ତିନି ଦିନ ବଢ଼ିବ ଶୀତ, ୧୨ରେ ଘୂର୍ଣ୍ଣିବଳୟ

ଭୁବନେଶ୍ବର :  ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ଠାରୁ ଶୀତ ବଢ଼ିବା ଆରମ୍ଭ କରିଛି । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ସାଢ଼େ ତିନି ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବ ଓ ଏହାର ପ୍ରଭାବରେ ଅଧିକ ଥଣ୍ଡା ଅନୁଭୂତ ହେବ। ଆସନ୍ତା ୧୨ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ଅଛି ।
ବର୍ତ୍ତମାନ ଉତ୍ତରା ପବନ ବହୁଥିବାରୁ ରାଜ୍ୟରେ ଥଣ୍ଡା ବଢ଼ୁଛି। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଅଞ୍ଚଳରେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ଅବନତି ଘଟିବ। ୭ ତାରିଖ ପରେ ସମୁଦ୍ର ପବନ ରାଜ୍ୟକୁ ବହିବା ସହ ଉତ୍ତରା ପବନର ବେଗ କମିବ। ଫଳରେ ତାପମାତ୍ରା ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ଅଛି। ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଗତକାଲି ଠାରୁ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ ତିନିଦିନ ପର୍ଯ୍ୟନ୍ତ ଶୀତ ବଢ଼ିବ। ତେବେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ପବନ ବହିବା କାରଣରୁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ, କିନ୍ତୁ ଶୀତ ଲାଗିରହିବ। ୧୨ ତାରିଖ ବେଳକୁ ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୩ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ହୋଇପାରେ। ଆଭ୍ୟନ୍ତରୀଣ, ଦକ୍ଷିଣ ପଶ୍ଚିମ ଓଡ଼ିଶା, ଦକ୍ଷିଣ ପଶ୍ଚିମ ସୀମାନ୍ତବର୍ତ୍ତି ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାରେ ଥଣ୍ଡା ଲାଗି ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ରାଜ୍ୟର ସମସ୍ତ ଜିଲାରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଆସିଛି। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ଖସିଆସିଥିବା ବେଳେ କୋରାପୁଟରେ ୧୨.୪ ଡିଗ୍ରୀ, ଟିଟିଲାଗଡ଼ରେ ୧୨.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୩ ଡିଗ୍ରୀ, ଅନୁଗୋଳରେ ୧୪ ଡିଗ୍ରୀ, କଟକରେ ୧୬.୫ ଡିଗ୍ରୀ ଝାରସୁଗୁଡ଼ାରେ ୧୪.୬ ଡିଗ୍ରୀ, କେନ୍ଦୁଝରରେ ୧୫.୩ ଡିଗ୍ରୀ, ପୁରୀରେ ୧୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

Comments are closed.