ଗାନ୍ଦରବଳ ଜଙ୍ଗଲକୁ ପଠାଗଲା କମାଣ୍ଡୋ

କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଠାବ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ଗାନ୍ଦରବଳ ଜିଲାର ଗଙ୍ଗବାଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଆଡ୍ଡା ଠାବ କରାଯାଇଛି। ଆଡ୍ଡା ସମ୍ପର୍କରେ ସୂଚନା ମିିଳିବା ପରେ ଏଠାକୁ ସେନାର ପ୍ରମୁଖ କମାଣ୍ଡୋଙ୍କୁ ପଠାଯାଇଛି। ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ସୁରକ୍ଷାବାହିନୀଙ୍କ ଗୁଳିରେ ପ୍ରାଣ ହରାଇବା ପରେ ଅଧିକ ଆତଙ୍କବାଦୀ ଗଙ୍ଗବାଲ ଜଙ୍ଗଲକୁ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ଏପରି କି ଜଙ୍ଗଲ ମଧ୍ୟରେ ଅଧିକ ସଂଖ୍ୟାରେ ଆତଙ୍କବାଦୀଙ୍କ ଗତିବିଧିକୁ ସେନାର ଏକ ୟୁନିଟ୍ ଦେଖିଥିବା କହିଛି। ଜଙ୍ଗଲ ମଧ୍ୟରେ ଏହି ଆତଙ୍କବାଦୀଙ୍କୁ ଠାବ କରିବା ଓ ସେମାନଙ୍କୁ ମୁକାବିଲା କରିବା ଲାଗି ସେନା ଏହାର ଇଲାଇଟ୍ କମାଣ୍ଡୋଙ୍କୁ ଏଠାକୁ ପଠାଇଛି। ଜଙ୍ଗଲ ମଧ୍ୟକୁ ରାସ୍ତାଘାଟର ସୁବିଧା ନ ଥିବାରୁ କମାଣ୍ଡୋମାନଙ୍କୁ ଆକାଶ ମାର୍ଗରୁ ହେଲିକପ୍ଟର ଦ୍ବାରା ଏୟାରଡ୍ରପ୍‌ କରାଯାଇଛି। ୧୦ଦିନ ହେଲା ଗାନ୍ଦରବଳ ଜଙ୍ଗଲ ମଧ୍ୟରେ ସେନା କମାଣ୍ଡୋମାନେ ଅଭିଯାନ ଚଳାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏପରି କି ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ଏହା ସବୁଠାରୁ ବଡ ଧରଣର ଆତଙ୍କବାଦୀ ନିରୋଧୀ ଅଭିଯାନ। ସେପ୍ଟେମ୍ବର ୨୯ରେ ଗାନ୍ଦରବଳ ଜିଲାରେ ସୁରକ୍ଷାକର୍ମୀଙ୍କ ଅଭିଯାନରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ୨୦୧୪ ପରେ ଏହି ଜିଲାରେ ପ୍ରଥମ କରି ଆତଙ୍କବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ବୋଲି ଏସଏସପି ଖଲିଲ୍ ପୋସୱାଲ କହିଛନ୍ତି। ଗାନ୍ଦରବଳ ଏକ ପାହାଡ ପର୍ବତ ପରିପୂର୍ଣ୍ଣ ଅଞ୍ଚଳ। ଗାନ୍ଦରବଳକୁ ସଂଯୋଗ କରୁଛି ଗୁରେଜ ଜିଲା। ଏହି ଦୁଇ ଜିଲା ମଧ୍ୟରେ ଅନେକ ହ୍ରଦ ରହିଛି। ଗୁରେଜ ଜିଲା ନିୟନ୍ତ୍ରଣ ରେଖା (ଏଲଓସି)କୁ ସଂଯୋଗ କରୁଛି। ଏଲଓସିରୁ ଗୁରେଜ ଜିଲାକୁ ଅନୁପ୍ରବେଶ ପରେ ଆତଙ୍କବାଦୀମାନେ ଗାନ୍ଦରବଳରେ ପହଞ୍ଚିଛନ୍ତି। ବହୁବର୍ଷ ପରେ ଆତଙ୍କବାଦୀମାନେ ସେମାନଙ୍କର ଏହି ପୁରୁଣା ମାର୍ଗକୁ ଆପଣାଇଛନ୍ତି। ଏହି ହ୍ରଦସବୁ ବିଦେଶୀ ପର୍ଯ୍ୟଟକଙ୍କ ପେଣ୍ଠସ୍ଥଳ। ପାହାଡ ଚଢିବା ଉଦ୍ଦେଶ୍ୟ​‌େର ପର୍ଯ୍ୟଟକମାନେ ଏଠାକୁ ବହୁସଂଖ୍ୟାରେ ଆସିଥାନ୍ତି। କମାଣ୍ଡୋମାନଙ୍କ ଅଭିଯାନ ଚାଲୁ ରହିଥିବାବେଳେ ପର୍ଯ୍ୟଟକମାନଙ୍କ ଯିବା ଆସିବା ଲାଗି ରହିଛି। ପୁଲିସ ଏହି ପର୍ଯ୍ୟଟକଙ୍କ ହିସାବ ରଖିଛି। ପୁଲିସ କହିବା ଅନୁଯାୟୀ ଗୁରେଜ ଜିଲାରୁ ଗାଙ୍ଗବାଲ ଜଙ୍ଗଲକୁ ଆସିବା ପାଇଁ ଆତଙ୍କବାଦୀଙ୍କୁ ୩-୪ଦିନ ଲାଗିଥାଏ। ଗାନ୍ଦରବଳରୁ ଶ୍ରୀନଗର ଉପକଣ୍ଠ ତ୍ରାଲରେ ପହଞ୍ଚିବାକୁ ୭ଘଣ୍ଟା ଲାଗିଥାଏ। ତ୍ରାଲ ହେଉଛି ମୃତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ବ୍ରୁହାନ ୱାନିର ଘରୋଇ ସହର। ସେପ୍ଟେମ୍ବର ୩୦ରେ ନାରଙ୍ଗର ସ୍ଥାନୀୟ ଲୋକଙ୍କ ସହାୟତାରେ ସେନା ଓ ପୁଲିସ ମୃତ ଆତଙ୍କବାଦୀଙ୍କ ମୃତଦେହକୁ ଉଦ୍ଧାର କରିବା ସହ ନିକଟସ୍ଥ କବରସ୍ଥାନରେ କବର ଦେଇଥିଲା। ପୁଲିସ କହିଛି ଯେ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନଥିଲା। ପରିଚୟ ପାଇଁ ସେମାନଙ୍କ ଡିଏନଏ ନମୁନା ସଂଗ୍ରହ କରାଯିବା ପରେ କବର ଦିଆଯାଇଥିଲା। ଡିଏନଏ ରିପୋର୍ଟ ମିିଳି ନଥିବାବେଳେ ଉତ୍ତର କାଶ୍ମୀର ସୋପୋରର ଏକ ପରିବାର ମୃତ ଜଣେ ଆତଙ୍କବାଦୀକୁ ନିଜର ପୁଅ ବୋଲି ଦାବି କରିଛି; ଯିଏକି ୨୦୧୮ରେ ବୈଧ ପାସପୋର୍ଟ ମାଧ୍ୟମରେ ପାକିସ୍ତାନ ଯାଇଥିଲା। ଫୋନ ଓ ଇଣ୍ଟରନେଟ ସେବା ବନ୍ଦ ଥିବାବେଳେ ଆତଙ୍କବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୋପୋରବାସୀ ଉକ୍ତ ପରିବାର କିପରି ଜାଣିବାକୁ ପାଇଲେ ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି।

Comments are closed.