ବଟି ଆଦାୟକାରୀ ସାମ୍ବାଦିକ ଓ ସହଯୋଗୀ ଗିରଫ

- ଫେରାର ମାରିବା ବେଳେ ଯୁଯୁମୁରାରୁ ଧରାପଡ଼ିଲେ - ଥାନାରୁ ଗାଡ଼ି ବାହାର କରିଦେବାକୁ ନେଇ ମାଗିଥିଲେ ଦାଦାବଟି - ଫୋନରେ ଅଭିଯୁକ୍ତ ଦେଉଥିଲେ ବାରମ୍ବାର ଧମକ

ଲଖନପୁର: ନିଜକୁ ବରିଷ୍ଠ ସାମ୍ବାଦିକ ପରିଚୟ ଦେଇ ଠିକାଦାର ଠାରୁ ଆରମ୍ଭ କରି ଶିଳ୍ପ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ବଟି ଆଦାୟ କରୁଥିଲେ ନ ଦେଲେ ଧମକ ଚମକ ଦେଉଥିଲେ। ଅନ୍ୟ ପକ୍ଷରେ କନି​‌ଷ୍ଠ ସାମ୍ବାଦିକଙ୍କୁ ସଚ୍ଚୋଟତା ଓ ସାଧୁତାର କଥା କହୁଥିଲେ। ତାଙ୍କୁ ସହଯୋଗ କରୁ ନ ଥିବା ଅନ୍ୟ ଖବରକାଗଜର ସାମ୍ବାଦିକଙ୍କ ବିରୋଧରେ ଭ୍ରମାତ୍ମକ ତଥ୍ୟ ଉଲ୍ଲେଖ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରୁଥିଲେ। ହେଲେ ସବୁ ବେଳେ ସମୟ ସମାନ ଯାଏନି। ଶେଷରେ ଥାନାରେ ଏତଲା ଦାୟର ହେଲା, ଗିରଫ ହେବା ଭୟରେ ସାମ୍ବାଦିକ ଫେରାର ମାରୁଥିଲେ। ହେଲେ କୌଣସି ଚାଲାକି କାମ ଦେଲା ନାହିଁ। ଯୁଯୁମୁରାରୁ ଗିରଫ ହେଲେ। ଏହି କରିତ୍‌କର୍ମା ସାମ୍ବାଦିକ ହେଉଛନ୍ତି ବେଲପାହାଡ଼ ନିବାସୀ ଜୟକୃଷ୍ଣ ମହାପାତ୍ର (୬୨)। ଏ ମାମଲାରେ ତାଙ୍କ ସହଯୋଗୀ ହୃଦାନନ୍ଦ ଭୋଇ (୪୦)କୁ ବି ପୁଲିସ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପ୍ରତାପ ଓ ରମେଶ ସିଂହ ଫେରାର ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ ଜୟକୃଷ୍ଣ ବଟି ମାଗୁଥିବାକୁ ନେଇ ଉତ୍ତରପ୍ରଦେଶ ଖୁସିନଗର ଜିଲା ମେଘୁଆ ଥାନା ସେମ୍ରା ଗ୍ରାମର ଅନୀଲ ଗୁପ୍ତା (୩୨) ବେଲପାହାଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳର ବ୍ୟବସାୟୀ ଦୀନେଶ ଗୁପ୍ତାଙ୍କର ୨ ବର୍ଷ ପୂର୍ବରୁ ହଠାତ୍ ମୃତ୍ୟୁ ହୋବରୁ ତାଙ୍କ ପତ୍ନୀ ପୁଷ୍ପଲତା ଭାଙ୍ଗିପଡ଼ି ଉତ୍ତରପ୍ରଦେଶ ନିଜ ମାଆ ଘରକୁ ଫେରିଯାଇଥିଲେ। ଏହି ଅବସରରେ ତାଙ୍କ ଦିଅର ଦୀନେଶଙ୍କର ୪ଟି ଟ୍ରକ ଓ ଗୋଟିଏ ସ୍କପିଓ ଗାଡ଼ି ନିଜ କବଜାକୁ ନେଇ ବ୍ୟବସାୟ ଜାରି ରଖିଥିଲେ। ହେଲେ ପରେ ସମ୍ପତ୍ତିକୁ ନେଇ ପୁଷ୍ପଲତାଙ୍କର ଦିଅର ସହିିତ ବିବାଦ ହେବାରୁ ତାଙ୍କ ନାମରେ ଥିବା ପାୱାର ଅଫ ଏଟର୍ଣ୍ଣି ନେଇ ଓଡ଼ିଶାର ଡିଜିଙ୍କ ନିକଟରେ ନିଜ ସ୍ୱାମୀଙ୍କ ଗାଡିଗୁଡିକୁ ତାଙ୍କୁ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ଡିଜିଙ୍କ ନିର୍ଦେଶ କ୍ରମେ ଝାରସୁଗୁଡ଼ା ଏସପି ଏହାର ତଦନ୍ତ ଦାୟିତ୍ୱ ବ୍ରଜରାଜନଗର ଏସଡିପିଓ ଏବଂ ଓରିଏଣ୍ଟ ଥାନାଧିକାରୀଙ୍କୁ ପ୍ରଦାନ କରିଥିଲେ। ତଦନ୍ତ ପରେ ପୁଲିସ ପୁଷ୍ପଲତାଙ୍କ ଦିଅରଠାରୁ ସମସ୍ତ ଗାଡ଼ି ଜବତ କରି ହସ୍ତାନ୍ତର କରିବା ପାଇଁ ପୁଷ୍ପଲତାଙ୍କୁ ସମସ୍ତ ପ୍ରମାଣପତ୍ର ନେଇ ଆସିବାକୁ କହିଥିଲେ। ତେବେ କରୋନା ପରିସ୍ଥିତି ହେତୁ ପୁଷ୍ପଲତା ନିଜେ ଆସିନପାରି ନିଜ ଭିଣୋଇ ଅନୀଲ ଗୁପ୍ତାଙ୍କୁ ଏକ ଅଥରାଇଜେସନ ପତ୍ର, ଲିଗାଲ ହେୟାର ପ୍ରମାଣପତ୍ର ଆଦି ଦେଇ ପଠାଇଥିଲେ।

ଅନୀଲ ଝାରସୁଗୁଡ଼ାର ଜଣେ ବ୍ୟକ୍ତିଙ୍କ ଜରିଆରେ ବେଲପାହାଡ଼ର ହୃଦାନନ୍ଦ ଭୋଇଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଫଳରେ ସାମ୍ବାଦିକ ଜୟକୃଷ୍ଣଙ୍କ ସହାୟତାରେ ହୃଦାନନ୍ଦ ସମସ୍ତ ପ୍ରକ୍ରିୟା ପରେ ପୁଲିସ ଅନୀଲଙ୍କୁ ୪ଟି ଟ୍ରକ ହସ୍ତାନ୍ତର କରିଥିଲା। ସେହିଦିନର ସନ୍ଧ୍ୟାରେ ହୃଦାନନ୍ଦ ଓ ଜୟକୃଷ୍ଣ ବେଲପାହାଡ଼ର ଏକ ହୋଟେଲରୁ ଅନୀଲଙ୍କୁ ଗୁମାଡେରା ଜଗନ୍ନାଥ ମନ୍ଦିର ସମ୍ମୁଖକୁ ଡାକିଆଣି ଗାଡ଼ି ବାହାର କରିଦେବା ସହଯୋଗ ପାଇଁ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଏଥିରେ ଅନୀଲ ରାଜି ହୋଇନଥିବାରୁ ପାର୍କିଂ କରିବା ଆଳରେ ଅନୀଲଙ୍କଠାରୁ ୨ଟି ଟ୍ରକ ଜୋର ଜବରଦସ୍ତି ନିଜ କବଜାରେ ରଖିଦେଇଥିଲେ। ଏହା ସହିତ ସେମାନେ ଅନୀଲଙ୍କୁ ଟଙ୍କା ଦେବାକୁ ବାରମ୍ବାର ଫୋନ ଯୋଗେ ଧମକ ଚମକ ଦେବା ସହ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଅନୀଲ ଭୟରେ ଉତ୍ତରପ୍ରଦେଶ ଫେରିଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଫୋନ କରି ଟଙ୍କା ମାଗି ଚାଲିଥିଲେ। ଏଥିରେ ସେ ଭୟଭୀତ ହୋଇ କିଛି ଦିନ ଓଡ଼ିଶା ଆସିନଥିବା ବେଳେ ଗତ ମାସ ୧୭ ତାରିଖରେ ବେଲପାହାଡ଼କୁ ଆସି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଅନୀଲଙ୍କ ଅଭିଯୋଗକୁ ଆଧାରରେ କେସ ନମ୍ବର ୨୬୯/୨୦ରେ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବ୍ରଜରାଜନଗର ଏସଡିପିଓଙ୍କ ନେତୃତ୍ୱରେ ବେଲପାହାଡ଼ ଥାନାଧିକାରୀ ରଶ୍ମୀତା ବେହେରା, ଓରିଏଣ୍ଟ ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ପୁଲିସ ଦଳ ଗଠନ କରାଯାଇ ଏହାର ଖୋଳତାଡ଼ ଆରମ୍ଭ ହୋଇଥିଲା। ପୁଲିସ ଏହି କ୍ରମରେ ଅଭିଯୁକ୍ତ ହୃଦାନନ୍ଦକୁ ସୁନ୍ଦରଗଡ଼ ଅଞ୍ଚଳରୁ ଗିରଫ କରିଥିବା ବେଳେ ଏହାର ଖବର ପାଇ ଅଭିଯୁକ୍ତ ଜୟକୃଷ୍ଣ ମହାପାତ୍ର ଏକ ବସ ଯୋଗେ ଗୁରୁବାର ପୂର୍ବାହ୍ନରେ ଫେରାର ମାରୁଥିବା ବେଳେ ଯୁଯୁମୁରା ପୁଲିସ ସହାୟତାରେ ଯୁଯୁମୁରା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି। ବେଲପାହାଡ଼ ପୁଲିସ ଆଇପିସି ଧାରା ୪୨୦, ୩୮୫, ୩୭୯, ୫୦୬, ୧୨୦-ବି ଅନୁଯାୟୀ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ସେମାନଙ୍କ ବେଲ ନାମଞ୍ଜୁର ହେବା ଫଳରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ପ୍ରକାଶ। ଗିରଫ ସାମ୍ବାଦିକ ଜୟକୃଷ୍ଣ ‘ସର୍ବସାଧାରଣ’ ଖବରକାଗଜ ଓ ସତ୍ୟମ ନ୍ୟୁଜ ପୋର୍ଟାଲର ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି।

Comments are closed.