ବଢୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଉତ୍କଣ୍ଠା : ଦୌଡ଼ରେ ଦିଗ୍‌ବିଜୟ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦିନକୁ ଦିନ ଉତ୍କଣ୍ଠା ବଢିବାରେ ଲାଗିଛି। ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇ ପାରୁ ନାହିଁ। ସେହିପରି ଗାନ୍ଧୀ ପରିବାର କାହାକୁ ନିଜର ଅନୁଗତ ବୋଲି ବାଛିବେ ତାହା ମଧ୍ୟ ଦ୍ବନ୍ଦ୍ବରେ ରହିଛି। ଏହିସବୁ ଦ୍ବନ୍ଦ୍ବର ମୁଖ୍ୟ କାରଣ ହେଉଛି ରାଜସ୍ଥାନ ରାଜନୀତି। ରାଜସ୍ଥାନରେ ଅଶୋକ ଗେହଲଟ ଅନୁଗତ ବିଧାୟକଙ୍କ ବିଦ୍ରୋହ ପରେ ଗାନ୍ଧୀ ପରିବାର ଦ୍ବନ୍ଦ୍ବରେ ପଡିଛନ୍ତି। ଗାନ୍ଧୀ ପରିବାର ଗେହଲଟଙ୍କୁ ନିଜର ଅତ୍ୟନ୍ତ ଅନୁଗତ ମନେକରି ଅଧ୍ୟକ୍ଷ ଆସନରେ ବସାଇବାକୁ ଏକପ୍ରକାର ସ୍ଥିର କରିଥିଲେ। ମାତ୍ର ରାଜସ୍ଥାନ ପ୍ରସଙ୍ଗ ପରେ ଗାନ୍ଧୀ ପରିବାରର ଆସ୍ଥା ହରାଇଛନ୍ତି ଗେହଲଟ। ଯଦିଓ ଗେହଲଟ ନିଜକୁ ଅଧ୍ୟକ୍ଷ ନିର୍ବାଚନରୁ ବାଦ ଦେଇ ନାହାନ୍ତି କି ଦଳ ତାଙ୍କୁ ଏଥିପାଇଁ କୌଣସି ବାରଣ କରି ନାହିଁ। ତେଣୁ ଗେହଲଟ ଏବେ ମଧ୍ୟ ଅଧ୍ୟକ୍ଷ ଦୌଡରେ ରହିଛନ୍ତି। ଗେହଲଟଙ୍କ ପରେ ଗାନ୍ଧୀ ପରିବାର କାହାକୁ ନିଜର ଅନୁଗତ ଭାବେ ବାଛିବେ ତାହା ଆଲୋଚନାର ବିଷୟ। ଏହା ମଧ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଦିଲ୍ଲୀରେ ଡେରା ପକାଇବା ସହିତ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସାକ୍ଷାତ ଅପେକ୍ଷାରେ ରହିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବୁଧବାର କହିଛନ୍ତି ଯେ ସେ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଗ୍ରହୀ ନୁହନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଆଉ ବର୍ଷେ ଥିବାରୁ ସେଥିପ୍ରତି ସେ ଧ୍ୟାନ ଦେବେ। ଅନ୍ୟପଟେ ସେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇ ଅଧ୍ୟକ୍ଷ ପଦ ଲାଗି ପ୍ରବର୍ତ୍ତାଇଥିବା କହିଛନ୍ତି। ନିର୍ବାଚନ ପ୍ରକ୍ରିୟା ଦିନକୁ ଦିନ ଜଟିଳ ହେଉଥିବାରୁ ସେ (ରାହୁଲ) ଅଧ୍ୟକ୍ଷ ପଦ ଗ୍ରହଣ କରିବା ଜରୁରୀ ବୋଲି ଦିଗବିଜୟ କହିଛନ୍ତି।
ଇତିମଧ୍ୟରେ ଅଧ୍ୟକ୍ଷ ଦୌଡରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ। ସୂଚନା ଅନୁଯାୟୀ ସେପ୍ଟେମ୍ବର ୩୦ରେ ସେ ମନୋନୟନ ପତ୍ର ଦାଖଲ କରିବେ। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଦିଗବିଜୟ କହିଛନ୍ତି ଯେ ମନୋନୟନ ପତ୍ର ଦାଖଲ କରିବା ସମ୍ପର୍କରେ ବିଚାର କରୁଛି। ମାତ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେଇ ନାହିଁ। ବୁଧବାର ମୁଁ ଦିଲ୍ଲୀ ଯାଉଛି। ସେଠାରେ ଚୂଡାନ୍ତ ନିଷ୍ପତ୍ତି ନେବି। ଅନ୍ୟମାନଙ୍କ ମଧ୍ୟରେ କେସି ବେଣୁଗୋପାଳ, ମଲ୍ଲିକାର୍ଜୁନ ଖଡଗେ, ଶଶୀ ତରୁର, ଅମ୍ବିକା ସୋନି, ଏକେ ଆଣ୍ଟୋନୀ ଓ ପୱନ ବଂଶଲ ପ୍ରମୁଖ ଅଧ୍ୟକ୍ଷ ଦୌଡରେ ରହିଛନ୍ତି। ସେପ୍ଟେମ୍ବର ୩୦ ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଥିବାବେଳେ ବର୍ତ୍ତମାନ ସୁଦ୍ଧା କେହି ମନୋନୟନପତ୍ର ଦାଖଲ କରି ନାହାନ୍ତି। ଅନ୍ୟପଟେ ରାଜସ୍ଥାନ ରାଜନୀତିକୁ ନେଇ ମୁଖମନ୍ତ୍ରୀ ଗେହଲଟ ବୁଧବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ସଚିନ ପାଇଲଟ୍ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି। ଉଭୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର ଯୋଜନା କରିଛନ୍ତି।

Comments are closed.