ଶିବରାଜଙ୍କ ସରକାରକୁ ବିରୋଧ କରିବା ପଡ଼ିଲା ମହଙ୍ଗା: କମ୍ପ୍ୟୁଟର ବାବା ଦିଗମ୍ବର ଅନି ଆଖଡାରୁ ବହିଷ୍କୃତ

0

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟମନ୍ତ୍ରୀ ପଦ ଛାଡ଼ି ସରକାରଙ୍କ ବିରୋଧରେ ଅଭିଯାନ ଚଳାଇବା କମ୍ପ୍ୟୁଟର ବାବାଙ୍କୁ ମହଙ୍ଗା ପଡ଼ିଛି। କମ୍ପ୍ୟୁଟର ବାବାଙ୍କୁ ଦିଗମ୍ବର ଅନି ଆଖଡାରୁ ଗୁରୁବାର ବହିଷ୍କୃତ କରାଯାଇଛି। ଦଳୀୟ ରାଜନୀତିରେ ସାମିଲ ହୋଇ ସନ୍ଥ ଗାରିମା ବିରୋଧୀ ଆଚରଣ କରୁଥିବାରୁ ତାଙ୍କୁ ଆଖଡ଼ାରୁ ବହିଷ୍କୃତ କରଯାଇଥିବା ଦର୍ଶାଯାଇଛି।
ସାଧୁ-ସନ୍ଥଙ୍କ ୧୩ଟି ପ୍ରମୁଖ ଅଖାଡାକୁ ନେଇ ଗଠିତ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ କମ୍ପ୍ୟୁଟର ବାବା ସନ୍ଥଙ୍କ ଗାରିମା ବିରୋଧୀ ଆଚରଣ କରିବା ପୂର୍ବକ ରାଜନୀତିରେ ପ୍ରବେଶ କରିଥିଲେ। ସେ ନିଜ ଫାଇଦା ପାଇଁ କେବେ କଂଗ୍ରେସ ତ କେବେ ବିଜେପି ପକ୍ଷରେ କଥା କହୁଥିଲେ। ଉଜ୍ଜୟନୀରେ ଦିଗମ୍ବର ଆଖଡ଼ା ପଞ୍ଚାୟତର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କମ୍ପ୍ୟୁଟର ବାବାଙ୍କୁ ଆଖଡ଼ାରୁ ବହିଷ୍କାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉଲ୍ଲେଖ ଯେ ଦିଗମ୍ବର ଆଗଡ଼ା ହେଉଛି ବୈଷ୍ଣବ ସମ୍ପ୍ରଦାୟ (ନିଜ ଇଷ୍ଟଦେବ ଭାବେ ଭଗବାନ ବିଷ୍ଣୁଙ୍କ ପୂଜା କରୁଥିବା ହିନ୍ଦୁ ମତାବଲମ୍ବୀ)। ବହିଷ୍କାର ପରେ କମ୍ପ୍ୟୁଟର ବାବା ଦିଗମ୍ବର ଆଖଡ଼ାର କୌଣସି କାର୍ଯ୍ୟକ୍ରମ ଏବଂ ଏହାର ସନ୍ଥଙ୍କ ସାମୂହିକ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରବେ ନାହିଁ। ସେ ପ୍ରୟାଗରାଜ (ଆହ୍ଲାବାଦ)ରେ ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରୁ ଆୟୋଜିତ ହେବାକୁ ଥିବା କୁମ୍ଭ ଭେଳାରେ ଆଖଡ଼ାର ସାମୂହିକ ସ୍ନାନ ଏବଂ ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ।

Leave A Reply