ଆଗାମୀ କିଛି ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିବା ୟସ୍‍ ଉପକୂଳର ଯେତିକି ନିକଟବର୍ତ୍ତୀ ହେବାରେ ଲାଗିଛି, ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ପରିମାଣ ଏବଂ ପବନର ବେଗ ଅନୁରୂପ ଭାବେ ବୃଦ୍ଧିପାଇବାରେ ଲାଗିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାରେ ପବନ ସହିତ ଅଧିକ ବର୍ଷା ହେବାନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟା ବାସୁଦେବପୁର ଓ ବାହାନଗା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହେବାପରେ ଭଦ୍ରକ, ବାଲେଶ୍ୱର ଜିଲାରେ ପବନ ଓ ବର୍ଷା ବଢିବ। ଏହାପରେ ବାତ୍ୟାର ଗତି ସହିତ ମୟୁରଭଞ୍ଜ ଜିଲାରେ ମଧ୍ୟ ବର୍ଷା ଓ ପବନ ବୃଦ୍ଧିପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ ବିିଭିନ୍ନ ସ୍ଥାନରେ ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟ ଆଦି ଉପୁଡିବା, କଚା ଘର ଓ ପୁରୁଣା ଦୁର୍ବଳ ଘର ଭାଙ୍ଗିବା ସମ୍ଭାବନା ରହିଛି। ସେଥିପାଇଁ ଜନସାଧାରଣ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି।

Comments are closed.