ଶୀତରୁ ମିଳିବନି ନିସ୍ତାର,ଦୁିଇଦିନ ବର୍ଷା ସମ୍ଭାବନା

୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ବର: ସମଗ୍ର ରାଜ୍ୟ ଅସହ୍ୟ ଶୀତରେ ଥରୁଥିବା ବେଳେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବ ନାହିଁ। ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ୪ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ କ୍ରମଶଃ ଝାରଖଣ୍ଡ, ରାଜସ୍ଥାନ ଦେଇ ଆଗକୁ ଗତି କରିବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା, ମୟୂରଭଞ୍ଜ, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ଗଜପତି, ରାୟଗଡ଼ା, ନୟାଗଡ଼ ଓ କନ୍ଧମାଳରେ ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ୨ରୁ ୪ ତାରିଖ ପର୍ଯ୍ୟନ୍ତ କିଛି ଜିଲାରେ ବର୍ଷାର ସମ୍ଭାବନା ଅଛି। ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇବ ଓ ଶୀତ ବଢ଼ିବ। ଶନିବାର ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବା ସହ ଶୀତ କିଛିଟା
ପରିବର୍ତ୍ତନ ଆସିବ।  ରାଜ୍ୟର ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ୫ ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି। ଲଗାତାର ତିନିଦିନ ଧରି
ରାଜ୍ୟର ସବୁଠାରୁ ଥଣ୍ଡା ସହର ଥିବା ସୋନପୁରରେ ଆଜି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଗତକାଲି ସୋନପୁରର ତାପମାତ୍ରା ୫.୪ ଡିଗ୍ରୀ ଥିବା ବେଳେ ଆଜି ୫.୬ ରହିଛି। ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬.୨, ଫୁଲବାଣୀରେ ୬.୫, ଟିଟିଲାଗଡ଼ରେ ୮, ତାଳଚେରରେ ଓ ସମ୍ବଲପୁରରେ ୮.୬, ସୁନ୍ଦରଗଡ଼ରେ ୯ ବାଲେଶ୍ବରରେ ୯.୪ ଓ ହୀରାକୁଦରେ ୯.୬ ଡିଗ୍ରୀ ରହିଛି। ସେହିପରି କଟକରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୯.୮ ଡିଗ୍ରୀ ସେଲସିୟସ୍ ରହିଛି। ସେହିପରି ବାଲେଶ୍ୱରର ତାପମାତ୍ର ୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.