ବର୍ଷା ପରେ ଲେଉଟିଲା ଶୀତ

ଭୁବନେଶ୍ବର : ସୋମବାର ଠାରୁ ପାଗରେ ପରିବର୍ତ୍ତନ ହେବ। ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ବର୍ଷା ପରେ ପରେ ପୁଣି ଲେଉଟିବ ଶୀତ । ଆଜି ଠାରୁ ପାରଦ ଖସିବା ସହ ଶୀତ ଓ କୁହୁଡ଼ି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତାପମାତ୍ରା ୩ରୁ ୪ ଡିଗ୍ରୀକୁ ଖସି ଆସିବ। ସେହିଭଳି ରାଜ୍ୟର ୪ ଜିଲ୍ଲାରେ ଶୀତର ଲହରି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସୋନପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଏବଂ ଅନୁଗୁଳରେ ଆସନ୍ତାକାଲିଠାରୁ ଥଣ୍ଡାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ରବିବାର ସଂଧ୍ୟା ସୁଦ୍ଧା କୋରାପୁଟରେ ସର୍ବାଧିକ ୮.୬ ମିମି ବର୍ଷା ହୋଇଛି। ସେହିପରି ସକାଳ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୨୨.୪ ମିମି, ବୌଦ୍ଧରେ ୧୫.୩ ମିମି, ଦାରିଙ୍ଗବାଡ଼ି ଓ ତାଳଚେରରେ ୧୩ ମିମି, ପାରଳାଖେମୁଣ୍ଡିରେ ୧୨.୫ ମିମି, ଫୁଲବାଣୀ ଓ ଟିଟିଲାଗଡ଼ରେ ୧୨ ମିମି, ଅନୁଗୋଳରେ ୧୦ ମିମି ବର୍ଷା ହୋଇଛି। ଆସନ୍ତାକାଲି ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଅନୁଗୋଳରେ କୁହୁଡ଼ି ଦେଖାଦେବ। ସେହିପରି ସୁନ୍ଦରଗଡ଼, ବାଲେଶ୍ବର, ଅନୁଗୋଳ, କଟକ, ସୋନପୁର, ବଲାଙ୍ଗୀରରେ ଶୀତ ଲହରି ଆରମ୍ଭ ହେବ।

Comments are closed.