ଆଗ କୋଇଲା, ପରେ ଯାତ୍ରୀ: ୬୫୭ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ

ନୂଆଦିଲ୍ଲୀ, ୨୯ା୪: ଦେଶସାରା ଭୀଷଣ ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ ସଙ୍କଟ ଜନଜୀବନକୁ ଦୁର୍ବିସହ କରିଦେଇଛି। ବିଶେଷକରି ତାପଜ ଶକ୍ତିକେନ୍ଦ୍ରଗୁଡିକୁ କୋଇଲା ପରିବହନ କ୍ଷେତ୍ରରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଘଟଣାକୁ ଗୁରୁତ୍ୱର ସହିତ ନେଇଛନ୍ତି ସରକାର। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସାମ୍ପ୍ରତିକ ପରିସ୍ଥିତିରେ ଯାତ୍ରୀ ପରିବହନ ଅପେକ୍ଷା କୋଇଲା ପରିବହନକୁ ଅଗ୍ରାଧିକାର ଦେଇ ଦେଶବ୍ୟାପୀ ୬୫୭ ଯାତ୍ରୀବାହୀନ ଟ୍ରେନ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡିକର ଚଳାଚଳ ମେ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ କରାଯିବ। ସେହିସମୟରେ ଉକ୍ତ ରୁଟ୍‍ରେ କୋଇଲା ପରିବହନ କରୁଥିବା ଟ୍ରେନ୍‍ଗୁଡିକର ଚଳାଚଳକୁ ଅଗ୍ରାଧିକାର ଦିଆଯିବ। ବାତିଲ ଟ୍ରେନଗୁଡିକ ମଧ୍ୟରେ୫୦୦ ମେଲ୍‍ ଏବଂ ଏକ୍ସପ୍ରେସ ଟ୍ରେନ ଏବଂ ୧୪୮ଟି କମ୍‍ ଦୂରତାରେ ଚଳାଚଳ କରୁଥିବା ଯାତ୍ରୀବାହୀ ଟ୍ରେନ ଅନ୍ତର୍ଭୁକ୍ତ। ଦୁଇମାସ ପର୍ଯ୍ୟନ୍ତ କୋଇଲା ପରିବହନକାରୀ ଟ୍ରେନ ଚଳାଚଳ ବୃଦ୍ଧି କରିବାକୁ ମଧ୍ୟ ରେଳବାଇ ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରଣାଳାୟ ମୁଖପାତ୍ର ରାଜୀବ ଜୈନଙ୍କ ସୂତ୍ରରୁ ଜଣାଯାଇଛି ଯେ ରେଳବାଇ ଦେଶର ବିଭିନ୍ନ ଜୋନ୍‍ରେ ମୋଟ ୬୫୭ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ କରିବାକୁ ପଦକ୍ଷେପ ନେଇଛି। ଏହାଦ୍ୱାରା ସେହି ଟ୍ରେନଗୁଡିକର ଚଳାଚଳ ସମୟ ଓ ଉକ୍ତ ରୁଟ୍‍ରେ କୋଇଲା ପରିବହନକାରୀ ଟ୍ରେନ ଚଳାଚଳ କରିବ।

ଜଣାଯାଇଛି ଯେ ଦେଶର ଜମ୍ମୁ କାଶ୍ମୀରଠାରୁ ନେଇ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଗ୍ରାହକମାନେ ୨ ଘଣ୍ଟାରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‍କାଟ ପରିସ୍ଥିତିର ସାମ୍‍ନା କରୁଛନ୍ତି। ବିଦ୍ୟୁତ ଅଭାବ କାରଣରୁ ଦେଶର କଳ କାରଖାନାଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାକୁ ବିଦ୍ୟୁତ ଯୋଗାଣ ସଙ୍କଟ ଦେଖାଦେଇଥିବାବେଳେ ଅଣ ତାପଜ ଶକ୍ତି ପ୍ରକଳ୍ପଗୁଡିକୁ କୋଇଲା ଯୋଗାଣକୁ ସରକାର କାଟଛାଣ୍ଟ କରିଛନ୍ତି। ନିକଟରେ ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ନାଲ୍‍କୋରେ କୋଇଲା ସଙ୍କଟ ଦେଖାଦେବା ପରେ ନାଲ୍‍କୋ ଅଫିସର ସଂଘ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ। ରେଳବାଇ ପକ୍ଷରୁ ରାକ୍‍ ଯୋଗାଣରେ ଅଭାବ କାରଣରୁ କୋଇଲା ଯୋଗାଣରେ ସଙ୍କଟ ଦେଖାଦେଇଥିବା ସଂଘ ଅଭିଯୋଗ କରିଥିଲା। ଏହାପରେ ଉଚ୍ଚ ନ୍ୟାୟାଳୟ ପ୍ରତିଦିନ ନାଲ୍‍କୋକୁ କୋଇଲା ଯୋଗାଣ ନିମନ୍ତେ ଅନ୍ୟୂନ ୪ଟି ରାକ୍‍ ଯୋଗାଇଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଥିଲେ।

ଦେଶରେ ଚଳିତ ଏପ୍ରିଲ ମାସରେ ଗ୍ରୀଷ୍ମପ୍ରବାହ ଶୀର୍ଷ ସ୍ତରରେ ପହଞ୍ଚିଥିବାବେଳେ ତଦନୁଯାୟୀ ବିଦ୍ୟୁତ ଚାହିଦା ମଧ୍ୟ ଆଶାତୀତ ଭାବରେ ବୃଦ୍ଧିପାଇଛି। ଏହି କାରଣରୁ ଦେଶରେ ମୋଟ ବିଦ୍ୟୁତ ନିଅଣ୍ଟ ୬୨୩ ନିୟୁତ ୟୁନିଟରେ ପହଞ୍ଚିଛି, ଯାହା ମାର୍ଚ୍ଚ ମାସର ନିଅଣ୍ଟ ସ୍ଥିତିକୁ ଟପିଯାଇଛି। ଏଭଳି ପରିସ୍ଥିତିରେ ଦେଶରେ ଉତ୍ପାଦିତ ମୋଟ ବିଦ୍ୟୁତ ମଧ୍ୟରୁ ୭୦% କୋଇଲାଭିତ୍ତିକ ତାପଜ ବିଦ୍ୟୁତ ହୋଇଥିବାବେଳେ ଉକ୍ତ କେନ୍ଦ୍ରଗୁଡିକରେ କୋଇଲା ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ଚାହିଦା ପୂରଣ କରିବାକୁ ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା ସରକାର କହୁଥିବାବେଳେ ରେଳବାଇ ରାକ୍‍ର ଅଭାବ କୋଇଲା ଯୋଗାଣରେ ଅନ୍ତରାୟ ସୃଷ୍ଟି କରୁଛି। ତାହାସହିତ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଆନ୍ତର୍ଜାତିକ ବଜାରରେ କୋଇଲା

ଦର ବୃଦ୍ଧି ପାଇଥିବାରୁ ବିଦେଶରୁ କୋଇଲା ଆମଦାନୀ ମଧ୍ୟ ହ୍ରାସପାଇଛି। ଇତିମଧ୍ୟରେ କେନ୍ଦ୍ର ସରକାର ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲା ଯୋଗାଣ ବୃଦ୍ଧି ନିମନ୍ତେ ପଦକ୍ଷେପ ନେଉଥିବାବେଳେ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ମହଜୁଦ ପରିମାଣ ବୃଦ୍ଧି ସକାଶେ କୋଇଲା ଆମଦାନୀ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟଗୁଡିକୁ କହିଛନ୍ତି। ଦେଶବ୍ୟାପୀ ରହିଥିବା ବିଭିନ୍ନ ତାପଜ କେନ୍ଦ୍ରଗୁଡିକ ଗୁରୁତର କୋଇଲା ନିଅଣ୍ଟ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ଦେଶରେ ଶକ୍ତି ସଙ୍କଟ ଅବଶ୍ୟମ୍ଭାବୀ ମନେହେଉଛି ବୋଲି ଅଲ୍‍ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ ପକ୍ଷରୁ କୁହାଯାଇଛି।
ଇତିମଧ୍ୟରେ ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ ସଙ୍କଟ କାରଣରୁ ମେଟ୍ରୋ ଟ୍ରେନ ଚଳାଚଳ ଏବଂ ସରକାରୀ ହସପିଟାଲଗୁଡିକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ସମଗ୍ର ଦେଶ ସମ୍ପ୍ରତି କୋଇଲା ନିଅଣ୍ଟ ଜନିତ ବିଦ୍ୟୁତ ସଙ୍କଟ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏହାର ମୁକାବିଲା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ। ଇତିମଧ୍ୟରେ ସେ ଏକ ଜରୁରୀ ବୈଠକ ଡକାଇ ଦିଲ୍ଲୀର ତାପଜ ଶକ୍ତିକେନ୍ଦ୍ରଗୁଡିକରେ କୋଇଲା ମହଜୁଦ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହିତ ଅଧିକ କୋଇଲା ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। ଦିଲ୍ଲୀ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଧିକାଂଶ ତାପଜ ଶକ୍ତି କେନ୍ଦ୍ରରେ କୋଇଲା ଅଭାବ ଉତ୍କଟ ରୂପ ନେଇଛି। ଏପରିକି ଅଧିକାଂଶ ପ୍ରକଳ୍ପରେ ଅତି ବେଶୀରେ ଦିନେ କିମ୍ବା ଦୁଇଦିନ ପାଇଁ କୋଇଲା ମହଜୁଦ ଅଛି। ବିହାର ଶକ୍ତିମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ମଧ୍ୟ ତାଙ୍କ ରାଜ୍ୟରେ କୋଇଲା ଅଭାବ ପରିସ୍ଥିତି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇଛନ୍ତି।

Comments are closed.