ବର୍ଷିଆନ କଂଗ୍ରେସ ନେତା ରବୀନ୍ଦ୍ର ସାହୁଙ୍କ ମରଶରୀରକୁ କାନ୍ଧ ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଅଂଚଳର ସାହିତ୍ୟ ସଂସ୍କୃତି ପୂଜାରୀ ସାରସ୍ୱତ ସାଧକ ତଥା ବର୍ଷିଆନ କଂଗ୍ରେସ ନେତା ଶିକ୍ଷାବିତ ରବୀନ୍ଦ୍ର କୁମାର ସାହୁଙ୍କ ମରଶରୀରରେ କାନ୍ଧ ଦେଇଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା। ସୂଚନା ଅନୁଯାୟୀ, ମାହାଙ୍ଗା ବ୍ଲକ ମଣିଜୋରି ଗ୍ରାମର ରବୀନ୍ଦ୍ର କୁମାର ସାହୁ ଶିକ୍ଷକତାରୁ ନିଜର କାର୍ଯ୍ୟ ଆରମ୍ଭ କରି ମାହାଙ୍ଗା କଂଗ୍ରେସର ଜଣେ ସୁସଂଗଠକ ସହ ମାହାଙ୍ଗା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପୂଜାରୀ ଭାବେ ପରିଚିତ ଥିଲେ ଏବଂ ସେ ନିଜର ଜୀବନର ଶେଷ ସମୟ ଯାଏ ସମାଜ ସେବା ଓ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲିଙ୍କ ରାଜନୈତିକ ଜୀବନର ପ୍ରମୁଖ ସହଯୋଗୀ ଥିଲେ।

ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଖନ୍ଦୋଳ କଂଗ୍ରେସ କାର୍ଯ୍ୟାଳୟ, ଛତ୍ରତୋଟା ବଜାର, ମେଡିକାଲ ବଜାର, ଏରକଣା ବଜାର, ମଣିଜୋରି ସହିଦ ଭବନ, ପୁଷ୍ପଗିରି ମହାବିଦ୍ୟାଳୟ, ରାମଚଣ୍ଡୀ ବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ଆନୁଗତ୍ୟ ଓ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ଜନ୍ମସ୍ଥାନ ମଣିଜୋରି ବାସଭବନରେ ଆତ୍ମୀୟସ୍ୱଜନ, ବନ୍ଧୁ ପରିବାରବର୍ଗ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅନ୍ତିମ ଦର୍ଶନ କରିଥିଲେ।

ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ବାସଭବନରେ ପହଂଚି ସ୍ବର୍ଗତ ସାହୁଙ୍କ ମରଶରୀରକୁ କାନ୍ଧ ଦେବା ସହିତ ଶେଷକୃତ୍ୟରେ ସାମିଲ ହୋଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପିସିସି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ ଦାସ, କଂଗ୍ରେସ ସଂଗଠକ ମସୂଦ ଅଲି, ସାହିତ୍ୟିକ ପ୍ରଫେସର ବିଜୟାନନ୍ଦ ସିଂ, ଆଇନଜୀବୀ ଦୀପକ ମହାନ୍ତି, ଡ଼ଃ ଜୟୀରାମ ସ୍ୱାଇଁ, ଅଶୋକ ରାଉତ, ପ୍ରାଧ୍ୟାପକ ବିବେକାନନ୍ଦ ମିଶ୍ର, ମାହାଙ୍ଗା ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର, ନଳିନୀ ମହାନ୍ତି, ଶିକ୍ଷାବିତ ଦୀନବନ୍ଧୁ ପାତ୍ର, ଡ଼ଃ କାର୍ତିକେଶ୍ୱର ସାହୁ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.