ଜୈବ ପଦ୍ଧତି ଜରିଆରେ କୃଷି ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ସ୍ୱପ୍ନ ଅଧୁରା ରହିଲା

ପ୍ରଫେସର ରାଧାମୋହନଙ୍କ ପରଲୋକରେ ପିପିଲି ସାଂସ୍କୃତିକ ପରିଷଦର ଶୋକ

ପିପିଲି:ବିଶିଷ୍ଟ ଶିକ୍ଷାବିତ୍‍, ସାହିତ୍ୟିକ, ଗାନ୍ଧିବାଦୀ ଓ ସମାଜସେବୀ ତଥା ପିପିଲି ସାଂସ୍କୃତିକ ପରିଷଦର ଉପଦେଷ୍ଠା ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ଶୁକ୍ରବାର ଅପରାହ୍ନରେ ପରିଷଦ ପକ୍ଷରୁ ଅନୁଷ୍ଠିତ ଭର୍ଚୁଆଲ ଶୋକସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ପରିଷଦର ଅନ୍ୟତମ ଉପଦେଷ୍ଠା ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ପ୍ରଫେସର ମନୋରଞ୍ଜନ ମହାନ୍ତି, ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲଡ ରେକର୍ଡଧାରୀ କୃଷି ବୈଜ୍ଞାନିକ ଡ଼ଃ ପିଏସ୍‍ବି ଆନନ୍ଦ, ମହେନ୍ଦ୍ର କୁମାର ମିଶ୍ର, ଡ଼ଃ ପ୍ରଭାକର ନନ୍ଦ ପ୍ରମୁଖ ଯୋଗଦେଇ ରାଧାମୋହନଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିବା ସହ ଓଡିଶା ସବୁଦିନ ପାଇଁ ଜଣେ ବିଶିଷ୍ଟ ଗାନ୍ଧିବାଦୀ, ସମାଜସେବୀ, ବିଜ୍ଞ ବ୍ୟକ୍ତି ଓ ଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ପ୍ରକାଶ କରିଥିଲେ। ପ୍ରଫେସର ରାଧାମୋହନଙ୍କ ବିୟୋଗ ପରିଷଦ ପାଇଁ ଏପ ଅପୂରଣୀୟ କ୍ଷତି ବୋଲି ପରିଷଦର ସଂପାଦକ ଶ୍ରୀ ମହାପାତ୍ର ଶୋକପ୍ରକାଶ କରିବା ସହ ପରିଷଦ ପକ୍ଷରୁ ତାଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ କରାଯିବା ସଂପର୍କରେ ସୂଚନା ଦେଇଥିଲେ। ତାଙ୍କ ଅକାଳ ବିୟୋଗ ଯୋଗୁଁ ଜୈବ ପଦ୍ଧତିରେ କୃଷି ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟଭାବେ ଗଢିତୋଳିବାର ସ୍ୱପ୍ନ ତାଙ୍କର ଅଧୁରା ରହିଲା ବୋଲି ଶ୍ରୀମହାପାତ୍ର ପ୍ରକାଶ କରିଥିଲେ। ଏଥିରେ ପରିଷଦର ସମସ୍ତ ଉପଦେଷ୍ଠା, ସଦସ୍ୟ ଓ ରାଜ୍ୟର ବହୁ ବିଶିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରିଷଦର ସହସଂପାଦକ ଦୀନବନ୍ଧୁ ବେହୁରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

ଋାଜଧାନୀରେ ଅନୁଷ୍ଠିତ ଗାନ୍ଧୀ କଥା ଆଲୋଚନା ସଭାରେ ସେ ପିପିଲି ସାଂସ୍କୃତିକ ପରିଷଦର କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିବା ସହିତ ଅନୁଷ୍ଠାନର ମୁଖ୍ୟ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଲେଖାକୁ ଉଚ୍ଚ ପ୍ରଶଂସା କରିଥିଲେ। ଗାନ୍ଧି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପରିଷଦ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପ୍ରତି ସେ ବିଶେଷ ଆକୃଷ୍ଟ ହୋଇ ପରିଷଦର ଉପଦେଷ୍ଠା ଭାବେ ଦାୟିତ୍ୱ ନେଇଥିଲେ। ପରିଷଦ ଦ୍ୱାରା ୨୦୧୮ରେ ଆୟୋଜିତ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୮୦ବର୍ଷ ପୂର୍ତ୍ତି ସଭାରେ ସେ ଯୋଗଦେଇଥିଲେ। ଏହା ବ୍ୟତୀତ ପରିଷଦ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ସେ ୨୦୧୪ ଅକ୍ଟୋବର ୨ ତାରିଖରେ ଉଦ୍‍ଘାଟନ କରିଥିଲେ। ଏହି ଅଭିଯାନର ୫୦୦ ଘଣ୍ଟା ସମାପନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ସେ ଅତିଥି ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ପରିଷଦ ପକ୍ଷରୁ ପ୍ରକାଶିତ ନଅଙ୍କ ଦୁର୍ଭିକ୍ଷ ପୁସ୍ତକ ଉନ୍ମୋଚନ ସଭାରେ ସେ ଅନ୍ୟତମ ଅତିଥି ଭାବେ ରାଷ୍ଟ୍ରଦୂତ ଲଳିତ ମାନସିଂହଙ୍କ ସହିତ ମଞ୍ଚାସୀନ ଥିଲେ। ପରିଷଦର ଉପଦେଷ୍ଠା ଭାବେ ସେ ସବୁବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ରହି ସମସ୍ତଙ୍କୁ ସମାଜସେବା ପ୍ରତି ଉତ୍ସାହିତ କରିବା ସହ ସହଯୋଗ ମଧ୍ୟ କରୁଥିଲେ। ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପିପିଲି ପ୍ରତି ତାଙ୍କର ସ୍ୱତନ୍ତ୍ର ଦୁର୍ବଲତା ଥିଲା। ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ କୃଷିର ଉନ୍ନତି ଓ ଜଳ ନିଷ୍କାସନ ପାଇଁ ସେ ସର୍ବଦା ଚିନ୍ତା କରିବା ସହ ଏ ଦିଗରେ କାର୍ଯ୍ୟ କରିବାକୁ କୃଷି ବୈଜ୍ଞାନିକଙ୍କ ସମେତ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ସବୁବେଳେ ଉତ୍ସାହିତ କରୁଥିଲେ।

Comments are closed.