ଜିଏସଟି ଆକଳନରେ ଅନିୟମିତତା ଅଭିଯୋଗ, ଠିକାଦାର ସଂଘର ଦାବିପତ୍ର ପ୍ରଦାନ

ଫୁଲବାଣୀ : ଜିଏସଟି ଏବଂ ଅନ୍ୟାନ୍ୟ କର ଆକଳନରେ ବ୍ୟାପକ ତ୍ରୁଟି ଅଭିଯୋଗ କରି ଏହାର ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ଜିଲା ଠିକାଦାର ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ଅଭିଯୋଗ ପ୍ରକାରେ ବାଣିଜ୍ୟକର ବିଭାଗ ଅଧିକାରୀମାନଙ୍କ ଭୁଲ ଆକଳନ ଫଳରେ କ୍ଷୁଦ୍ର ଠିକାଦାରମାନଙ୍କ ଉପରେ ମାତ୍ରାଧିକ ଜିଏସ୍‌ଟି, ସୁଧ ଏବଂ ଜୋରିମାନା ପାଇଁ ନୋଟିସ୍ ଜାରି କରାଯାଇଛି। ଠିକାଦାରମାନେ ବିଭିନ୍ନ ନିର୍ମାଣ ସାମଗ୍ରୀ କ୍ରୟ ସମୟରେ ଜିଏସଟି ଏବଂ ଅନ୍ୟାନ୍ୟ ଟିକସ ପଇଠ କରୁଥିଲେ ବି ପୁଣି ଥରେ ଏହା ଦେବାକୁ ସେମାନଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି। କର୍ତ୍ତୁପକ୍ଷଙ୍କ ଭୁଲ ଆକଳନ ଯୋଗୁଁ ଠିକାଦାରମାନଙ୍କ ଉପରେ ମାତ୍ରାଧିକ ଟିକସର ବୋଝ ପଡିଛି, ଯାହାକି ଦେବା ପାଇଁ ସେମାନେ ସକ୍ଷମ କିମ୍ବା ନିୟମତଃ ବାଧ୍ୟ ନୁହନ୍ତି। ଦାବୀପତ୍ରରେ ଉଲ୍ଲେଖ ତଥ୍ୟ ଅନୁଯାୟୀ ଗତ ୨୦୧୭ ମସିହାରେ ସେମାନେ ଜିଏସଟି ସଂପର୍କରେ ସଂପୂର୍ଣ୍ଣଭାବେ ଅବଗତ ଥିଲେ। ତେଣୁ ସେହି ସମୟରେ ହୋଇଥିବା ତ୍ରୁଟିକୁ ବିଭାଗ ବିଚାରକୁ ନେଇ ପୁନଃ ମୂଲ୍ୟାୟନ କରିବା ପାଇଁ ଦାବି କରାଯାଇଛି।ପୂର୍ବରୁ କୌଣସି ସୂଚନା ଦେଇ  ଦୀର୍ଘ ଚାରିବର୍ଷ ପରେ ବାଣିଜ୍ୟକର ବିଭାଗ ହଠାତ ଏତେ ପରିମାଣର ଟିକସ ଏବଂ ଜୋରିମାନା ଦାବି କରିବା ଏବେ ଠିକାଦାରମାନଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି ବୋଲି ସଂଘର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଟିକସ ଫାଙ୍କିବା ଆମର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଏହାର ସଠିକ ଆକଳନ ହେବା ଦରକାର ବୋଲି କହିଛି ସଂଘ। ତେଣୁ ଏହାର ପୁନର୍ବିଚାର କରି ଠିକାଦାରମାନଙ୍କୁ ଏଭଳି ଅବାସ୍ତବ ଟିକସ ଜୋରିମାନାରୁ ନିସ୍ତାର ଦେବା ପାଇଁ ପୁଲବାଣୀ ଠିକାଦାର ସଂଘ ପକ୍ଷରୁ ବ୍ରହ୍ମପୁର ବାଣିଜ୍ୟକର କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ବାଣିଜ୍ୟକର ସହକାରୀ କମିଶନର ଆଜି ସଂଘ କର୍ମକର୍ତ୍ତାଙ୍କଠାରୁ ଏହି ଦାବିପତ୍ର ଗ୍ରହଣ କରିଛନ୍ତି। ସଭାପତି ଦୁର୍ଯ୍ୟେଧନ ପଟନାୟଙ୍କ ନେତୃତ୍ୱରେ ସଂଘ ସଂପାଦକ ଅଭୟ ପଟ୍ଟନାୟକ, ସହ ସଂପାଦକ ପାର୍ଥ ସାରଥୀ ବିଶ୍ୱାଳ,ରଜନୀ ଶଂକର ପ୍ରଧାନ,ପ୍ରକାଶ ପଟ୍ଟନାୟକ, ଆଶୀଷ ମହାନ୍ତି ,ପ୍ରକାଶ ଚନ୍ଦ୍ର ସାହୁ , ରାତ ବିହାରୀ ପାଣ୍ଡେ ,ବିଜୟ ଭୁମାର ଭଟ , ସନ୍ତୋଷ କୁମାର ବେହେରା , ପ୍ରକାଶ ଚନ୍ଦ୍ର ସାହୁ ,ରାଜେନ୍ଦ୍ର କୁମାର ଖଟୁଆ , ଅଶୋକ କୁମାର ମହାନ୍ତି , ପ୍ରକାଶ ପାଣିଗ୍ରାହୀ ,ଗିରିଶ ପଟନାୟକ , ଯୋଗେନ୍ଦ୍ର କୁମାର ମହାନ୍ତିଙ୍କ ସମେତ ଅନ୍ୟମାନେ ପୁଲବାଣୀ ବାଣିଜ୍ୟକର ସହକାରି କମିଶନରଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିବା ସହିତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳର ବହୁ ଠିକାଦାରମାନେ ସାମିଲ୍ ହୋଇଥିଲେ।

Comments are closed.