ଲକ୍‌ଡାଉନ ଯୋଗୁ ସାକ୍ଷୀଗୋପାଳରେ ନଡ଼ିଆ ବିକ୍ରି ବନ୍ଦ; ହାତବାନ୍ଧି ବସିଛନ୍ତି ଚାଷୀ, ବ୍ୟବସାୟୀ

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ନଡିଆର ଆଦର ରାଜ୍ୟ ଏବଂ ରାଜ୍ୟ ବାହାରେ ରହିଛି। କିନ୍ତୁ କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ଏଠାରେ ନଡ଼ିଆ ବିକ୍ରି ବନ୍ଦ ହୋଇଯାଇଛି । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ତତ୍ତ୍ଵାବଧାନରେ ଏଠାରେ ନଡ଼ିଆର ଇ-ନିଲାମ ହୋଇଥାଏ । ବ୍ୟବସାୟୀମାନେ ନଡିଆ କିଣିଥାନ୍ତି । ଏହି ନଡ଼ିଆ ବିକ୍ରି କରି ଅନେକ ଲୋକ ପରିବାର ଚଳାଉଥିଲେ। କିନ୍ତୁ ବିକ୍ରି ବନ୍ଦ ହେବାରୁ ନଡିଆ ପରଖାଳି, ଛଡାଳି, ବୋଝିଆ, ଡାଲା ଅଟୋ ସହିତ ପରିବହନ କରୁଥିବା ଟ୍ରକଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀମାନେ ନଡିଆ ବିକ୍ରି କରି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜଟାଧାରୀ ପଣ୍ଡା ନାମକ ବ୍ୟବସାୟୀ କହିଛନ୍ତି। ଏ ସମ୍ପର୍କରେ ବ୍ୟବସାୟୀ ନାରାୟଣ ଦାଶ କହନ୍ତି, ମାସେ ହେଲା ଆମେ ହାତବାନ୍ଧି ବସିଛୁ । ଯେତେବଳେ ଲକ ଡାଉନ ଉଠିବ ସେତେବେଳେ କିଣିବୁ । ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ହିସାବ ନିରୀକ୍ଷକ ଜ୍ୟୋତିରଞ୍ଜନ ସାହୁ କୁହନ୍ତି, ଲକଡାଉନ ଯୋଗୁ ଚାଷୀମାନେ ବଜାରକୁ ନଡ଼ିଆ ବିକ୍ରି ପାଇଁ ଆଣୁନାହାଁନ୍ତି ।  ସ୍ଥିତିରେ ସୁଧାର ଆସିଲେ ବଜାର ପୂର୍ବପରି ଚାଲିବ ବୋଲି ସାହୁ କହିଛନ୍ତି । ତେବେ ନଡ଼ିଆ ବିକ୍ରିବଟା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବାକୁ ଦାବି କରାଯାଇଛି।

Comments are closed.