ତିର୍ତ୍ତୋଲ-ବାଲେଶ୍ବର ଉପନିର୍ବାଚନ ଲାଗି କଂଗ୍ରେସର ପ୍ରସ୍ତୁତି; ଚିରଞ୍ଜିବୀଙ୍କ ଅଧ୍ୟକ୍ଷତାରେ ଗଢ଼ାଗଲା କମିଟି

ଭୁବନେଶ୍ବର: ଗତ ୨୦ ବର୍ଷ ମଧ୍ୟରେ ଉପନିର୍ବାଚନଗୁଡ଼ିକରେ କଂଗ୍ରେସର ସଫଳତା ଆଦୌ ଭଲ ହୋଇନାହିଁ । ଦଳ ଆଖିଦୃଶିଆ ପ୍ରଦର୍ଶନ କରିବାକୁ ବିଫଳ ହୋଇଛି । ଏହା ସତ୍ତ୍ବେ ତିର୍ତ୍ତୋଲରେ ବିଷ୍ଣୁ ଦାସ ଓ ବାଲେଶ୍ବରରେ ମଦନ ମୋହନ ଦତ୍ତଙ୍କ ପରଲୋକ ପରେ ଖାଲି ହୋଇଥିବା ଦୁଇ ବିଧାନସଭା ଆସନ ଉପନିର୍ବାଚନ ଲାଗି ଆଗୁଆ ଅଣ୍ଟା ଭିଡ଼ିଛି କଂଗ୍ରେସ । ଦଳ ପକ୍ଷରୁ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଉପନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିବ ବୋଲି ସୂଚନା ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମ୍ପର୍କରେ ଟ୍ବିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳଙ୍କ ନେତୃତ୍ବରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପ୍ରସ୍ତୁତି ନିମନ୍ତେ ଦୁଇଟି କମିଟି ଗଠନ କରାଯାଇଛି । କଂଗ୍ରେସ ନିଶ୍ଚିତ ବିଜୟୀ ହେବ ବୋଲି ନିରଞ୍ଜନ ଆଶାପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ବାଲେଶ୍ବର ସଦର ଆସନଟି ପୂର୍ବରୁ ବିଜେପି ଓ ତିର୍ତ୍ତୋଲ ଆସନ ବିଜେଡ଼ି ଦଖଲରେ ରହିଥିଲା ।

Comments are closed.