ହାଡ଼ଥରା ଶୀତ ; ଜାଡ଼େଇ ଯାଉଛି ଜୀବନ

0

କେନ୍ଦୁଝରଗଡ଼/ବାଂଶପାଳ : ଦେଶବ୍ୟାପୀ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଜିଲାରେ ଏହାର ପ୍ରଭାବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ରବିବାର କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ଡିଗ୍ରୀ ସେଲିସିୟସ ଥିବାବେଳେ ଶୀତର ମାତ୍ରା ଦିନବେଳା ମଧ୍ୟ ଏତେ ଅଧିକ ଯେ, ଦିନବେଳା ମଧ୍ୟ ଲୋକେ ନିହାତି କାମ ନପଡିଲେ ଘରୁ ପଦାକୁ ବାହାରୁ ନାହାନ୍ତି। ୧୫ଦିନ ଧରି ଶୀତର ପ୍ରକୋପ ଜାରି ରହିଥିବାବେଳେ ବିଶେଷକରି ଡିସେମ୍ବର ୨୪ରୁ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରୁ ୯ଡିଗ୍ରୀ ମଧ୍ୟରେ ଏବଂ ସବାଧିକ ତାପମାତ୍ରା ୧୮ରୁ ୨୦ମଧ୍ୟରେ ରହୁଥିବାରୁ ଲୋକେ ଦିନବେଳା ମଧ୍ୟ ନିଆଁଜାଳି ରହୁଥିବା ଦେଖିବାକୁ ମିଳିଛି। ପଡୋଶୀ ଝାଡ଼ଖଣ୍ଡ ସୀମାବର୍ତ୍ତୀ କିରିବୁରୁ ଠାରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ଓ କେନ୍ଦୁଝରର ପାହାଡିଆ ଅଞ୍ଚଳ କାଞ୍ଜିପାଣି ଠାରେ ଏହା ସର୍ବନିମ୍ନ ୩ ଡିଗ୍ରୀ ସେଲିସିୟସକୁ ଖସିବା ସହ ତୁଷାରପାତ ଯୋଗୁଁ ହାଡଭଙ୍ଗା ଶୀତରେ ସେଠାକାର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଜିଲାର କାଞ୍ଜିପାଣି, କିରିବୁରୁ, ଯୋଡା, ବଡବିଲ, ତେଲକୋଇ, ହରିଚନ୍ଦନପୁର ଆଦି ପାହାଡିଆ ଅଞ୍ଚଳରେ ତାପମାତ୍ରା ଲଗାତାର ୧୫ଦିନଧରି ହ୍ରାସ ପାଇବାରେ ଲାଗିଥିବାରୁ ସେଠାକାର ଲୋକେ ହାଡଭଙ୍ଗା ଶୀତରେ ବ୍ୟତିବ୍ୟସ୍ତ ହୋଇପଡିଲେଣି। କାଞ୍ଜିପାଣି ଓ କିରିବୁରୁ ଅଞ୍ଚଳରେ କିଛିଦିନ ଧରି ପ୍ରବଳ ଶୀତ ଲହରି ଯୋଗୁଁ ତାପମାତ୍ରା ହ୍ରାସ ପାଇ ତୁଷାରପାତ ହେଉଥିବା ଜଣାପଡ଼ିଛି।
ବାଂଶପାଳ ବ୍ଲକର କାଦକଳା, ନୟାକୋଟ, କୁଶକଳା, ତରମାକାନ୍ତ, ଫୁଲଝର, ଟଣ, ଗୋନାସିକା ଆଦି ଅଞ୍ଚଳରେ ତୁଷାରପାତ ହେଉଥିବା ବେଳେ ପାହାଡିଆ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଦୁଇ ସପ୍ତାହ ଧରି ଜିଲାରେ ପ୍ରବଳ ଶୀତର ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାବେଳେ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କମ୍ବଳ ଯୋଗାଣ ଦାବି ହେଉଛି। ପାଣିପାଗ କାର୍ଯ୍ୟାଳୟ ଅନୁଯାୟୀ, ଏହି ଶୀତ ଲହରୀ ଜାନୁୟାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବା ସହ ତାପମାତ୍ରା ମଧ୍ୟ ଆହୁରି ହ୍ରାସ ପାଇବା ଅନୁମାନ କରାଯାଉଛି। ସେହିପରି ଜିଲାରେ ସର୍ବାଧିକ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ମଧ୍ୟରେ ରହୁଥିବାରୁ ଲୋକେ ଦିନବେଳା ମଧ୍ୟ ଶୀତବସ୍ତ୍ର ପରିଧାନ କରୁଥିବା ଦେଖିବାକୁ ମିଳିଛି।

ଭୟଙ୍କର ଜାଡ଼, କନ୍ଧମାଳରେ ତୁଷାରପାତ

ଫୁଲବାଣୀ : କନ୍ଧମାଳ ଜିଲାରେ ପ୍ରବଳ ଜାଡ଼। ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି ସମେତ ରାଇକିଆ, ବନ୍ଧଗଡ଼ ପ୍ରଭୃତି ଅଞ୍ଚଳର ଅନେକ ସ୍ଥାନରେ ଆଜି ତୁଷାରପାତ ହୋଇଛି। ଆଜି ରାଜ୍ୟର ସବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୩ ଡିଗ୍ରୀ ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ି ନିକଟ ଗ୍ରୀନ୍‌ବାଡ଼ି, ଶ୍ରାନିକେତା ପ୍ରଭୃତି ଗାଁ ନିକଟରେ ଆଜି ବରଫାପାତ ହୋଇଥିଲା। ଦାରିଙ୍ଗବାଡିର ବିଭିନ୍ନ ଜମି ଓ ପଡ଼ିଆରେ ୫ମିମି.ର ପତଳା ବରଫ ଆସ୍ତରଣ ବିଛେଇ ହୋଇ ପଡ଼ିଥିଲା। ସାରା ଜିଲାରେ ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଆଜି ଫୁଲବାଣୀର ତାପମାତ୍ରା ୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିର ତାପମାତ୍ରା ୩ ଡିଗ୍ରୀ ସେଲ୍‌ସିୟସ, ଯାହାକି ରାଜ୍ୟର ସର୍ବନିମ୍ନ ତାପମାତ୍ରା। ଗତ ତିନିଦିନ ଧରି ଜିଲାରେ ତାପମାତ୍ରା ହ୍ରାସ ପାଇବା ସହିତ ପ୍ରବଳ ଶୀତ ଲହରୀ ଜାରି ରହିଛି। କୋହଲା ପବନ ଓ ହାଡ଼ଥରା ଶୀତରେ ଜାଡ଼େଇ ଯାଉଛନ୍ତି ଲୋକେ। ଲଗାତାର ଦ୍ୱତିୀୟ ଦିନରେ ତୁଷାରପାତ ହୋଇଛି ଜିଲାରେ। ସହରରେ ଘରେ ବାହାରେ, ରାସ୍ତାଘାଟ, ଛକରେ ନିଆଁ ଜାଳି ରହୁଛନ୍ତି ଲୋକେ। ସେହିପରି ଗାଁଗଣ୍ଡାରେ ଲୋକେ କାଠଗଣ୍ଡି ଜାଳି ବସି ରହୁଛନ୍ତି। ନିଆଁରୁ ରାତିରେ ରକ୍ଷା ପାଇବା ପାଇଁ ଗରିବ ଲୋକେ ଉମେଇ ଜାଳି ରହୁଛନ୍ତି। ଲଗାତାର ପାରଦ ଖସୁଛି ବୋଲି କହିଛନ୍ତି ଜିଲାପାଳଙ୍କ କାର୍ଯ୍ୟାଳୟର ପାଣିପାଗ ପର୍ଯ୍ୟବେକ୍ଷକ ଆଶିଷ ବେହେରା। ଶୀତ ଆହୁରି କିଛିଦିନ ଲାଗିରହିବ ବୋଲି ପାଣିପାଗ ପର୍ଯ୍ୟବେକ୍ଷକ କହିଛନ୍ତି। ଜିଲାର ବେଲଘର, ତୁମୁଡ଼ିବନ୍ଧ, ଲଙ୍କାଗଡ଼, ଝିରିପାଣି, କୋଟଗଡ଼, ବାଲିଗୁଡା, ରାଇକିଆ ସମେତ ଅନ୍ୟ ଆଭ୍ୟନ୍ତରୀଣ ଗାଁ ଗଣ୍ଡା ଏବଂ ଅତ୍ୟନ୍ତ ଉଚ୍ଚରେ ଥିବା ଅଞ୍ଚଳରେ ତାପମାତ୍ରା ଅଧିକ ଦୁଇ ତିନି ଡିଗ୍ରୀ କମ୍‍ ରହୁଛି। ଜିଲାର ହାରାହାରି ତାପମାତ୍ରା ଦୁଇ ଡିଗ୍ରୀକୁ ଖସି ଆସିଛି। ସାରା ଜିଲାରୁ କୁହୁଡି ଉଭେଇ ଯିବା ସହିତ ଜୋରଦାର ଜାଡ଼ ଲାଗି ରହିଛି। ଜିଲା ମଧ୍ୟ ଦେଇ ଯାଇଥିବା ୧୯୭ ଓ ୫୯ ନମ୍ବର ଜାତୀୟ ରାଜପଥ ଏବଂ ଜିଲାର ଅନ୍ୟାନ୍ୟ ସଡ଼କ ପଥରେ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ତୁଷାରପାତ ସହିତ ପ୍ରବଳ ଜାଡ଼ ଯୋଗୁଁ ଦିନ ଦଶଟା ଯାଏଁ ଲୋକେ ଦୈନନ୍ଦିନ କାର୍ଯ୍ୟ କରିପାରୁ ନ ଥିବା ବେଳେ ପେଟପାଟଣା ଓ ଜୀବିକା ମଧ୍ୟ ବିପନ୍ନ ହୋଇଛି।
ଦାରିଙ୍ଗବାଡ଼ି ସମେତ କିଲାବାଡ଼ି, ପରପଙ୍ଗା, ଗ୍ରୀନ୍‌ବାଡ଼ି, ସାରିଙ୍ଗିଇର୍ପି, ସିମନବାଡ଼ି, ପାଙ୍ଗାଲି, ଲାଇନପଡ଼ା ସମେତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଚାଷ କ୍ଷେତରେ ପତଳା ବରଫର ଆସ୍ତରଣ ଦେଖିବାକୁ ମିଳିଛି। ଶୀତ ଯୋଗୁଁ ଅଞ୍ଚଳର ଆଦିବାସୀ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ କଷ୍ଟ ଦ୍ୱିଗୁଣିତ ହୋଇଛି। ତୁଷାରପାତ ଲୋକଙ୍କୁ ଏବେ ଛାନିଆ କରିଛି। ଅଞ୍ଚଳରେ ଶୀତର ପ୍ରକୋପ ବଢୁଥିବା ଯୋଗୁଁ ସତେ ଯେମିତି ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତ ସୃଷ୍ଟି ହୋଇଛି। ଦିନ ତମାମ କୋହଲା ପାଗ ବୋହିବା ସହ ସନ୍ଧ୍ୟା ହେଲେ ଲୋକେ ଘର ତାଟି ବନ୍ଦ କରି ଦେଉଛନ୍ତି। ଏହା ସହ ସନ୍ଧ୍ୟା ହେଲେ ଅଂଚଳର ରାସ୍ତାଘାଟ ଶୂନ୍‌ଶାନ୍‌ ହେବା ସହ ଲୋକେ ସମୟ ପୂର୍ବରୁ ଘରକୁ ଲୋକେ ଫେରୁଛନ୍ତି। ଅଞ୍ଚଳର ବ୍ୟବସାୟୀ ଓ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଶୀତ ଯୋଗୁଁ ଅନେକ କଷ୍ଟ ସ୍ୱୀକାର କରୁଛନ୍ତି। ଅସହ୍ୟ ଶୀତ ଅଂଚଳବାସୀଙ୍କ ପାଇଁ କଷ୍ଟ ଆଣିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଏହାର ମଜା ଉଠାଉଛନ୍ତି। ଶୀତ ବଢିବା ପରେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏଭଳି ଶୀତର ପ୍ରକୋପ ଜାରି ରହିଲେ ଅଞ୍ଚଳବାସୀଙ୍କ ଦୁଃଖ ଆହୁରି ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି।

Leave A Reply