ଭଦ୍ରକରେ ନାଗଲୋକର ଭ୍ରମ

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ। ଗତବର୍ଷ ବହୁ ନାଗ ସାପ ଉଦ୍ଧାର କରାଯାଇ ଏହି ଅଞ୍ଚଳକୁ ନାଗଲୋକ ବୋଲି କୁହାଯାଉଥିବା ବେଳେ ଚଳିତବର୍ଷ ମଧ୍ୟ ବହୁ ସାପ ଉଦ୍ଧାର କରାଗଲାଣି। ଗୁରୁବାର ୨ଟି ବଡ ନାଗ ସହ ୬୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ହାତୀସାହିର ସୁଦାମ ରାଉତଙ୍କ ଘର ପାଖରେ କିଛି ଛୋଟ ସାପ ବୁଲିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ସୁଦାମ ଭୟଭୀତ ହୋଇ ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଶେଖ ମିର୍ଜାଙ୍କୁ ଖବର ଦେଇଥିଲେ।

ବୁଧବାର ରାତିରୁ ମିର୍ଜା ଖୋଳାଖୋଳି ଆରମ୍ଭ କରିଥିଲେ। ୩ଟି ଘର ଖୋଳାଯାଇଥିବା ବେଳେ ବୁଧବାର ରାତିରୁ ଗୁରୁବାର ମଧ୍ୟରେ ୨ଟି ବଡ ନାଗ ସାପ ସହ ୬୦ରୁ ଉର୍ଦ୍ଧ୍ୱ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ଅଦ୍ୟାବଧି ସାପ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହୁରି ବହୁ ସାପ ଉଦ୍ଧାର ହୋଇପାରେ ବୋଲି ଶେଖ ମିର୍ଜା କହିଛନ୍ତି। ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.