ସାଧାରଣ ଜନତାଙ୍କ ମୃତ୍ୟୁ ପ୍ରତିବାଦରେ କାଶ୍ମୀର ବନ୍ଦ

0

ଶ୍ରୀନଗର : କାଶ୍ମୀର କୁଲଗାଓଁଠାରେ ରବିବାର ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ଓ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୭ଜଣ ସାଧାରଣ ନାଗରିକ ପ୍ରାଣ ହରାଇବା ନେଇ ସମ୍ପୃକ୍ତ ଅଞ୍ଚଳ ସହ ସମଗ୍ର ଉପତ୍ୟକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଚ୍ଛନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନୀ, ମୀରୱାଜମର ଫାରୁକ ଓ ମହମ୍ମଦ ୟାସିନ ମଲ୍ଲିକଙ୍କ ଆହ୍ୱାନକ୍ରମେ ସୋମବାର କୁଲଗାଓଁ ଜିଲାରେ ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁଁ ଜିଲାରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭକରି ବଜାର, ସରକାରୀ-ବେସରକାରୀ କାର୍ଯ୍ୟାଳୟ ଓ ଗମନାଗମନ ବ୍ୟବସ୍ଥା ବନ୍ଦ ରହିଛି। କାଶ୍ମୀର ବାଣିଜ୍ୟ ଓ ଶିଳ୍ପ ସଂଘ(କେସିସିଆଇ) ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରାଯାଇଛି। ସର୍ବସାଧାରଣ ଅଞ୍ଚଳରେ ସେନା ପକ୍ଷରୁ ଚଢ଼ଉ ଅଭିଯାନ ବନ୍ଦ କରିବା ପାଇଁ କେସିସିଆଇ ପକ୍ଷରୁ ଦାବି କରାଯାଇଛି। ସେହିପରି କାଶ୍ମୀର ପଣ୍ଡିସ ସଂଘର୍ଷ ସମିତି(କେପିଏସ୍‍ଏସ୍‍) ମଧ୍ୟ ବନ୍ଦକୁ ସମର୍ଥନ କରିଛି। ଏହି ପରିପ୍ରେକ୍ଷୀରେ ଉପତ୍ୟକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରବିବାର ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲାବେଳେ ସେମାନେ ଛାଡ଼ିଯାଇଥିବା ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣରେ ୭ ସ୍ଥାନୀୟ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିଲା। ସୋମବାର ମୃତକଙ୍କ ଶବ ଶୋଭାଯାତ୍ରାରେ ହଜାର ହଜାର ଜନତା ସାମିଲ ହୋଇଥିଲେ।

Leave A Reply