ଦୁଃଖିଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ

ଅସହାୟ ପରିବାରକୁ କମ୍ବଳ, ରୋଷେଇ କିଟ୍, ଚାଦର, ଗାମୁଛା ବଣ୍ଟନ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୭ଟି ଅସହାୟ ପରିବାର ମୁହଁରେ ହସ ଫୁଟାଇ ନିଜର ପ୍ରଶାସନିକ କର୍ତବ୍ୟ ଏବଂ ଦାୟିତ୍ୱ ମୂଲ୍ୟବୋଧର ଆଉ ଏକ ପରିଚୟ ଦେଇଛନ୍ତି। ହରଭଙ୍ଗା ବ୍ଲକ ଆଦିବାସୀ ବହୁଳ ଆଡେଣିଗଡ ପଂଚାୟତ ସଦରମହକୁମାର ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ କଡରେ ୧୭ଟି କୋହ୍ଲ ସମ୍ପ୍ରଦାୟର ପରିବାର ବସବାସ କରନ୍ତି। ଦିନେ ଏହି ରାସ୍ତାରେ ଜିଲ୍ଲାପାଳ ଗସ୍ତ ସମୟରେ ଏମାନଙ୍କ ଉପରେ ତାଙ୍କର ନଜର ପଡିଥିଲା। ସେମାନଙ୍କ ସହିତ ନିଜେ ଜିଲ୍ଲାପାଳ କଥା ହେବା ସହିତ ସେମାନଙ୍କ ଦୟନୀୟ ଅବସ୍ଥା ନିଜ ଆଖିରେ ଦେଖିବା ପରେ ତ୍ୱରିତ ପଦକ୍ଷେପ ପାଇଁ ନିଷ୍ପତି ନେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ସାମାଜିକ ସୁରକ୍ଷା ଅଧିକାରୀ ଆଦିପତିକହଁର, ବୌଦ୍ଧ ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇଙ୍କୁ ସେଠାରେ ପହଞ୍ଚିବା ପାଇଁ କହିଥିଲେ। ମଙ୍ଗଳବାର ରେଡକ୍ରସ ପାଣ୍ଠିରୁ ୧୧ଟି ପରିବାରଙ୍କୁ କମ୍ବଳ, ଚାଦର, ଗାମୁଛା ଏବଂ ରୋଷେଇ କିଟ୍ ବଣ୍ଟନ କରିବା ସହିତ ଜଣଙ୍କୁ ସାମାଜିକ ସୁରକ୍ଷାରେ ଭତ୍ତା ପ୍ରଦାନ କରିଥିବା ଜଣାପଡିଛି। ସେମାନଙ୍କ ଆଧାରକାର୍ଡ ତୁରନ୍ତ ପ୍ରଦାନ କରିବା ସହିତ ୨ ଡେସିମିଲ ଲେଖାଏଁ ଜମି ପ୍ରଦାନ ପାଇଁ ଜିଲ୍ଲାପାଳ ହରଭଙ୍ଗା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏଭଳି ମହତ୍‍କାଂକ୍ଷୀ ପଦକ୍ଷେପ ଗରିବ ପରିବାର ମଧ୍ୟରେ ହସ ଫୁଟାଇବାରେ ସହାୟକ ହୋଇଛି।

Comments are closed.