ବିହାରରେ ମୁକ୍ତ, ନିରପେକ୍ଷ ଓ ନିରାପଦ ନିର୍ବାଚନ କରିବା ଆମ ପ୍ରାଥମିକତା – ନିର୍ବାଚନ କମିଶନ

ଆସନ୍ତା ବିହାର ବିଧାନସଭା ନିର୍ବାଚନ ପାଇଁ ନିୟୋଜିତ ହେବାକୁ ଥିବା ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଆଜି ଏକ ସଂକ୍ଷିପ୍ତ ବୈଠକ ଆୟୋଜନ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ୭୦୦ରୁ ଅଧିକ ଜେନେରାଲ୍, ପୁଲିସ୍ ଏବଂ ବ୍ୟୟବରାଦ ପର୍ଯ୍ୟବେକ୍ଷକମାନେ ଦେଶର ୧୧୯ଟି ସ୍ଥାନରୁ ଯୋଗ ଦେଇଥିଲେ ଏବଂ ଦିଲ୍ଲୀରେ ନିୟୋଜିତ ୪୦ ପର୍ଯ୍ୟବେକ୍ଷକ ସେଠାରେ ଉପସ୍ଥିତ ଥିଲେ।

ପର୍ଯ୍ୟବେକ୍ଷକଙ୍କ ସହ କଥାବାର୍ତ୍ତା କରି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ସମଗ୍ର ବିଶ୍ୱରେ ନିର୍ବାଚନ ଉପରେ କୋଭିଡ ୧୯ର ପ୍ରଭାବ ଏବଂ ବିହାରରେ ନିର୍ବାଚନ କରିବା ପୂର୍ବରୁ ନିର୍ବାଚନ ଆୟୋଗ ଦ୍ୱାରା କରାଯାଇଥିବା ବିସ୍ତୃତ ବିଚାର ଏବଂ ମୂଲ୍ୟାଙ୍କନ ଉପରେ ତଥ୍ୟ ରଖିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ହେବାକୁ ଥିବା ବିଶ୍ୱର ସର୍ବବୃହତ ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ଦୃଷ୍ଟି ରହିବ ତେଣୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି।

ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ, ନୈତିକ ଏବଂ ନିରାପଦ ନିର୍ବାଚନ କରିବା ପାଇଁ ସେ ନିର୍ବାଚନ ଆୟୋଗର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ରର ଶକ୍ତି ଭୋଟରଙ୍କ ଉପରେ ନିର୍ଭରଶୀଳ ତେଣୁ ମତଦାନ କେନ୍ଦ୍ରକୁ ଆସି ବହୁ ସଂଖ୍ୟାରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରାଯିବ ଆବଶ୍ୟକ। ସେ ପର୍ଯ୍ୟବେକ୍ଷକମାନଙ୍କୁ ସ୍ଥାନୀୟ ନିର୍ବାଚନ ବ୍ୟବସ୍ଥାର ବନ୍ଧୁ, ଦାର୍ଶନିକ ତଥା ମାର୍ଗଦର୍ଶକ ଭଳି କାର୍ଯ୍ୟ କରିବା ଓ ସେମାନଙ୍କୁ ମାର୍ଗଦର୍ଶନ ଦେବା ସହ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ବୈଠକରେ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଆୟୋଗ ଦ୍ୱାରା ଦୁଇଜଣ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇସାରିଛନ୍ତି ଏବଂ ଯଦି ଆବଶ୍ୟକ ହୁଏ ତେବେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢିବା ସହିତ ଅଧିକ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହେବେ। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏବଂ ବିହାର ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଓ ବିଶେଷ ନିର୍ଦ୍ଦେଶନାମାଗୁଡିକର କଡାକଡି ପାଳନ କରିବା ଉଚିତ୍। ଅଭିଯୋଗଗୁଡିକୁ ସକ୍ରିୟ ଭାବରେ ସମାଧାନ କରିବାକୁ ଏବଂ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ନିରପେକ୍ଷତା ଅବଲମ୍ବନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ନିର୍ବାଚନ କମିଶନର ରାଜୀବ କୁମାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଯେ ପର୍ଯ୍ୟବେକ୍ଷକ ଭାବରେ ସେମାନଙ୍କର ଭାରତର ନିର୍ବାଚନ ଆୟୋଗଙ୍କ ତରଫରୁ କାର୍ଯ୍ୟ କରିବା ଏକ ଆଇନଗତ କର୍ତ୍ତବ୍ୟ। ସେ କହିଛନ୍ତି ଯେ ଅଧିକାରୀମାନେ ସର୍ବଦା ମନେ ରଖିବା ଉଚିତ ଯେ ସେମାନେ ନିର୍ବାଚନ ଆୟୋଗର ପ୍ରକୃତ ଚେହେରା। ସେ ଏହି ଅଧିକାରୀମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ବିହାର ନିର୍ବାଚନରେ ​​ସାରା ବିଶ୍ୱର ଧ୍ୟାନ କେନ୍ଦ୍ରିତ ହୋଇଛି।

Comments are closed.