ମାଲକାନଗିରି ମହାବିଦ୍ୟାଳୟକୁ ମିଳିଲା ସରକାରୀ ମାନ୍ୟତା

0

ମାଲକାନଗିରି: ମାଓ ପ୍ରବଣ ତଥା ପଛୁଆ ଜିଲା ଭାବେ ପରିଚିତ ମାଲକାନଗିରିର ବହୁ ପୁରାତନ ମହାବିଦ୍ୟାଳୟକୁ ସରକାର ପୋଷ୍ୟ କଲେଜ ଭାବେ ଗ୍ରହଣ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ସରକାରଙ୍କ ଏହି ପଦକ୍ଷେପ ପରେ ସ୍ଥାନୀୟ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇଛି। ଏହି ମହାବିଦ୍ୟାଳୟର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଳା ଓ ବାଣିଜ୍ୟରେ ୧୭୬୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମୋଟ ୨୧ ଜଣ ନିୟମିତ ଓ ଠିକା ଅଧ୍ୟାପକ ଅଛନ୍ତି। ୧୯୭୯ରେ ମାଲକାନଗିରି ସବଡିଭିଜନରେ ପ୍ରଥମ ମହାବିଦ୍ୟାଳୟ ଭାବେ ସ୍ଥାନୀୟ କିଛି ଲୋକଙ୍କ ପ୍ରଚେଷ୍ଟାରେ ଏହି କଲେଜ ଆରମ୍ଭ ହୋଇଥିଲା। ଛାତ୍ର ସଙ୍ଗଠନ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ଓ ଅଭିଭାବକ ସମସ୍ତେ ବିଭିନ୍ନ ସମୟରେ ଆନ୍ଦୋଳନ କରି ଏହାର ସରକାରୀ ମାନ୍ୟତା ଦାବି କରିଥିଲେ। ଏହାର ଦୀର୍ଘ ୪୦ ବର୍ଷ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।୧୯୭୯ ପୂର୍ବରୁ ଯୁକ୍ତ ଦୁଇ ଓ ସ୍ନାତକ ପଢିବା ପାଇଁ ଏଠିକାର ପିଲାମାନେ ଜୟପୁର, ବ୍ରହ୍ମପୁର ଓ କୋରାପୁଟ ଯାଉଥିଲେ। ତତ୍କାଳୀନ ବିଧାୟକ ଗଙ୍ଗାଧର ମାଢି ଓ ଅନେକ ଲୋକଙ୍କ ପ୍ରଚେଷ୍ଟାରେ ଏହି କଲେଜ ଆରମ୍ଭ ହୋଇଥିଲା। ଭିତ୍ତି ଭୂମି ଓ ଶ୍ରେଣୀ ଗୃହର ଅଭାବ ସହ ଅଧ୍ୟାପକଙ୍କ ଅଭାବ ଯୋଗୁଁ କଲେଜଟି ବହୁ କଷ୍ଟରେ ଚାଲିଥିଲା। ସରକାରୀ ସ୍ୱୀକୃତି ନ ମିଳିବାରୁ ସ୍ନାତକ ପାଠପଢା ଆରମ୍ଭ ହୋଇ ପାରୁ ନଥିଲା। ସରକାର ବର୍ତ୍ତମାନ କଲେଜଟିକୁ ପୋଷ୍ୟ ଭାବେ ଗ୍ରହଣ କରିବାରୁ ଜିଲାରେ ଉଚ୍ଚ ଶିକ୍ଷାର ଭବିଷ୍ୟତ ଉଜ୍ୱଳ ହେବ ବୋଲି ଆଶା କରାଯାଇଛି। ଏହିି ପଦକ୍ଷେପ ପରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କୁ ଏଠାରେ ସମ୍ପୁର୍ଣ୍ଣ ମାଗଣାରେ ଶିକ୍ଷାଦାନ ମିଳିବା ସହ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଫି ମଧ୍ୟ ହ୍ରାସ ପାଇବ ବୋଲି ସୂଚନା ମିଳିଛି। ଭିତ୍ତି ଭୂମି ସୁଦୃଢ ହେବା ସହ ଶ୍ରେଣୀ ଗୃହ ବୃଦ୍ଧି, ଅଧିକ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତି ହେବା ସହ ବିଭିନ୍ନ ବିଭାଗରେ ସ୍ନାତକ ପାଠପଢା ଆରମ୍ଭ ହେବାର ସମ୍ଭାବନା ରହିଛି। କଲେଜରେ ନୂତନ ଖେଳ ପଡିଆ ସହ ଓଡିଆ ବିଭାଗ ୨ଟି ଓ ଇତିହାସ ବିଭାଗର ଗୋଟିଏ ଅଧ୍ୟାପକ ପଦ ପୂରଣ ହେବାର ଆଶା କରାଯାଉଛି।

Leave A Reply