ଇସିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ପତ୍ର

ନୂଆଦିଲ୍ଲୀ : ଏକ ଅଭିନବ ଘଟଣାକ୍ରମେ ଦେଶର ୬୬ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିର୍ବାଚନ ଆୟୋଗ (ଇସି)ଙ୍କ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି। ସେମାନେ ଏଥିରେ ଇସିଙ୍କ କାର୍ଯ୍ୟଶୈଳୀ ନେଇ ଚିନ୍ତା ପ୍ରକଟ କରିବା ସହ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ପକ୍ଷପାତିତା ନେଇ ସମାଲୋଚନା କରିଛନ୍ତି। ସେମାନେ ଉପଗ୍ରହ ବିଧ୍ବଂସୀ ଅସ୍ତ୍ର (ଏ ସାଟ୍‌), ମୋଦୀଙ୍କ ଜୀବନୀ ଚଳଚ୍ଚିତ୍ର, ନମୋ ଟିଭି ଆଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବିଜେପି ନେତାଙ୍କ ଭାଷଣ ଓ ବକ୍ତବ୍ୟ ନେଇ ପ୍ରଶ୍ନ ଉଠାଇବା ସହ ଏହି ଅନୁଷ୍ଠାନ ସମ୍ପ୍ରତି ନିଜର ବିଶ୍ବସନୀୟତା ହରାଇଥିବା ଉଲ୍ଲେଖ କରିଛନ୍ତି। ଏହି ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଜୁଲିଓ ରିବେରୋ ଓ ମୀରାନ୍‌ ବୋରୱାଙ୍କର, ପୂର୍ବତନ ବୈଦେଶିକ ସଚିବ ଶିବଶଙ୍କର ମେନନ, ପୂର୍ବତନ ଦିଲ୍ଲୀ ଉପରାଜ୍ୟପାଳ ନଜିବ ଜଙ୍ଗ୍‌, ପୂର୍ବତନ ଟ୍ରାଇ ଅଧ୍ୟକ୍ଷ ରାହୁଲ ଖୁଲାର, ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କେଶବ ଦେଶୀରାଜୁ, ପୂର୍ବତନ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଜବାହର ସିରକାର ପ୍ରମୁଖ ଚର୍ଚ୍ଚିତ ବ୍ୟକ୍ତିତ୍ବ। ଇସିଙ୍କ କାର୍ଯ୍ୟଶୈଳୀ ଅନୁଷ୍ଠାନର ସ୍ବାଧୀନତା, ସ୍ବାତନ୍ତ୍ର୍ୟ, ସଚ୍ଚୋଟତା, ନିରପେକ୍ଷତା, ଦକ୍ଷତାକୁ ଜଳାଞ୍ଜଳି ଦେଇଛି।

Comments are closed.