ଦେଶ ପାଇଁ ଉପୁଜିପାରେ ଆଉ ଏକ ସଙ୍କଟ

କରୋନା ମହାମାରୀ ପରିସ୍ଥିତିରେ ଭାରତ ପାଇଁ ଆଉ ଏକ ସଙ୍କଟ ସୃଷ୍ଟି ହୋଇପାରେ। ତେବେ ଏହା ହେଉଛି ବିଦ୍ୟୁତ କ୍ଷେତ୍ରର ସଙ୍କଟ। କାରଣ ଦେଶକୁ ବିଦ୍ୟୁତ ଯୋଗାଉଥିବା ଅନେକ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ଦେଖାଦେଇଛି। ଏହି କେନ୍ଦ୍ରଗୁଡ଼ିକରେ କୋଇଲା ନିର୍ଦ୍ଧାରିତ ସମୟରେ ଉପଲବ୍ଧ ହୋଇ ନ ପାରିଲେ ଦେଶର ଅନେକ ଭାଗରେ ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇଯାଇପାରେ। କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ)ର ଏକ ତଥ୍ୟରୁ ଏଭଳି ଆଶଙ୍କା ଉପୁଜିଛି।

ସୂଚନା ଅନୁସାରେ, ଦେଶରେ ୪୬ ହଜାର ୭୨୦ ମେଗାୱାଟର ସାମୁହିକ କ୍ଷମତା ବିଶିଷ୍ଟ ୩୮ଟି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ନିକଟରେ ଗତ ଗୁରୁବାର ଅର୍ଥାତ ଏପ୍ରିଲ ୨୨ ତାରିଖ ସୁଦ୍ଧା ୭ ଦିନରୁ କମ୍‌ କୋଇଲା ଭଣ୍ଡାର ଗଚ୍ଛିତ ରହିଛି। ସିଇଏର କୋଇଲା ଦୈନିକ ଭଣ୍ଡାର ତଥ୍ୟରୁ ଏହା ଜଣାପଡ଼ିଛି। ସିଇଏର ୨୦୨୧ ଏପ୍ରିଲ ୨୨ ରିପୋର୍ଟ ଅନୁସାରେ, ଦେଶରେ ୧ ଲକ୍ଷ ୬୬ ହଜାର ୪୦୬ ମେଗାୱାଟର ସାମୁହିକ କ୍ଷମତା ବିଶିଷ୍ଟ ୧୩୫ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କୋଇଲା ଭଣ୍ଡାର ସ୍ଥିତି ଗମ୍ଭୀର ଅଥବା ଅତି ଗମ୍ଭୀର ନାହିଁ। ସୂଚନାଯୋଗ୍ୟ, ଯଦି କୌଣସି କେନ୍ଦ୍ର ନିକଟରେ ୭ ଦିନରୁ କମ୍‌ କୋଇଲା ଭଣ୍ଡାର ଗଚ୍ଛିତ ଥାଏ ତେବେ ତାହା ଗମ୍ଭୀର ସ୍ଥିତି ବୋଲି କୁହାଯାଏ। ସେହିପରି ୩ ଦିନରୁ କମ୍‌ କୋଇଲା ଭଣ୍ଡାର ଗଚ୍ଛିତ ଥିଲେ ତାହାକୁ ଅତି ଗମ୍ଭୀର ସ୍ଥିତି କୁହାଯାଏ। ସିଇଏ ପ୍ରତିଦିନ ଏହି କେନ୍ଦ୍ରଗୁଡ଼ିକର କୋଇଲା ଭଣ୍ଡାର ସ୍ଥିତିକୁ ଯାଞ୍ଚ କରିଥାଏ।

ବିଦ୍ୟୁତ ବିଭାଗର ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ସିଇଏ ଦ୍ବାରା କୌଣସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ କୋଇଲା ଭଣ୍ଡାର ମାମଲାରେ ଗମ୍ଭୀର ବା ଅତି ଗମ୍ଭୀର ରୂପେ ବର୍ଗୀକୃତ କରିବାର କାରଣ ରହିଥାଇପାରେ, କିନ୍ତୁ ତଥ୍ୟ ଅନୁସାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ରହିଛି। ଏଭଳି ସ୍ଥିତିରେ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ସହିତ ବିଜୁଳି ବ୍ୟବହାର ବଢ଼ିଲେ ଉତ୍ପାଦନ ପ୍ରଭାବିତ ହୋଇପାରେ।

ଉଲ୍ଲେଖ ଯେ, ଦେଶରେ ୨୦୨୧ ମାର୍ଚ୍ଚ ସୁଦ୍ଧା ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୩୭୭ ଜିଗାୱାଟ ଥିଲା। ସେଥିରୁ ୨୦୦ ଜିଗାୱାଟ କୋଇଲାରୁ ଉତ୍ପାଦିତ ହୋଇଥାଏ। ଏହାବ୍ୟତୀତ ୯୩ ଜିଗାୱାଟ ଅକ୍ଷୟ ବା ସୌର ଓ ପବନରୁ ଉତ୍ପାଦିତ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଖରାଦିନେ ସୌର ବା ପବନରୁ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବ, କିନ୍ତୁ କୋଇଲା ଆଧାରିତ କେନ୍ଦ୍ର ମୁଖ୍ୟତଃ ସମସ୍ତ ଭାର ବହନ କରିଥାନ୍ତି, ଯାହା ଗ୍ରୀଡ୍‌ର ସ୍ଥିରତା ଏବଂ ଗରମ ଋତୁରେ ଗ୍ରାହକଙ୍କ ଚାହିଦାକୁ ପୂରଣ କରିଥାଏ।

Comments are closed.