ଜନ କଲ୍ୟାଣକାରୀ ଯୋଜନାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ : ଡ. ରାଜୀବ କୁମାର

0

ଭୁବନେଶ୍ୱର : ଜାତୀୟ ବିକାଶ ଦର ଠାରୁ ଓଡ଼ିଶାର ବିକାଶ ହାର ଅଧିକ। ତେବେ ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ପ୍ରତି  ଗୁରୁତ୍ବାରୋପ କରାଯିବା ଆବଶ୍ୟକ। ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି  ଓଡ଼ିଶା ବିକାଶ କନକ୍ଲେଭ ଉଦ୍‍ଘାଟନ ସମାରୋହରେ ଯୋଗଦେଇ ନିତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର କହିଛନ୍ତି।

ଶୁକ୍ରବାରଠାରୁ ଚନ୍ଦ୍ରଶେଖରପୁରସ୍ଥିତ ରେଲ୍‍ ସଭାଗୃହ (ଅଡିଟୋରିୟମ୍‍) ଠାରେ ଓଡ଼ିଶା ବିକାଶ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି  ।  କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ୟୁନେସ୍କୋ ପ୍ରତିନିଧି ଡ଼କ୍ଟର ରାଜେଶ ଟଣ୍ଡନ ଏବଂ ସିୱାଇଏସଡିର  ସହ ପ୍ରତିଷ୍ଠାତା ଜଗଦାନନ୍ଦ ପ୍ରମୁଖ ମିଳିତ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟନ ସମାରୋହରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ସମାଜେସେବୀ ସ୍ମୃତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ,  ଦେଶ ସ୍ୱାଧୀନତାର ୭୫ ବର୍ଷ ୨୦୨୨ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ୨୦୩୬ ପାଇଁ ବିକାଶର ରୋଡ ମ୍ୟାପ ଆବଶ୍ୟକ  ଏବଂ ଏହି ଆଧାରରେ ଓଡିଶାକୁ ବିକାଶର ଶୀର୍ଷକୁ ନେଇ ହେବ।

ଓଡିଶାରେ ରହିଥିବା ଏକ କୋଟି ପରିବାର ମଧ୍ୟରୁ ଏକ ତୃତୀୟାଂଶ ଲୋକେ କାମ ପାଇଁ ଘର ଛାଡୁଛନ୍ତି । ବିଏଡ ଭଳି ଶିକ୍ଷା ପାଇବା ପାଇଁ ଓଡିଶାର ଯୁବକ ଯୁବତୀ ମାନେ  କର୍ଣ୍ଣାଟକ ଭଳି ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟରେ ରହିଥିବା ୪୦ ପ୍ରତିଶତ ତଫସିଲ ଭୁକ୍ତ ଜାତି ଓ ଜନଜାତି ମାନଙ୍କର ସାମାଜିକ ବିକାଶ ହୋଇପାରୁନାହିଁ । ଏହି ସବୁ ସମସ୍ୟାର ସମାଧାନ ପାଇଁ ରୋଡମ୍ୟାପ ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେଣୁ ଏହି କନକ୍ଲେଭରେ ସମସ୍ତ ବିଷୟରେ ଆଲୋଚନା କରି ସମାଜର ବିକାଶ ପାଇଁ ମାଗଦର୍ଶନ ଦିଅନ୍ତୁ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

ଏହି କନକ୍ଲେଭ ତିନିଦିନ ଧରି ଚାଲିବ। ସମ୍ମିଳନୀର ବିଭିନ୍ନ ଅଧିବେଶନରେ ୧୯ଟି ପ୍ରସଙ୍ଗରେ ଆଲୋଚନା ଚକ୍ର ଓ କର୍ମଶାଳାମାନ ଅନୁଷ୍ଠିତ ହେବ।

ଓଡ଼ିଶା ବିକାଶର ଢାଞ୍ଚା ଓ ଏଥିରେ ଥିବା ସମସ୍ୟା ବୁଝିବା, ତୃଣମୂଳସ୍ତରରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ସଂଗଠିତ ପ୍ରୟାସକୁ ନିଶ୍ଚିତ କରିବା ଓ ତୃଣମୂଳ ସ୍ତରର ସରକାରଙ୍କ ପାଖରେ ପହଞ୍ଚାଇବା ଏହି ସମ୍ମିଳନୀର ଆଭିମୁଖ୍ୟ। ରାଜ୍ୟର ଶାସନ ବ୍ୟବସ୍ଥାରେ ଉପୁଜୁଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନାଚକ୍ରରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଗୋଷ୍ଠୀ ସ୍ତରୀୟ ସଂଗଠନର ନେତୃବୃନ୍ଦ, ନୀତି ନିର୍ଦ୍ଧାରକ ଓ ସମାଜ ବିଜ୍ଞାନୀ ଭାଗ ନେଇଛନ୍ତି। ରାଜ୍ୟର ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟରେ ଉଦାହରଣ ସୃଷ୍ଟି କରିଥିବା ଅନେକ ସଫଳ କାହାଣୀ ସମ୍ବଳିତ ଏକ ପୁସ୍ତିକା ଏହି ସମ୍ମିଳନୀରେ ଲୋକାର୍ପଣ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୮୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାର ଜନଜାତି ସଶକ୍ତୀକରଣ ଓ ବିକାଶ, ବୃଷ୍ଟିପୁଷ୍ଟ କୃଷି, ନିଯୁକ୍ତି ଓ ସ୍ଥାନାନ୍ତର, ଦକ୍ଷତା ଓ ସ୍ୱାବଲମ୍ବୀ ବିକାଶ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା, ସ୍ୱାସ୍ଥ୍ୟ, ଜଳ ପରିମଳ ଓ ପରିଚ୍ଛନ୍ନତା, ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ, ବିଦ୍ୟାଳୟ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାଦାନ, ସାମାଜିକ ଉତ୍ତରଦାୟିତ୍ୱ, ଜଙ୍ଗଲ ଓ ପ୍ରାକୃତିକ ସମ୍ବଳ, ନଦୀ ପରିସଂସ୍ଥା, ସହରାଞ୍ଚଳ ସ୍ୱାୟତ୍ତଶାସନ, ପଞ୍ଚାୟତିରାଜ, ବିଶ୍ୱବିଦ୍ୟାଳୟ- ଗୋଷ୍ଠୀ ସମ୍ପର୍କ ଓ ଶିଶୁ ଅଧିକାର ଆଦି ୧୯ଟି ପ୍ରସଙ୍ଗରେ ବିଶଦ ଭାବେ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିରୂପଣ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସରକାର, ନାଗରିକ ସଙ୍ଗଠନ, କର୍ପୋରେଟର ହାଉସ, ପଞ୍ଚାୟତିରାଜ ସଂସ୍ଥା, ଶିକ୍ଷାନୁଷ୍ଠାନ ଆଦି ୬୦ଟି ସଂଗଠନ ଯୋଗଦେଉଛନ୍ତି। ଏହି କାର୍ଯ୍ୟକ୍ରମଟିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ପାଇଁ ଉଦ୍ୟମ କରାଯିବା ସହିତ ଭିନ୍ନକ୍ଷମଙ୍କ ଯୋଗଦାନ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି।

 

Leave A Reply