ବଢ଼ୁଛି ସଙ୍କଟ : ଦୁଇ ସପ୍ତାହ ଅଧିକ ଜଟିଳ

-୨୪ ଘଣ୍ଟାରେ ଭାରତରେ ୪୩୭ ପଜିଟିଭ୍‌, ୧୦ ମୃତ, -ମୋଟ ୧୮୩୪ ସଂକ୍ରମିତ, ମୃତ୍ୟୁସଂଖ୍ୟା ୪୫
-କଟକଣା କଠୋର, ସଂକ୍ରମଣ ନାଭିକେନ୍ଦ୍ର ଚିହ୍ନଟ, – ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
-ବିଶ୍ବ: ଦିନକରେ ୩୮୫୩ ମୃତ, ୬୨,୭୭୯ ସଂକ୍ରମିତ  

ନୂଆଦିଲ୍ଲୀ : ବୈଶ୍ବିକ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହଠାତ୍ ଭାରତରେ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଭାରତରେ ଆଉ ୪୩୭ରୁ ଅଧିକ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଭୂତାଣୁ ଆସିଥିବା ବେଳେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୮୩୪କୁ ଟପିଯାଇଛି। ଇତିମଧ୍ୟରେ ୧୪୮ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ଏବେ ଭାରତ ଲାଗି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ତାଲାବନ୍ଦୀକୁ ଅଧିକ କଡାକଡ଼ି ପାଳନ କରିବା ଓ କୌଣସି ପ୍ରକାର ଢିଲା ନଦେବାକୁ କେନ୍ଦ୍ର ସରକାର ପୁରିଥରେ ନିର୍ଦେଶ ଜାରି କରିଛନ୍ତି। ଏହି ଦୁଇ ସପ୍ତାହ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ସମୟ ହୋଇଥିବାରୁ ଅଧିକ ସୁରକ୍ଷା ଓ ସତର୍କତା ଜରୁରୀ ବୋଲି ବିଶେଷଜ୍ଞ ମହଲରୁ କୁହାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ମହାରାଷ୍ଟ୍ର(୩୦୨), କେରଳ (୨୬୫), ତାମିଲନାଡୁ (୧୨୪), ଦିଲ୍ଲୀ (୧୫୨), କର୍ଣ୍ଣାଟକ (୧୧୦) ଓ ଉତ୍ତରପ୍ରଦେଶର ୧୦୩ ଜଣ ବ୍ୟକ୍ତି ରହିଛନ୍ତି।
ଦିଲ୍ଲୀ ନିଜାମୁଦ୍ଦିନ୍‌ରେ ମୁସଲମାନଙ୍କ ମରକଜ୍ ଧର୍ମସଭାରୁ ଦେଶର ବିଭିନ୍ନ ପ୍ରାନ୍ତକୁ କରୋନା ବ୍ୟାପିବା ପରେ ପରିସ୍ଥିତି ଗୁରୁତର ଧାରଣ କରିବାକୁ ଯାଉଛି। ଇତିମଧ୍ୟରେ କରୋନା ସଂକ୍ରମଣର ନାଭିକେନ୍ଦ୍ର କୁହାଯାଉଥିବା ଦେଶର ୧୦ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରୁ ନୋଏଡା ଓ ମିରଟ, ଦିଲ୍ଲୀର ପଶ୍ଚିମ ନିଜାମୁଦ୍ଦିନ୍ ଓ ଦିଲ୍‌ସାଦ୍ ଗାର୍ଡେନ୍ ମହାରାଷ୍ଟ୍ରର ମୁମ୍ବଇ ଓ ପୁଣେ, କେରଳର କାସାରାଗଡ଼ ଓ ପଠାନ୍‌ମ୍‌ଥିଟ୍ଟା, ରାଜସ୍ଥାନର ଭିଲୱାଡା, ଗୁଜରାଟର ଅହମ୍ମଦାବାଦ ରହିଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସବୁସ୍ଥାନରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ୩ ଜଣ ରେସିଡେଣ୍ଟ ଡାକ୍ତରଙ୍କଠାରେ କରୋନା ପଜେଟିଭ୍ ଥିବା ଜଣାପଡିଛି। ସବୁଠୁ ଚିନ୍ତାଜନକ ଘଟଣା ହେଉଛି ବିଶ୍ବର ସର୍ବବୃହତ୍ ବସ୍ତି ଅଞ୍ଚଳ ରୂପେ ପରିଚିତ ମହାରାଷ୍ଟ୍ରର ଧରାବିରୁ ଜଣେ କରୋନା ସଂକ୍ରମିତଙ୍କର ଆଜି ମୃତ୍ୟୁ ଘଟିଛି। ଏହାଫଳରେ ମୁମ୍ବଇରେ ଗୋଷ୍ଠୀ ସଂକ୍ରମଣ ଘଟିଥିବା ଆଶଙ୍କା କରାଯାଉଛି। ଇଣ୍ଡିଆନ୍ ମେଡିକାଲ କାଉନସିଲ ଅଫ୍ ରିସର୍ଚ୍ଚ (ଆଇସିଏମଆର) ନେଟୱାର୍କ ଜରିଆରେ ଦେଶର ୧୨୬ଟି ସରକାରୀ ଓ ୫୧ଟି ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କରାଯାଉଛି।
ମହାରାଷ୍ଟ୍ରରେ ସ୍ଥିତି ବିଗୁଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରାତି ୧୧ଟାରେ ଫୋନ୍‌ ଯୋଗେ କଥାବାର୍ତ୍ତା କରି ସ୍ଥିତି ସମୀକ୍ଷା କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସ୍ଥିତି ଓ ଏନେଇ ନିଆଯାଇଥିବା ଓ ଆଗକୁ ନିଆଯିବାକୁ ଥିବା କଠୋର ପଦକ୍ଷେପ ସଂପର୍କରେ ଆଲୋଚନା କରିବେ। ଏଥିସହ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ପରାମର୍ଶ ଲୋଡିବେ ପ୍ରଧାନମନ୍ତ୍ରୀ ମୋଦୀ ।
ଉଲ୍ଲେଖଯୋଗ୍ୟ, ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ୨୦ ତାରିଖରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟା ସୁଦ୍ଧା ବୈଶ୍ବିକ ସ୍ତରରେ କରୋନା ମୋଟ ମୃତ୍ୟୁସଂଖ୍ୟା ୪୫,୫୪୧ ଛୁଇଁଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧୨,୫୬୫ରେ ପହଞ୍ଚିଛି। ଗୋଟିଏ ଦିନରେ ଆଉ ୩୨୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୪,୨୪୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆମେରିକା, ଫ୍ରାନ୍ସ, ଇଟାଲୀ, ସ୍ପେନ୍‌, ବ୍ରିଟେନ୍‌ ଆଦି ସମୃଦ୍ଧ ରାଷ୍ଟ୍ରରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଭୟଙ୍କର ଭାବେ ବଢିଚାଲିଛି। ଇଟାଲୀରେ ଦିନକରେ ୭୨୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ରିଟେନ୍‌ରେ ୫୬୩, ଆମେରିକାରେ ୪୬୩, ସ୍ପେନ୍‌ରେ ୫୮୯, ଇରାନରେ ୧୮୩, ନେଦରଲାଣ୍ଡରେ ୧୩୪, ବେଲଜିୟମ୍‌ରେ ୧୩୨ ଓ ଜର୍ମାନୀ ୮୩ ଜଣଙ୍କ ମୃତ୍ୟୁ ଘଟିଛି।