶିରେ ସେମାନେ ମାସିକ ୪୨ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ନେଇପାରିବେ। ମାତ୍ର ଏଠାରେ ନିଯୁକ୍ତ ପରାମର୍ଶଦାତା ମାନେ ୭୦ ହଜାରୁରୁ ଉର୍ଦ୍ଧ୍ୱ ଦରମା ନେଉଛନ୍ତି କିପରି? ସେମାନଙ୍କ ପାଇଁ ଅଧିକ ଚାରି ପାଂଚ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଅଥଚ କେହି କିଛି କାମ କରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ବିଭାଗର ସହାୟତା ପାଇଁ ଗଠିିତ ଓଏସଆରଏଫଏସ୍ ସୋସାଇଟି ସକାଶେ ସରକାର ଦେଇଥିବା ୫୦ କୋଟି ଟଙ୍କାର କର୍ପସ ପାଣ୍ଠିରୁ ବେଆଇନ ଭାବେ ଖର୍ଚ୍ଚ ହେଉଛି। ପ୍ରମୁଖ ଶାସନ ସଚିବ ଅଫିସକୁ ଆସୁନଥିଲେ ମଧ୍ୟ ମାସକୁ ୩୦ ହଜାର ଟଙ୍କାରେ ଜଣେ ଡ୍ରାଇଭର ତାଙ୍କ ପାଇଁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି ଏବଂ ଦିନକୁ ୮୦ କିଲୋମିଟର ଯାତ୍ରା କରୁଥିବା ଦର୍ଶାଇ ସେ ଇନ୍ଧନ ବାବଦ ଅର୍ଥ ବିଲ କରୁଛନ୍ତି। ସୋସାଇଟ୍‌ର ବାଇଲ ଅନୁଯାୟୀ ପ୍ରତି ୬ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକଥା ମାତ୍ର ତାହା ଆଦୌ ହେଉନାହିଁ। ପ୍ରମୁଖ ଶାସନ ସଚିବ କିମ୍ବା ନିର୍ବାହୀ ନିର୍ଦ୍ଦେଶକ କେହି କୌଣସି ଟୁର କିମ୍ବା କ୍ଷେତ୍ର ପରିଦର୍ଶନରେ ଯାଉନାହାଁନ୍ତି ଓ ସରକାରଙ୍କୁ ଆର୍ଥିକ କ୍ଷତି ଭରଣା ନିମିତ ସଂସ୍କାର ପାଇଁ କୌଣସି ପରାମର୍ଶ ଦେଉନାହାଁନ୍ତି। ୫ ଜଣ ଅତିରିକ୍ତ ଶାସନ ସଚିବ ଥାଉ ଥାଉ ଆଉ ଅଧିକ ନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତି ହେବାର କାରଣ କ’ଣ ହେବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

ସେହିପରି ଯେଉଁଦିନ ସଂପୃକ୍ତ ଅତିରିକ୍ତ ଶାସନ ସଚିବ ଅବସର ଗ୍ରହଣ କଲେ ଠିକ ତା ପରଦିନ ତାଙ୍କୁ ନିର୍ବାହୀ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଗଲା କାହିଁକି? ତାଙ୍କ ପାଇଁ ପ୍ରକୋଷ୍ଠ ଏବଂ କେତେ କର୍ମଚାରୀ ଆଣି ନିଯୁକ୍ତ କରାଗଲା। ସେ ବିନା ସରକାରୀ ଚିଠିରେ ଓଡିଶା ଖଣି ନିଗମର ଏକ ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରୁଛନ୍ତି ଏବଂ ଏ ବାବଦରେ ସମସ୍ତ ଖର୍ଚ୍ଚ ଓଏମସି ବହନ କରୁଛି। ଅନ୍ୟ ସମସ୍ତ ବିଭାଗର ନଥିପତ୍ର ଦୂରସଂଚାର କାର୍ଯ୍ୟକ୍ରମ “ଓସ୍ୱାସ” ମାଧ୍ୟମରେ ପ୍ରସ୍ତୁତ ହେଉଥିବା ବେଳେ ଏହି ବିଭାଗରେ ଏଥିପ୍ରତି ଆଦୌ ଆଗ୍ରହ ପରିଲକ୍ଷିତ ନହେବା ସନ୍ଦେହ ଜନକ। କେବଳ ୨୦୧୯-୨୦ ବର୍ଷରେ ଏହା ଅଧିନସ୍ଥ ୯ଟି ନିଗମରେ ୧୭୩୩ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ଏ ବାବୁମାନେ ସେଠି କରୁଛନ୍ତି କ’ଣ ବୋଲି ଶ୍ରୀ ପାଣ୍ଡବ ପ୍ରଶ୍ନ ପଚାରିଛନ୍ତି।

ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବ ଓ ଅର୍ଥବିଭାର ନିର୍ଦ୍ଦେଶକୁ ଜଣେ ଅଫିସର କେମିତି ବେଖାତିର କରିବାର ଦୁଃସାହାସ ଦେଖାଉଛନ୍ତି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଥିଲେ। ତାଙ୍କ ଅଧିନରେ ୩୭ଟି ନିଗମ ମଧ୍ୟରୁ କେତୋଟିକୁ ସିଏ ପରିଦର୍ଶନ କରିଛନ୍ତି ବା ସମୀକ୍ଷା ବୈଠକ ଡାକିଛନ୍ତି ତାର ହିସାବ ଦିଅନ୍ତୁ ବୋଲି ଦାବି କରିବା ସହ ସୋସାଇଟ ଅର୍ଥରେ କିଣାଯାଇଥିବା ପ୍ରାୟ ୯୦ ହଜାର ଟଙ୍କା ମୂଲ୍ୟର ଜେନେରେଟର ସେଟ କେଉଁ ବାବୁଙ୍କ ବାସଭବନରେ ଲାଗିଛି ତାହାର ତଦନ୍ତ ଦାବି କରିଥିଲେ। ସେହିପରି ସରକାରୀ ଅଫିସର ପିଅନମାନେ କାହା ବାସଭବନରେ କାର୍ଯ୍ୟକରିବାକୁ ସରକାର ନିଶ୍ଚିତ କରିଥିବା ବେଳେ ଏହି ବିଭାଗର ୩-୪ଜଣ ପିଅନ ଆଦୌ ଅଫିସକୁ ଆସନ୍ତି ନାହିଁ ଏବଂ ବାବୁଙ୍କ ବାସଭବନରେ କାମ କରିବା ସରକାରଙ୍କ ନିର୍ଦ୍ଦେଶର ଅବମାନନା ନୁହେଁ କି? ଆଉ ଜଣେ ଅତିରିକ୍ତ ଶାସନ ସଚିବ ନିଜ କଟକ ଘରେ ରୁହନ୍ତି ଏବଂ ସପ୍ତାହର ମାତ୍ର ଦିନିଟିଏ କେବଳ ଚେକ୍‌ରେ ଦସ୍ତଖତ କରିବାକୁ ଆସନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟାଳୟଟି ଗତ ୪ ବର୍ଷ ହେଲା ସ୍ୱାସ୍ଥ୍ୟବୀମା କମ୍ପାନୀଗୁଡ଼ିକର ଶାଖା କାର୍ଯ୍ୟାଳୟ ପାଲଟି ଯାଇଛି ଏବଂ ସେଠି ସରକାରୀ କର୍ମଚାରୀ ଓ ବିଭିନ୍ନ ନିଗମ କର୍ମଚାରୀଙ୍କୁ ବର୍ଷ ତମାମ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବାର କାମ ଚାଲିଛି। ରିତମତ ଟେବୁଲ ଚୌକି ପକାଇ କମ୍ପାନୀର ଏଜେଂଟମାନେ ସେମାନଙ୍କ ବ୍ୟବସାୟ କରୁଥିବାରୁ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଏଥିରେ ଏହି ଅଫିସରମାନଙ୍କ ସହଯୋଗ ଓ ସଂପୃକ୍ତି କେବଳ ନୁହେଁ, ତୃତୀୟ ପକ୍ଷର ଏଜେଂଟ ଭାବେ ପ୍ରତ୍ୟକ୍ଷ ଲାଭାଂଶର ଅଂଶୀଦାର ବୋଲି ଅଭିଯୋଗ କରି ସେ ଅପାରଗ ଅଫିସରଙ୍କୁ ତୁରନ୍ତ ସେଠୁ ହଟାଇବା ସହ ସମସ୍ତ ଦୁର୍ନୀତି ଓ ଅନିୟମିତାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଣ୍ଡବ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏବଂ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ।

Comments are closed.