ଦିଲୀପଙ୍କ ବିୟୋଗରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଶୋକ

0

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଶତପଥୀ ଜଣେ ପ୍ରତିଭାସମ୍ପନ୍ନ ତଥା ବୃତ୍ତିନିଷ୍ଠ ସାମ୍ବାଦିକ ଥିଲେ। ନିଜ କାର୍ଯ୍ୟକାଳ ସମୟରେ ସେ ବିଜନେସ୍ ଷ୍ଟାଣ୍ଡାର୍ଡ ସମେତ ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ କାର୍ଯ୍ୟକରି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। ତାଙ୍କ ବିୟୋଗ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଛି। ସ୍ବର୍ଗତ ଶତପଥୀଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମବେଦନା ଜ୍ଞାପନ କରିଛନ୍ତି।
ସେହିଭଳି ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତକୁ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଦିଲୀପ ଭାଇ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ଦିଲୀପ ଶତପଥୀଙ୍କ ଅକାଳ ବିୟୋଗ ମର୍ମାହତ କରିଛି। ତାଙ୍କ ବିୟୋଗରେ ଓଡିଶା ତଥା ଗଣମାଧ୍ୟମ ଜଗତକୁ ପ୍ରଭୁତ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇବା ସହ ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ସ୍ୱର୍ଗତ ଶତପଥୀ ଜଣେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକ ଥିଲେ। ତାଙ୍କ ଦ୍ୱାରା ଉପସ୍ଥାପିତ ଅର୍ଥନୈତିକ ଓ ବାଣିଜ୍ୟିକ ଆଲେଖ ଜନାଦୃତି ଲାଭ କରିଥିଲା। ତାଙ୍କର ବିୟୋଗ ସାମ୍ବାଦିକତା ତଥା ଗଣମାଧ୍ୟମ ଜଗତ ପାଇଁ ଏକ ବଡ଼ କ୍ଷତି।
ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ବିଜେପି ନେତୃବୃନ୍ଦ କହିବା ସହ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave A Reply