ଦାରିଙ୍ଗବାଡ଼ିରେ ହାଡ଼ଭଙ୍ଗା ଶୀତ

୧୫ ଡିଗ୍ରୀ ତଳେ ୨୨ ସ୍ଥାନ, ୩ ଡିଗ୍ରୀ ଯାଏ ତଳକୁ ଖସିବ ପାରଦ

ଭୁବନେଶ୍ବର : ଶୀତରେ ଥରୁଛି କନ୍ଧମାଳ। ଜିଲାର ଦାରିଙ୍ଗବାଡି ଏବଂ ଫୁଲବାଣୀ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତ ୪ଦିନ ହେଲା ଜିଲାରେ ରାତି ତାପମାତ୍ରା ତଳକୁ ଖସିଛି। ଫଳସ୍ବରୂପ ଜିଲାର ଦାରିଙ୍ଗବାଡି, ଫୁଲବାଣୀ ଏବଂ ବାଲିଗୁଡା ଆଦି ଅଞ୍ଚଳରେ ଶୀତ ଲହରୀ ଲାଗି ରହିଛି। ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଛି। ଫୁଲବାଣୀରେ ପାରଦ ୯ ଡିଗ୍ରୀ ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ତଳକୁ ଖସିବା ଦ୍ବାରା ଆଜି ୨୨ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଦକ୍ଷିଣ, ପଶ୍ଚିମ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି। ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ନୟାଗଡ, ବୌଦ୍ଧ, ମାଲକାନଗିରି ଏବଂ କଟକରେ ରାତି ତାପମାତ୍ରା ୧୪ ଡିଗ୍ରୀ ରହିଛି। ଚାନ୍ଦବାଲି ଏବଂ ବାରିପଦାରେ ପାରଦ ୧୩ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ବରରେ ୧୩.୯ ଡିଗ୍ରୀ, ଭୁବନେଶ୍ବରରେ ୧୪.୪, ଅନୁଗୋଳରେ ୧୨.୬, ଝାରସୁଗୁଡାରେ ୧୦.୬, କେନ୍ଦୁଝରରେ ୧୦.୪, ସମ୍ବଲପୁରରେ ୧୩.୫ ଡିଗ୍ରୀ, ସୁନ୍ଦରଗଡରେ ୧୧.୫ ଡିଗ୍ରୀ, ହୀରାକୁଦରେ ୧୨.୮ ଡିଗ୍ରୀ, ତାଳଚେରରେ ୧୨ ଡିଗ୍ରୀ, ଭବାନୀପାଟଣାରେ ୧୧ ଡିଗ୍ରୀ, ବଲାଙ୍ଗିରରେ ୧୨.୮, କୋରାପୁଟରେ ୧୦.୬ ଡିଗ୍ରୀ, ଟିଟିଲାଗଡରେ ୧୦.୮ ଏବଂ ସୋନପୁରରେ ୧୨.୮ ଡିଗ୍ରୀ ରହିଛି। ଦକ୍ଷିଣ ଆଭ୍ୟନ୍ତରଣ ଜିଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ୧.୫ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି।
ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଜିଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ୦.୨ରୁ ୨ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ୦.୨ରୁ ୧.୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ତଳମୁହଁା ହୋଇଛି। କୋରାପୁଟରେ ୩.୨ ଡିଗ୍ରୀ ଏବଂ ଅନୁଗୋଳରେ ରାତି ତାପମାତ୍ରା ୨ ଡିଗ୍ରୀ ଖସିଛି। ଓଡ଼ିଶା ମଧ୍ୟକୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ରାତି ତାପମାତ୍ରା ତଳକୁ ଖସୁଛି।

Comments are closed.