ସବୁ ଥାନାରେ ଖୋଲାଯିବ ସାଇବର ସେଲ୍‍: କମିସନର

0

କଟକ : କଟକ-ଭୁବନେଶ୍ୱର କମିସନରେଟ ପୁଲିସର ୫ମ ପୁଲିସ କମିସନରଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ ଓଡ଼ିଆ ଆଇପିଏସ୍‍ ଅଫିସର ସତ୍ୟଜିତ ମହାନ୍ତି। କଟକରେ ପୂର୍ବରୁ ଏସ୍‍ପିଭାବେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବା ଶ୍ରୀ ମହାନ୍ତିଙ୍କ ଦ୍ୱାରା ଦ୍ୱୈତନଗରୀର ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ସହରବାସୀ ବେଶ ଆଶାବାଦୀ। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ କମିସନରେଟ ପୁଲିସକୁ ଶୃଙ୍ଖଳିତ କରିବା ପାଇଁ ରହିଥିବା ଲକ୍ଷ୍ୟ ଓ କାର୍ଯ୍ୟଖସଡା ସମ୍ପର୍କରେ ସେ ଯାହା କହନ୍ତି….
ପ୍ରଶ୍ନ-ଦୀର୍ଘଦିନ ବ୍ୟବଧାନ ପରେ ଆପଣଙ୍କୁୂ ପୁଣି ସାଧାରଣ ଲୋକଙ୍କ ସହିତ ପ୍ରତ୍ୟକ୍ଷଭାବେ କାମ କରିବାର ସୁଯୋଗ ମିଳିଛି। କିପରି ଏହାକୁ ଗ୍ରହଣ କରିବେ?
ଉତ୍ତର-କଟକର ଏସ୍‍ପିଭାବେ ଦୀର୍ଘବର୍ଷ କାର୍ଯ୍ୟ କରିବା ପରେ ମୁଁ ବିଭିନ୍ନ ରେଞ୍ଜରେ ଡିଆଇଜିଭାବେ କାର୍ଯ୍ୟ କରିଛି। ସବୁବେଳେ ହିଁ ସାଧାରଣ ଲୋକଙ୍କ ସହିତ ରହିଛି। ପୂର୍ବ ଅଭିଜ୍ଞତାକୁ ଆଧାରକରି କମିସନରେଟ ପୁଲିସକୁ ଅଧିକ ଲୋକଙ୍କ ନିକଟତର କରିବାକୁ ପ୍ରଚେଷ୍ଟା କରିବି। ଜନସାଧାରଣଙ୍କ ସେବା କରିବାକୁ ସୁଯୋଗ ମିଳିଥିବାରୁ ଏହାର ସଦ୍‍ବିନିଯୋଗ କରିବାକୁ ପ୍ରୟାସ କରିବି।
ପ୍ରଶ୍ନ-୨୦୦୮ରେ କମିସନରେଟ ପୁଲିସ ବ୍ୟବସ୍ଥା ଆରମ୍ଭ ହେବା ପରେ ଦ୍ୱୈତନଗରୀର ଜନସାଧାରଣ ପୁଲିସଠାରୁ ଉନ୍ନତ ସେବା ପାଇବେ ବୋଲି ଆଶା କରିଥିଲେ;କିନ୍ତୁ ଅଧିକାଂଶ ସମୟରେ କମିସନରେଟ ପୁଲିସ ବିରୋଧରେ ବିଭିନ୍ନ ସଙ୍ଗିନ ଅଭିଯୋଗ ଆସୁଛି
ଉତ୍ତର-ସହରାଞ୍ଚଳ ଲୋକଙ୍କୁ ତତ୍କାଳ ସେବା ଉପଲବ୍ଧ କରିବା ସହିତ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ କରିବାର ଲକ୍ଷ୍ୟନେଇ ସରକାର ଦ୍ୱୈତନଗରୀରେ କମିସନରେଟ ପୁଲିସ ବ୍ୟବସ୍ଥା ଆରମ୍ଭ କରିଥିଲେ। କମିସନରେଟ ପୁଲିସ ନିକଟରେ ସାଧାରଣ ପୁଲିସ ଓ ମାଜିଷ୍ଟ୍ରେଟ କ୍ଷମତା ରହିଛି। ଟ୍ରାଫିକ ସମସ୍ୟା, ଆଇନଶୃଙ୍ଖଳା, ଶୋଭାଯାତ୍ରା, ଆତସବାଜି, ଡାକବାଜି ଯନ୍ତ୍ରର ବହୁଳ ବ୍ୟବହାର ଯୋଗୁଁ ସହରବାସୀ ଅଣନିଃଶ୍ୱାସୀ ହୋଇପଡୁଥିଲେ। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ଏହିସବୁ ସମସ୍ୟାରେ ଘାଣ୍ଟି ହେଉଥିଲେ। ୨୦୦୮ରେ କମିସନରେଟ ପୁଲିସ ବ୍ୟବସ୍ଥା ପ୍ରଚଳନ ପରେ ଶୋଭାଯାତ୍ରା, ଆତସବାଜି, ଡାକବାଜି, ଟ୍ରାଫିକ ସମସ୍ୟାରେ ବ୍ୟାପକ ସୁଧାର ଆସିଛି। ଦ୍ୱୈତନଗରୀର ଆଇନଶୃଙ୍ଖଳା ପରିସ୍ଥିତି ବି ବେଶ ସୁଧୁରିଛି। ହାତଗଣତି କେତେକ ଅଭିଯୋଗକୁ ଛାଡି ଦେଲେ କମିସନରେଟ ପୁଲିସ ଦ୍ୱୈତନଗରୀବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେଇଚାଲିଛି। ଆଗାମୀ ଦିନରେ ଏହି ସେବାକୁ ଅଧିକ ବ୍ୟାପକ କରାଯିବା ଦିଗରେ ଦୃଷ୍ଟି ଦିଆଯିବ।

ପ୍ରଶ୍ନ-ଉଭୟ କଟକ ଓ ଭୁବନେଶ୍ୱରରେ ସାଧାରଣ ଅପରାଧ ସହିତ ସାଇବର ଅପରାଧ ବୃଦ୍ଧି ପାଇଚାଲିଛି। ଏ ଦିଗରେ କମିସନରେଟ ପୁଲିସ ପକ୍ଷରୁ କିଛି ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ କି?
ଉତ୍ତର-ଦ୍ୱୈତନଗରୀରେ ସାଇବର ଅପରାଧ ରୋକିବା ଓ ମାମଲାର ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦେକ୍ଷପ ନିଆଯାଉଛି। ଅଧିକରୁ ଅଧିକ ପୁଲିସ ଅଧିକାରୀଙ୍କୁ ତାଲିମ ଦିଆଯାଉଛି। ସରକାର ମଧ୍ୟ କ୍ରାଇମବ୍ରାଞ୍ଚ ଓ ଅଭିଜ୍ଞଙ୍କ ବ୍ୟକ୍ତିମାନଙ୍କ ଦ୍ୱାରା ସାଇବର ଅପରାଧ ସଂକ୍ରାନ୍ତରେ ପୁଲିସ ଅଧିକାରୀଙ୍କୁ ନିୟମିତ ତାଲିମ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।
ପ୍ରଶ୍ନ- କମିସନରେଟ ପୁଲିସରେ ଏକ ସ୍ୱତନ୍ତ୍ର ସାଇବର ଥାନା ପ୍ରତିଷ୍ଠା ପାଇଁ ଯୋଜନା ରହିଛି କି?
ଉତ୍ତର- ଆଗାମୀ ଦିନରେ ସାଇବର ଅପରାଧ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। ସାଇବର ଅପରାଧ ମାମଲାର ତଦନ୍ତ କମିସନରେଟ ପୁଲିସ ପାଇଁ ଏକ ବଡ ଆହ୍ୱାନ। ଖୁବଶୀଘ୍ର ଭୁବନେଶ୍ୱରରେ ଏକ ସାଇବର ଥାନା ପ୍ରତିଷ୍ଠା କରାଯିବା ପାଇଁ ସରକାରଙ୍କ ଯୋଜନା ରହିଛି। ଏଥିସହିତ କମିସନରେଟ ପୁଲିସ ଅନ୍ତର୍ଗତ ସମସ୍ତ ଥାନାରେ ସାଇବର ସେଲ ଖୋଲିବା ପାଇଁ ବିଚାର କରାଯାଉଛି।
ପ୍ରଶ୍ନ- ଅପରାଧ ବୃଦ୍ଧି ଯୋଗୁଁ ଅଧିକାଂଶ ଅଧିକାରୀ ମାନସିକ ଚାପରେ ରହୁଛନ୍ତି। ଚାପମୁକ୍ତ ହେବା ସକାଶେ କମିସନରେଟ ପୁଲିସ କିଛି ସ୍ୱତନ୍ତ୍ର ପଦକ୍ଷେପ ନେବ କି?
ଉତ୍ତର-କେବଳ କମିସନରେଟ ପୁଲିସ ନୁହେଁ, ପୁଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କଠାରୁ ଆରମ୍ଭକରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚାପରେ ରହୁଛନ୍ତି। କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେମାନେ ନିଜ ପାଇଁ, ପରିବାର ପାଇଁ ସମୟ ଦେଇପାରୁନାହାନ୍ତି, ଏହା ସତକଥା। ଚାପ ମୁକ୍ତ ହେବା ସକାଶେ କମିସନରେଟ ପୁଲିସର କିଛି ସ୍ୱତନ୍ତ୍ର ଯୋଜନା ନଥିଲେ ମଧ୍ୟ ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହିତ ଜନସାଧାରଣ ବି ବ୍ୟସ୍ତବହୁଳ ସମୟରୁ ନିଜ ପାଇଁ ଅନ୍ତତଃ ଏକଘଣ୍ଟାରୁ ୨ଘଣ୍ଟା ସମୟ ବାହାର କରିବା ଉଚିତ। ପ୍ରତିଦିନ ସକାଳେ ବ୍ୟାୟାମ ଓ ଖେଳ ଦ୍ୱାରା ଜଣେ ସହଜରେ ଚାପମୁକ୍ତ ହୋଇପାରିବ ବୋଲି ମୋର ଆଶା ରହିଛି।

Leave A Reply