ପମ୍ପୁ ତାଲାବର ପୁନଃରୁଦ୍ଧାର ପାଇଁ ୩ ଦଫା ଦାବୀ ପତ୍ର ପ୍ରଦାନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ସର୍ବ ପୁରାତନ ଏବଂ ଐତିହାସିକ ପମ୍ପୁ ତାଲାବର ପୁନଃରୁଦ୍ଧାର ସହ ୩ ଦଫା ଦାବୀ ପତ୍ର ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଆଜି କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବଲାଙ୍ଗିରଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀ ଆଗାମୀ ଦିନରେ ପୁରଣ କରାନଗଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଦୀର୍ଘ ବ୍ରିଟିଶ ସମୟରୁ ରେଲବାଇ ବିଭାଗ ଦ୍ୱାରା ଆନୁମାନିକ୧୦୦ ଏକର ଜମିରେ ବିରାଟ ବନ୍ଧ ନିର୍ମାଣ କରାଯାଇ ରେଲବିଭାଗ ସହ ସ୍ଥାନୀୟ ବାସିନ୍ଦା ଏହି ବନ୍ଧ ଉପରେ ନିର୍ଭରଶୀଳ ହୋଇ ଆସୁଥିଲେ। ଏହି ବନ୍ଧରେ ପାଣି ରହୁଥିବା ଯୋଗୁଁ ସହରର ସମସ୍ତ ନଳକୂପ ଓ କୂଅର ଜଳସ୍ତର ବୃଦ୍ଧିପାଇବା ସହ ଲୋକେ ପାଣି ପାଉଥିଲେ। କିନ୍ତୁ କିଛି ବର୍ଷ ପୂର୍ବେ ଏହି ବନ୍ଧର ସଫେଇ କରି ଉପଯୋଗୀ କରିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉପଯୋଗୀ ହୋଇପାରି ନାହିଁ। ବନ୍ଧର ଆଡିକୁ କାଟି ଦିଆଯାଇ ଏହାର ପାଣି ବାହାର କରିଦିଆଯାଇଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ମୁତାବକ ବନ୍ଧର ଆଡି କଟା ଯିବ ନାହିଁ କିମ୍ବା ପାଣି ବାହାର କରାଯିବ ନାହିଁ। କିନ୍ତୁ ତ୍ରୁଟି ପୂର୍ଣ୍ଣ ଯୋଜନା ଯୋଗୁଁ କିଛି ଅସାଧୁ ଠିକାଦାର ଓ ଅଫିସର ମିଶି ବିନା ଅନୁମତିରେ ଏହାର ଆଡି ବନ୍ଧକୁ କାଟି ଦେଲେ ଯାହା ଫଳରେ ସୁପ୍ରିମକୋର୍ଟ ଆଦେଶର ଅବମାନନା ହୋଇଥିବା ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି।

ଏହି ବନ୍ଧର ପାର୍ଶ୍ବରେ ବଡ ବଡ ନାଳ ନିର୍ମାଣ କରାଯାଉଥିଲା ଯାହା ଅସଂପୁର୍ଣ୍ଣ ହୋଇ ପଡିରହିଛି। ବର୍ତ୍ତମାନ ଏହି ପୋଖରୀରେ ପାଣି ନଥିବାରୁ ସହରର କୁଅ, ପୋଖରୀ, ନଳକୂପର ଜଳସ୍ତର ହ୍ରାସ ପାଇଛି। ଏହି ବିରାଟ ବନ୍ଧରେ ପାଣି ନଥିବାରୁ ସହର ବାସୀ ହାହାକାର ହେଉଛନ୍ତି। ଏହା ଉପରେ ନିର୍ଭର ଶହ ଶହ ଗରିବ ଲୋକେ ଗାଧୋଇବା ପାଇଁ ମଧ୍ୟ ପାଣି ପାଇପାରୁନାହାନ୍ତି। ଏଣୁ ଏହି ୩ ଦଫା ପ୍ରମୂଖ ଦାବୀ ପ୍ରଦାନ ସହ ସ୍ଥାନୀୟ ଡାକବଙ୍ଗଳା ଠାରେ ଅଜୟ ଦାସଙ୍କ ସହ ବହୁ ବସ୍ତି ବାସିନ୍ଦା ଆଲୋଚନା କରିବା ସହ ବନ୍ଧ ପାଖକୁ ଯାଇ ସରଜମିନ ତଦନ୍ତ କରିଥିଲେ। ଏହି ଆଲୋଚନାରେ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପଟ୍ଟନାୟକ, ସହାୟକ ଯନ୍ତ୍ରୀ ସୁରେନ୍ଦ୍ର କୁମାର ମିଶ୍ର ଙ୍କ ସହ ନନ୍ଦ କିଶୋର ଅଗ୍ରବାଲ, ଅରୁଣ ଆର୍ଯ୍ୟା, ଅଶ୍ୱିନୀ ପୁଟା, ଶ୍ରୀକାନ୍ତ ମହାନନ୍ଦ, ସୁମନ୍ତ ତ୍ରିପାଠୀ, ଗୋବିନ୍ଦ ମିତ୍ତଲ, ଗୁଡ୍ଡୁ ବେହେରା, ଦଶରଥ ସତନାମୀ, ଗୁହାଲୁ ସତନାମୀ, ସୁମନ୍ତ ସେଠ ଙ୍କ ସହ ବହୁ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ।

Comments are closed.