ନଭେମ୍ବର ୩ ପରେ ଶୀତ ; ପହିଲା ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ଅଛି । ଏହାର ପ୍ରଭାବରେ ତାମିଲନାଡୁ ଓ କେରଳରେ ବର୍ଷା ହୋଇଛି । ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି; କିନ୍ତୁ ଲଘୁଚାପ ସହ ଜଡ଼ିତ ଏକ ନିମ୍ନଚାପ ରେଖା ସମୁଦ୍ର ପତ୍ତନରୁ ୧.୫ କିମି ଉଚ୍ଚତାରେ ବାୟୁମଣ୍ଡଳ ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ ନଭେମ୍ବର ପହିଲା ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଲଘୁଚାପ ସୃଷ୍ଟି ହେବା ଦ୍ବାରା ପାଗ ମେଘୁଆ ରହୁଛି। ଅନେକ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଶୀତ ଅନୁଭୂତ ହୋଇନାହିଁ। ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ନଭେମ୍ବର ୩ ପରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବାରୁ ଶୀତ ଅନୁଭୂତ ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରୁ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବାବେ‌େ‌ଳ ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା  ୧୫.୫ ଡିଗ୍ରୀ ଏବଂ ଫୁଲବାଣୀରେ ୧୭.୨ ଡିଗ୍ରୀ ସେଲସିୟସ୍‌ ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ ରାତି ତାପମାତ୍ରା ୨୩ରୁ ୨୪୦ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୯ରୁ ୨୨ ଡିଗ୍ରୀ ସେଲସିୟସ୍‌ ରହିଛି। ଆଜି ପାରାଦ୍ବୀପରେ ସବୁଠୁ ଅଧିକ ବର୍ଷା ୫୦ ମିମି ରେକର୍ଡ କରାଯାଇ ଥିବାବେଳେ ଚାନ୍ଦବାଲିରେ ୧୫.୯ ମିମି, ବାଲେଶ୍ବରରେ ୨.୪ ମିମି, ପୁରୀରେ ୦.୬ ମିମି ବର୍ଷା ହୋଇଛି।

Comments are closed.