ଲେଉଟିଲା ଶୀତ ; ଦାରିଙ୍ଗବାଡ଼ିରେ ତାପମାତ୍ରା ୪ ଡିଗ୍ରୀ

0

ଦାରିଙ୍ଗବାଡ଼ି : ଗତ କିଛି ଦିନ ଧରି ରାଜ୍ୟରେ କୋହଲା ପାଗ ଜାରି ରହିଥିବାବେଳେ ହଠାତ ପାଣିପାଗରେ ପରିବର୍ତ୍ତନ ଘଟି ଶୀତ ଲେଉଟିଛି। ସାରା ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। କନ୍ଧମାଳ ଜିଲାରେ ପୁଣି ଥରେ ଆରମ୍ଭ ହୋଇଥିବା ହାଡଭଙ୍ଗା ଶୀତରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ପ୍ରକୋପ ସହ ଅଞ୍ଚଳରେ ପୁଣି ଥରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗ୍ରୀନବାଡି, ଲାଇନପଡା, କୁତୁବାଡି, କିଲାବାଡି, ସାରିଙ୍ଗିଇର୍ପି, ବି.ଡକେବାଡି ଆଦି ଅଂଚଳରେ ଥିବା ଧାନଗଦା ଓ ପାଳ ଉପରେ ତୁଷାରପାତ ହୋଇଛି। ଏହା ସହ ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। ଏ ଅଞ୍ଚଳରେ ପ୍ରବଳ ଜାଡ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି।
ଶୀତଲହରୀ ଯୋଗୁ ଗରିବ ଓ ଖଟିଖିଆ ଲୋକେ ସକାଳୁ କାମ ଧନ୍ଧାକୁ ନ ଯାଇ ଘରେ ରହିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘରେ ଓ ବାହାରେ ନିଆଁ ଲଗାଇ ବସି ରହୁଛନ୍ତି। ଛୋଟଛୁଆ ଓ ବୃଦ୍ଧବୃଦ୍ଧା ଶୀତ ଯୋଗୁଁ ଅଧିକ ହଟହଟା ହେଉଛନ୍ତି। ଆଦିବାସୀ ଉପାନ୍ତ ଇଲାକାରେ ମଧ୍ୟ ଅସହ୍ୟ ଜାଡ ଲାଗି ରହିଛି। ଦାରିଙ୍ଗବାଡି ସମେତ ଶ୍ରାନିକେତା, ସିଆଙ୍ଗବାଲି, ଭ୍ରମରବାଡି, ଗ୍ରୀନବାଡି, ପର୍ତ୍ତମାହା, ଦାସିଙ୍ଗବାଡି, ପ୍ଲିହେରୀ, ବୁଡାଗୁଡା, ବାଡାବାଙ୍ଗା, ସିମନବାଡି,ତିଲୋରୀ, ଗୁମିକିଆ, ବ୍ରାହ୍ମଣୀଗାଁ, ଗଦାପୁର, ଝିଂଜିରଗୁଡା,କାଟିଙ୍ଗିଆ, କୁମ୍ଭାରୀ ଗାଁ, ତାଜୁଙ୍ଗିଆ, ହାତୀମୁଣ୍ଡା ଓ ତାଜୁଙ୍ଗିଆ ଆଦି ଅଂଚଳରେ ପ୍ରବଳ ଶୀତ ଯୋଗୁଁ ଲୋକେ ଅଧିକା ହଇରାଣ ହେଉଛନ୍ତି। ଆଗାମୀ ଦିନରେ ଏଭଳି ଜାଡ ଲାଗି ରହିଲେ ଲୋକଙ୍କ ଜୀବନ ଜୀବିକା ଉପରେ ଅନେକ ପ୍ରଭାବ ପଡିବାର ଆଶଙ୍କା ରହିଛି।

Leave A Reply