କୁକୁଡ଼ା ଲଢେଇ ; ୨୭ ଗିରଫ, ୧୩ ବାଇକ୍‌ ଓ ୧.୧୮ ଲକ୍ଷ ଜବତ

ରାଜଗାଙ୍ଗପୁର  : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜରୁମାଲ ପଞ୍ଚାୟତ ଲୁହାଖାନ ଗ୍ରାମରେ କୁକୁଡ଼ା ଲଢେଇ ଖେଳ ଚାଲିଥିବା ବେଳେ ରବିବାର ପୁଲିସ ଚଢଉ କରିଥିଲା । ସେଠାରୁ ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧.୧୮ ଲକ୍ଷ ଟଙ୍କା ଜବତ କରିଥିଲା। ଏହାସହ ଏକ ଜାଇଲୋ ଗାଡ଼ି ସହ ୧୩ ବାଇକ ଓ ୧୭ ଗଞ୍ଜା (କୁକୁଡ଼ା) ଜବତ କରିଥିଲା। ଲୁହାଖାନ ଅଞ୍ଚଳରେ ନିୟମିତ କୁକୁଡ଼ା ଲଢେଇ ଓ ଜୁଆ ଖେଳ ଚାଲୁଥିଲା। ଏନେଇ ଗୁପ୍ତ ସୂଚନା ପାଇବା ପରେ ରାଜଗାଙ୍ଗପୁର ପୁଲିସ ରବିବାର ଭୋର୍‌ ୫ଟାରେ ଉକ୍ତ ଅଞ୍ଚଳକୁ ଘେରାଉ କରି ଚଢଉ କରିଥିଲା। ଜୁଆଡ଼ି ମାନେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଚାରିପଟୁ ଘେରି କାବୁ କରିଥିଲା। ଘଟଣାସ୍ଥଳରୁ ୨୭ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ୧୩ ବାଇକ ଓ ୧୯ ମୋବାଇଲ ଜବତ କରିଥିଲା ପୁଲିସ ା ଏହାସହ ସେଠାରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ଜାଇଲୋ ଗାଡ଼ିକୁ ଜବତ କରାଯାଇ ସିଟ୍‌ ତଳୁ ୩୩ ହଜାର ଟଙ୍କା ଜବତ କରାଯାଇଥିଲା। ଗିରଫ ଜୁଆଡ଼ିଙ୍କ ଠାରୁ ୮୫ ହଜାର ଟଙ୍କା ଜବତ ହୋଇଥିବା ସଂକ୍ରାନ୍ତରେ ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀ ଏବଂ ଆଇଆଇସି ବିବତ୍ସ ପ୍ରଧାନ ସୂଚନା ଦେଇଛନ୍ତି। ଦୁର୍ଗାପୂଜା ପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ବିଭିନ୍ନ ବେଆଇନ କାର୍ୟ୍ୟ ବନ୍ଦ କରିବା ପାଇଁ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ନିର୍ଦେଶ ଦେଇଥିଲେ। ଏହି କ୍ରମରେ କୁକୁଡ଼ା ଲଢେଇ ଏବଂ ଏହାର ଆଢୁଆଳରେ ହେଉଥିବା ଜୁଆଖେଳର ସୂଚନାପାଇ ପୁଲିସ ଚଢଉ କରିଥିଲା ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ।

Comments are closed.