ଗୋଷ୍ଠୀ ସଂକ୍ରମଣମୁହାଁ ରାଜଧାନୀ

-ବନ୍ଦ ହେଲା ମାର୍କେଟ୍‌ ବିଲ୍‌ଡିଂ ଓ ହାଟ ବଜାର, ସତର୍କ ନହେଲେ ବଡ଼ ବିପଦ, -ଜିଲା ବ୍ୟବସାୟୀ ସଂଘର ନିଷ୍ପତ୍ତି: ଗଞ୍ଜାମରେ ୧୦, କଳାହାଣ୍ଡିରେ ୫ ଦିନ ବଜାର ବନ୍ଦ

ଭୁବନେଶ୍ବର : କରୋନା ସଂକ୍ରମଣ ରାଜଧାନୀରେ ଅଣାୟତ୍ତ ସ୍ଥିତିକୁ ମୁହାଁଇଲାଣି ତଥାପି ଲୋକେ ଚେତୁନାହାନ୍ତି। କେବଳ ରାତ୍ରିକାଳୀନ ସାନ୍ଧ୍ୟ ଆଇନ ଏବଂ ତାଲାବନ୍ଦ ଭଳି କଟକଣାକୁ ଛାଡ଼ିଦେଲେ ବାକି ସମୟ ବଜାରଘାଟରେ ଅସମ୍ଭାଳ ଭିଡ଼। ଅଧିକାଂଶ ବଜାରରେ ଉଭୟ କ୍ରେତା ଓ ବିକ୍ରେତା କାହାରି ମୁହଁରେ ତୁଣ୍ଡି(ମାସ୍କ) ନାହିଁ। ଯାହାର ଅଛି ସେସବୁ ନାକ ତଳେ। କେବଳ ପୁଲିସ ଧରିବା ଡରରେ କିଛି ନାଁକୁ ମାତ୍ର ମୁହଁରେ ତୁଣ୍ଡି ଓହଳାଇଛନ୍ତି।
ଆଜି ସଂକ୍ରମଣ ୧୦୦୦ ଟପିବା ପରେ ଏହା ଏପର୍ଯ୍ୟନ୍ତ ଚଳିତ ବର୍ଷ ଭୁବନେଶ୍ବରରେ ରେକର୍ଡ ସଂକ୍ରମଣ ବୋଲି କୁହାଯାଉଛି। ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ସୃଷ୍ଟି ହୋଇଥିବା ମତ ଦେଇଛନ୍ତି। ତେବେ ଆଜିର ସଂକ୍ରମଣ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିଦ ହଜାଇଥିବାବେଳେ କର୍ତ୍ତୃପକ୍ଷ ତ୍ବରିତ ପଦକ୍ଷେପ ସ୍ବରୂପ ମାର୍କେଟ୍‌ ବିଲ୍‌ଡିଂ ସହ କିଛି ମଦ ଦୋକାନ, ହାଟ ବଜାର ବନ୍ଦ କରିଛନ୍ତି। ଏଥିସହ ଆବଦ୍ଧାଞ୍ଚଳ ଘୋଷଣା ପାଇଁ ବି ପଦକ୍ଷେପ ନିଆଯାଉଥିବା କମିସନର ସୂଚନା ଦେଇଛନ୍ତି।

କଟକଣା ସତ୍ତ୍ବେ ଏକ ନମ୍ବର ହାଟରୁ ଆରମ୍ଭ କରି ମାର୍କେଟ ବିଲ୍‌ଡିଂ ଏପରିକି ରାଜଧାନୀର ପ୍ରାୟ ସମସ୍ତ ହାଟରେ ପ୍ରବଳ ଗହଳି ଲକ୍ଷ୍ୟ କରାଯାଉଛି। ସହସ୍ରାଧିକ ଲୋକଙ୍କ ଭିଡ଼ ଭିତରେ ସଂକ୍ରମଣ ମାତ୍ରାଧିକ ବ୍ୟାପିବାରେ ଲାଗିଛି। ଗତବର୍ଷ ଠିକ୍‌ ଏହି ସମୟରେ ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ହେଁ ରାଜ୍ୟ ସରକାର ଭୁବନେଶ୍ବରରେ ତାଲାବନ୍ଦ ଘୋଷଣା କରିଥିଲେ। ପ୍ରବଳ କଟକଣା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିଥିଲା। କିନ୍ତୁ ଗତବର୍ଷର ତିକ୍ତ ଅନୁଭୂତିକୁ ଲୋକେ ପାସୋରି ଗଲେ।
ରାଜଧାନୀର ମାର୍କେଟ ବିଲ୍ଡିଂ ବାଣିଜ୍ୟିକ ପେଣ୍ଠସ୍ଥଳରେ ପ୍ରବଳ ଜନଗହଳି ହେଉଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ୪୮ ଘଣ୍ଟା ପାଇଁ ବନ୍ଦ କରିଦେଇଛି। କରୋନା ମାର୍ଗଦର୍ଶିକା ଉଲ୍ଲଙ୍ଘନ କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି। ବୁଧବାର ସନ୍ଧ୍ୟାରୁ ଏହାକୁ ବନ୍ଦ କରାଯାଇଥିବାବେଳେ ଶନିବାର ଓ ରବିବାର ସପ୍ତାହାନ୍ତ ବନ୍ଦ ଥିବାରୁ ମୋଟ ୪ ଦିନ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତା ବଜାୟ ରଖୁ ନ ଥିବା ଏବଂ ଗହଳି ବଢୁଥିବା କାରଣରୁ ଏହା କରାଯାଇଛି।
ରାଜଧାନୀରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବା ସହ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ୧୦୪୪ ନୂଆ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮୨୫ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି। ପଟିଆ ଅଞ୍ଚଳରୁ ସର୍ବାଧିକ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ଗଞ୍ଜାମ ବ୍ୟବସାୟୀ ଅଣ୍ଟା ଏବେ ଭିଡ଼ିଛନ୍ତି। ଜିଲାର ସମସ୍ତ ସହରାଞ୍ଚଳରେ ଦିନ ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ନିଷ୍ପତ୍ତି ନେଇଛି। ବୁଧବାରଠାରୁ ଆସନ୍ତା ୧୦ ଦିନ ଯାଏଁ ଏଭଳି କଟକଣା ପାଳନ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାକୁ ଜିଲା ପ୍ରସାଶନ ସ୍ୱାଗତ କରିବା ସହ ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେହିଭଳି କଳାହାଣ୍ଡି ବଣିକ ସଂଘ ମଧ୍ୟ ପୂରା ଜିଲାରେ ବୁଧବାରଠାରୁ ଆଗାମୀ ୫ ଦିନ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପନିପରିବା, କ୍ଷୀର ଓ ଫଳ ଦୋକାନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ଦିନ ୧୦ଟା ଯାଏଁ ଖୋଲା ରହିବ। ବ୍ୟବସାୟୀଙ୍କ ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।
କରୋନାର ଦ୍ବିତୀୟ ଲହର ଅଧିକ ମାରାତ୍ମକ ଏବଂ ଏହା ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ଘାତକ ସାବ୍ୟସ୍ତ ହେଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାରମ୍ବାର ହାତଯୋଡ଼ି ସତର୍କ, ସାବଧାନ ରହିବାକୁ ନିବେଦନ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘନ ଘନ ନିୟମାବଳୀ ପ୍ରଚଳନ ସହିତ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ସଚେତନତା ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ଉଦ୍ୟମ ଚାଲିଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ବଜାର ଉପରେ ଚଢ଼ଉ କରାଯାଉଛି। ଆବଶ୍ୟକସ୍ଥଳେ ବଜାର ବନ୍ଦ କରାଯାଉଛି। କରୋନା ପାଇଁ ସମସ୍ତଙ୍କୁ ସତର୍କ କରାଯାଉଛି। ହେଲେ ସବୁ ଜାଣି ମଧ୍ୟ ଅଧିକାଂଶ ବଜାରରେ କରୋନା ନିୟମାବଳୀ ଖୋଲା ଉଲ୍ଲଙ୍ଘନ କରାଯାଉଛି। ଏପରିକି ଭୁବନେଶ୍ବରର ପ୍ରାୟ ଅଧିକାଂଶ ପରୀକ୍ଷଣ ଏବଂ ଟିକାକରଣ କେନ୍ଦ୍ରରେ ଭିଡ଼ ଅଣାୟତ୍ତ ହୋଇଛି। ଏଭଳି ଭିଡ଼ରେ ସୁସ୍ଥ ଲୋକେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି।
ଭୁବନେଶ୍ବରର ୧ ନମ୍ବର, ୪ ନମ୍ବର, ମାର୍କେଟ ବିଲ୍‌ଡିଂଠାରୁ ଆରମ୍ଭ କରି ପ୍ରତି ୱାର୍ଡରେ ଥିବା ଦୈନିକ ହାଟଗୁଡ଼ିକରେ କରୋନା ନିୟମାବଳୀ ପ୍ରାୟ ପାଳନ କରାଯାଉନାହିଁ। ଗତବର୍ଷ ଯେପରି ଦୋକାନ ଆଗରେ ଗୋଲେଇ ଗାର ଟାଣି ଧାଡ଼ିରେ ଗ୍ରାହକ କେତ୍ରାଙ୍କଠାରୁ ସଉଦା କିଣୁଥିଲେ ସେ ପ୍ରକାର ଆଦବ କାଏଦାକୁ ଅନେକ ପାସୋରି ଗଲେଣି। ଏବେ କରୋନା ଯେଉଁ ପର୍ଯ୍ୟାୟରେ ପହଞ୍ଚିଲାଣି ଆଗକୁ ସଂକ୍ରମଣ ଗତି ଅତି ଭୟଙ୍କର ରୂପ ଧାରଣ କରିବାର ଆଭାସ ମିଳିଲାଣି। ସତର୍କ ଓ ସାବଧାନ ନହେଲେ ନିୟମକୁ ଫାଙ୍କୁଥିବା ଲୋକେ ହିଁ ଏଥିରେ ସଂକ୍ରମିତ ହେବାର ଡର ଅଧିକ। ବିଏମ୍‌ସି ଆଗକୁ ଅତି କଠୋର ପଦକ୍ଷେପ ନେବାର ସମ୍ଭାବନା ରହିଛି ଏବଂ ଏ ବିଷୟରେ କମିସନର ସୁରାକ ବି ଦେଇସାରିଲେଣି। ତେଣୁ ଲୋକେ ବିପଦରେ ପଡ଼ିବା ପୂର୍ବରୁ ସତର୍କ ଓ ସଚେତନ ହେବାର ଜରୁରୀ ଆବଶ୍ୟକତା ରହିଛି।

Comments are closed.