ସନ୍ଦେହ ଘେରରେ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ

ସମାଜ ପୋର୍ଟାଲ ଡେସ୍କ: ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆନ୍ତର୍ଜାତିକ ଗଣାମାଧ୍ୟମଗୁଡିକରୁ ଭିନ୍ନ ଭିନ୍ନ ଖବର ଆସୁଥିବାରୁ ଏହା ଅସ୍ପଷ୍ଟ ଯେ ପ୍ରକୃତରେ ଅପରେସନ ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକରୁ ଅଧିକ ବିଗିଡ଼ିବାରେ ଲାଗିଛି ନା ଆଉ କିଛି। ଇତି ମଧ୍ୟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଉତ୍ତର କୋରିଆରେ କୌଣସି ସନ୍ଦେହଜନକ ଘଟଣା ଘଟି ନାହିଁ କିମ୍ବା ଯଦି କିଛି ଘଟୁଛି ତାହା ଜଣାପଡ଼ୁନାହିଁ। ପୂର୍ବରୁ କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ଦର୍ଶାଇଥିଲେ ଯେ କିମ ଅତ୍ୟଧିକ ସିଗାରେଟ ଟାଣିବା, ମେଦ ବୃଦ୍ଧି ପାଇବା ଓ କାର୍ଯ୍ୟ ଚାପର ଶିକାର ହେବା ଫଳରେ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି ଓ ତାଙ୍କର ହୃଦୟରେ ଅପରେସନ ହେବା ପରେ ସେ ଆହୁରି ଗୁରୁତର ହୋଇପଡିଛନ୍ତି। ତେବେ ସବୁଠାରୁ ଜରୁରୀ ଏହା ଯେ କିମଙ୍କ କାର୍ଯ୍ୟାଳୟ ‘ବ୍ଲୁ ହାଉସ’ କହିଛି, ଏବେ କିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କିଛି ତଥ୍ୟ ଦିଆଯିବ ନାହିଁ।
କିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଆନ୍ତର୍ଜାତିକ ଆଲୋଚନାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ବହୁ ନାମିଦାମୀ ଗଣମାଧ୍ୟମ ନାମରେ ୫୦ରୁ ଅଧିକ ମିଛ ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି ଓ ସେଗୁଡ଼ିକରେ କିମଙ୍କୁ ନେଇ ମିଛ ଖବରମାନ ପ୍ରସାରିତ ହେବାରେ ଲାଗିଛି। ଏମିତି ବି ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଖବର ମଧ୍ୟ ଦିଆଯାଇଛି। ଅନ୍ୟ କିଛି ଖବରଦାତା ସଂସ୍ଥା କହିଛନ୍ତି ଯେ କିମଙ୍କର ବ୍ରେନ ଡେଡ଼ ହୋଇସାରିଛି।
ଏହା ପୂର୍ବରୁ ଦକ୍ଷିଣ କୋରିଆ ସରକାର କହିଥିଲେ ଯେ ଆମେରିକୀୟ ଗଣମାଧ୍ୟମ ସେହି ଖବରର ଯାଞ୍ଚ କରୁଛି ଯେଉଁଥିରେ କୁହାଯାଇଥିଲା ଯେ ଅପରେସନ ପରେ କିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହୋଇଛି। ଅନ୍ୟ ପକ୍ଷରେ ଆମେରିକା ସହ ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଉପୁଜିଥିବା ମତଭେଦକୁ ଏଭଳି ସମ୍ବାଦର ସୂତ୍ର ବୋଲି ମଧ୍ୟ ଆଲୋଚନା କରାଯାଉଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କହିଛି ଯେ କିମ ପୂର୍ବପରି ଶାସନ ବ୍ୟବସ୍ତା ପରିଚାଳନା କରୁଥିବା ଜଣାପଡିଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗୁଜବ ନେଇ କୌଣସି ସୂଚନା ନାହିଁ।