୧୫ରୁ ଶୀତ ବଢ଼ିବ

ଭୁବନେଶ୍ବର : ରାଜ୍ୟରେ ଶୀତ ଉଭାନ ହୋଇଛି । ଡିସେମ୍ବର ମାସର ଦ୍ବିତୀୟ ସପ୍ତାହ ଶେଷ ହେବାକୁ ବସିଲାଣି; କିନ୍ତୁ ଡିସେମ୍ବରରେ ଯେଉଁଭଳି ଶୀତ ଅନୁଭୂତ ହେବା କଥା ଏ ପର୍ଯ୍ୟନ୍ତ ତାହା ପରିଲଖିତ ହୋଇନାହିଁ । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ। ଆଗାମୀ ୪ଦିନ ମଧ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତ ପ୍ରକୋପ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳ ମଧ୍ୟରେ ବଲାଙ୍ଗୀରରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ୧୧ ଡିଗ୍ରୀ ରହିଛି। ୧୫ ଡିଗ୍ରୀ ତଳେ ଫୁଲବାଣୀରେ ୧୪.୫ ଡିଗ୍ରୀ ଏବଂ ଝାରସୁଗୁଡାରେ ୧୪.୨ ଡିଗ୍ରୀ ରହିଛି। ରାତି ତାପମାତ୍ରା ଦାରିଙ୍ଗବାଡିରେ ୨.୫ ଡିଗ୍ରୀ, ସୁନ୍ଦରଗଡରେ ୧.୨ ଡିଗ୍ରୀ, ଝାରସୁଗୁଡାରେ ୧.୬ ଡିଗ୍ରୀ, ଭୁବନେଶ୍ବରରେ ୨.୨ ଡିଗ୍ରୀ ଏବଂ କଟକରେ ୧.୮ ଡିଗ୍ରୀ ତାପମାତ୍ରା ତଳକୁ ଖସିଛି। କନ୍ଧମାଳ ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇଛି। ଆସନ୍ତାକାଲି ଭୁବନେଶ୍ବରରେ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ପାଗ ଶୁଖିଲା ରହିବ।

Comments are closed.