ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନକୁ ମାନବାଧିକାର କମିସନଙ୍କ ସମନ

0

ଭବାନୀପାଟଣା : କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଳକ୍‍ ବୃନ୍ଦାବାହାଲ ଗାଁ ରେ କିଡନୀ ରୋଗରେ ମାସକ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଏବଂ ୫୦ ଆକ୍ରାନ୍ତ ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଭର୍ତ୍ସନା କରିଛନ୍ତି ଜାତୀୟ ମାନବାଧିକାର କମିଶନ। କମିଶନ ଦୁଇ ଥର ରାଜ୍ୟ ସରକାରଙ୍କୁ ନୋଟିସ କରି ରିପୋର୍ଟ ତଲବ କରିଥିଲେ ମଧ୍ୟ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଛଡ଼୍‍ତି। ଏଥିପାଇଁ କମିଶନ କ୍ଷୋଭ ପ୍ରକାଶ କରିବା ସହ ୨୩ ଅକ୍ଟୋବର ୨୦୧୮ରେ ବ୍ୟକ୍ତିଗତ ହାଜିରା ହେବାପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।
ଅକ୍ଟୋବର ୨୦୧୫ରେ ବୃନ୍ଦାବାହାଲ ଗାଁ ରେ ମାସକ ମଧ୍ୟରେ କିଡନି ରୋଗରେ କପିଳ ରାଉତଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଓ ୫୦ ଜଣ ଆକ୍ରାନ୍ତ ବାବଦରେ ଏକ ରିପୋର୍ଟ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେ। ଏହି ରିପୋର୍ଟ ଆଧାରରେ ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାରେ ମାନବାଧିକାର କମିଶନ ୩/୫/୨୦୧୬ ଓ ୧/୧୨/୨୦୧୭ରେ ଦୁଇ ଦୁଇ ଥର ନୋଟିସ ପଠାଇଥିଲେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ଏ କ୍ଷେତ୍ରରେ ନିରବ ରହିଛି। ଇତିମଧ୍ୟରେ ଦୁଇ ଦୁଇଜଣ ସଚିବ ବଦଳି ହୋଇ ସାରିଲେଣି କିନ୍ତୁ ଜାତୀୟ ମାନବାଧିକାର କମିଶନଙ୍କୁ ରିପୋର୍ଟ ଦିଆଯାଇ ନାହିଁ। ଏଣୁ କମିଶନ ଶେଷଥର ପାଇଁ ୩ ଅଗଷ୍ଟ ୨୦୧୮ରେ ଚରମବାଣୀ ଶୁଣାଇ ସମନ ଜାରି କରିଛନ୍ତି। ଅକ୍ଟୋବର ୨୩ ତାରିଖ ପୂର୍ବରୁ ଯଦି ରିପୋର୍ଟ କମିଶନଙ୍କ ନିକଟରେ ନ ପହଞ୍ଚେ ତେବେ ସ୍ୱାସ୍ଥ୍ୟ ସଚିବ ବ୍ୟକ୍ତିଗତ ଭାବରେ ହାଜର ହୋଇ ରିପୋର୍ଟ ପ୍ରଦାନ କରିବାକୁ କମିଶନ ନିର୍ଦେଶ ଦେଇଛନ୍ତି।

Leave A Reply