ଢ଼େଲାପଥର ମାଡ଼ରେ କନ୍‌ଷ୍ଟେବଳଙ୍କ ମୃତ୍ୟୁ ଘଟଣା

0

ଲକ୍ଷ୍ନୌ : ବୁଲନ୍ଦସହରରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କୁ ହତ୍ୟାର ଦୁଇ ସପ୍ତାହ ନ ପୂରୁଣୁ ଗାଜିପୁରଠାରେ ଜଣେ କନ୍‌ଷ୍ଟେବଳଙ୍କୁ ଢ଼େଲାପଥର ମାଡ଼ରେ ହତ୍ୟା କରାଯିବା ଘଟଣାରେ ପୁଲିସ ମୋଟ ୧୯ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ନାମରେ ହତ୍ୟା ଆରୋପ ଲଗାଯାଇଛି। ପୁଲିସ ୩୨ଜଣଙ୍କ ନାମରେ ୩ଟି ମାମଲା ରୁଜୁ କରିଛି। ଅପରପକ୍ଷରେ ମୃତ କନ୍‌ଷ୍ଟେବଳ ସୁରେଶ ପ୍ରତାପ ସିଂହ ଭାଟ୍ସଙ୍କ ପରିବାରକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏଥିରୁ ୪୦ଲକ୍ଷ ତାଙ୍କ ପତ୍ନୀଙ୍କୁ ଓ ଅବଶିଷ୍ଟ ୧୦ଲକ୍ଷ ଟଙ୍କା ତାଙ୍କ ପିତା-ମାତାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ବିଶୃଙ୍ଖଳିତ ଜନତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଗାଜିପୁର ଜିଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି।
ସ୍ଥାନୀୟ ପୁଲିସ ଅଧୀକ୍ଷକ ଯଶବୀର ସିଂହଙ୍କ ସୂଚନାନୁଯାୟୀ, ରାଷ୍ଟ୍ରୀୟ ନିଶାଦ ପାର୍ଟି ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବାକୁ ଅନୁମତି ନ ମିଳିବାରୁ ଗାଜିପୁରଠାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥି​‌େ​‌ଲ। ପାର୍ଟି ସଦସ୍ୟମାନେ ସେଠାରେ ରାସ୍ତା ଅବରୋଧ କରିବାରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ପ୍ରଧାନମନ୍ତ୍ରୀଙ୍କ ସଭା ପରେ ଫେରୁଥିବା ଗାଡ଼ିମୋଟର ତଥା ଲୋକଙ୍କ ଉପରକୁ ପାର୍ଟି ସଦସ୍ୟମାନେ ଢ଼େଲାପଥର ଫିଙ୍ଗିଥିଲେ। ତେବେ ଦୁଇ ସପ୍ତାହ ମଧ୍ୟରେ ବିଶୃଙ୍ଖଳିତ ଜନତାଙ୍କ ଦ୍ବାରା ଦୁଇ ଜଣ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ରସାତଳଗାମୀ ହୋଇଥିବା ଓ ଏହା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନ ଥିବା ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବ। ବିଜେପି ଶାସନରେ ଅପରାଧୀଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଥିବା ସେ କହିଛନ୍ତି। ବଦଳିରୁ ବଞ୍ଚିବା ପାଇଁ ପୁଲିସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ‘ଥୋକ୍‌ ଦୋ ନୀତି’ (ଗୁଳିବିନିମୟ ନୀତି)କୁ ଆପଣାଇଛନ୍ତି ଓ ଏହା ଦ୍ବାରା ସାଧାରଣ ଲୋକଙ୍କ ସହିତ ନିମ୍ନ ପାହ୍ୟାର ପୁଲିସ କର୍ମଚାରୀ ବଳି ପଡ଼ିଛନ୍ତି ବୋଲି ସେ କହିଛନ୍ତି। ସେହିଭଳି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍‌ଯେୱାଲା କହିଛନ୍ତି ଯେ ଯୋଗୀଙ୍କ ନେତୃତ୍ବରେ ଉତ୍ତରପ୍ରଦେଶରେ ‘ଜଙ୍ଗଲ ରାଜ୍‌’ ଚାଲିଛି। ଏଠାରେ ପୁଲିସ କିମ୍ବା ସାଧାରଣ ଜନତା କେହି ହେଲେ ସୁରକ୍ଷିତ ନାହାନ୍ତି। ଡେମୋକ୍ରାସି ଏବେ ‘ମବୋକ୍ରାସି’ରେ ପରିଣତ ହୋଇଥିବା ସେ କହିଛନ୍ତି।
ମୃତ କନ୍‌ଷ୍ଟେବଳଙ୍କ ପୁଅ ଭି.କେ ସିଂହ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କ ମୃତ୍ୟୁ ପାଇଁ ବରିଷ୍ଠ ପୁଲିସ ଅଧିକାରୀ ତଥା ପୁଲିସ ବାହିନୀକୁ ଦାୟୀ କରିଛନ୍ତି। ପୁଲିସ ବାହିନୀ ଯଦି ଜଣେ ସହକର୍ମୀଙ୍କ ଜୀବନ ରକ୍ଷା କରିପାରୁ ନାହାନ୍ତି; ତା’ହେଲେ ସାଧାରଣ ଜନତାଙ୍କୁ କିପରି ସୁରକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ତାଙ୍କ ବାପାଙ୍କ ଭଳି ନିରୀହ ଜନତା ବଳି ପଡ଼ିଛନ୍ତି ବୋଲି ସେ କହିଛନ୍ତି। ଭିଆଇପିମାନେ ସମ୍ପୃକ୍ତ ଘଟଣାସ୍ଥଳ ଦେଇ କାର୍‌ରେ ଯାଉଥିଲେ ମଧ୍ୟ ସମସ୍ୟା ସମାଧାନ ଉଦ୍ୟମ କରି ନ ଥିଲେ। ପୁଲିସ ବାହିନୀ ସେମାନଙ୍କ ସୁରକ୍ଷା ପାଇଁ ବ୍ୟସ୍ତ ଥିଲା। ଏଭଳି ପରିସ୍ଥିତିରେ ତାଙ୍କ ବାପାଙ୍କ ଜୀବନ ବାଜି ଲାଗିଥିଲା ବୋଲି ସେ କ୍ଷୋଭର ସହ କହିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନ​‌େ​‌ରନ୍ଦ୍ର ମୋଦୀଙ୍କ ସଭାରେ ସୁରକ୍ଷା ପାଇଁ ନିୟୋଜିତ ୪୮ବର୍ଷୀୟ ହେଡ୍‌ କନ୍‌ଷ୍ଟେବଳ ସୁରେଶ ପ୍ରତାପ ସିଂହ ଭାଟ୍ସ ଘରକୁ ଫେରୁଥିବାବେଳେ ଏଭଳି ଗୋଷ୍ଠୀବଦ୍ଧ ହିଂସାର ଶିକାର ହୋଇଥିଲେ।

Leave A Reply