ବେଲକଟି ପ୍ରାଥମିକ ସ୍କୁଲ କାନ୍ଥ ଭୁଶୁଡି ଜଣେ ଛାତ୍ରୀ ମୃତ, ଦୁଇ ଗୁରୁତର

ଜି.ଉଦୟଗିରି : ଜି.ଉଦୟଗିରି ଥାନା ଅନ୍ତର୍ଗତ ଆଡାସିକୁପା ଗ୍ରାମ ପଞ୍ଚାୟତର ବେଲକଟି ଗ୍ରାମରେ ଆଜି ଏକ ଦୁଖଃଦ ଘଟଣା ଘଟିଯାଇଛି। କୋଭିଡ-୧୯ ଯୋଗୁଁ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ହେଲା ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀ ମାନେ ପାଠ ପଢାରୁ ନିଜକୁ ଦୂରେଇ ଖେଳକୁଦରେ ମନ ବଳାଇବାରେ ଲାଗିଥିବା ଦେଖାଦେଇଛି। କିନ୍ତୁ ଏହି ଖେଳକୁଦ ଯେ ଦିନେ ଜଣେ ଛାତ୍ରୀର ପ୍ରାଣ ନେଇଯିବ ସେକଥା ସେ ଜାଣିନଥିଲା।

ସୂଚନା ଅନୁଯାୟୀ, ବେଲକଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଆଠ ବର୍ଷର ଝିଅ ଶିଖା ଓ ତାର ଦୁଇ ଜଣ ସାଙ୍ଗ ମିଶି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ମୂଖ୍ୟ ଗେଟ କାନ୍ଥ ନିକଟରେ ଖେଳୁଥିଲେ। ବିଦ୍ୟାଳୟର ପୁରୁଣା କାନ୍ଥଟି କୌଣସି କାରଣବଶତଃ ଭୁଶୁଡି ଶିଖା ସହ ଅନ୍ୟ ଦୁଇ ଜଣ ସାଙ୍ଗ ଉପରେ ପଡିଯାଇଥିଲା। ଫଳରେ ଶିଖା ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ଏନେଇ ଜି.ଉଦୟଗିରି ଥାନାରେ ୩/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସଆଇ କୌଶଲ୍ୟା ବେହେରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Comments are closed.